ମେନଷ୍ଟ୍ରୁଅଲ କପ୍

ସମୟ ସାଙ୍ଗରେ ସମାଜରେ ମାସିକ ଧର୍ମର ସଚେତନତା ବୃଦ୍ଧି ପାଉଛି। ଏହା ଉପରେ ଲୋକଙ୍କ ମନୋଭାବ ବା ମାନସିକତା ମଧ୍ୟ ବଦଳିଲାଣି। ଏହାକୁ ନେଇ ମହିଳାମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରାଯିବା ପରେ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ପୂର୍ବରୁ ମହିଳାମାନେ କପଡା ଇତ୍ୟାଦି ବ୍ୟବହାର କରୁଥିଲେ କିନ୍ତୁ ସମୟ ବଦଳିବା ସହିତ ବ୍ୟବହୃତ ଜିନିଷଗୁଡ଼ିକ ମଧ୍ୟ ବଦଳି ଯାଇଛି। ବର୍ତ୍ତମାନ ଯୁଗରେ ସାନିଟାରୀ ପ୍ୟାଡ୍, ଟାମ୍ପନ୍ ଏବଂ ମେନଷ୍ଟ୍ରୁଅଲ କପ୍ ବ୍ୟବହୃତ ହେଉଛି। ଗତ କିଛି ବର୍ଷ ମଧ୍ୟରେ ମେନଷ୍ଟ୍ରୁଅଲ କପ୍ ବ୍ୟବହାର ଧାରା ବୃଦ୍ଧି ପାଇଛି। ବଡ ବଡ ସହରରେ ଏସବୁ ବ୍ୟବହାର ଆରମ୍ଭ ହୋଇଥିଲେ ମଧ୍ୟ ଛୋଟ ସହର ବା ଗ୍ରାମାଞ୍ଚଳରେ ଏହାର ବ୍ୟବହାର ହୋଇନାହିଁ। କେତେକଙ୍କୁ ମଧ୍ୟ ଏହାର ବ୍ୟବହାର ସମ୍ପର୍କରେ ଜଣାନାହିଁ। କେବଳ ସେତିକି ନୁହେଁ, ଏହାକୁ ନେଇ ଅନେକଙ୍କ ମନରେ ଭ୍ରାନ୍ତ ଧାରଣ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ମେନଷ୍ଟ୍ରୁଅଲ କପ୍ କ’ଣ ଓ ଏହାର ବ୍ୟବହାର ସମ୍ପର୍କରେ ବିଶେଷ ତଥ୍ୟ….

୧. ସିଲିକନ୍ କିମ୍ବା ଲାଟେକ୍ସରୁ ନିର୍ମିତ ମେନଷ୍ଟ୍ରୁଅଲ କପ୍ ଏକ ଛୋଟ କପ୍ ଆକୃତି । ଏହା ବିଭିନ୍ନ ଆକାରର ମିଳେ। ବୟସ, ଯୋନୀ ଓ ଗର୍ଭାଶୟର ଆକାର ଏବଂ ଋତୁସ୍ରାବର ପରିମାଣ ଅନୁଯାୟୀ ସଠିକ୍ କପ୍ ବାଛିବା ଉଚିତ୍। କାରଣ ଭୁଲ୍ ସାଇଜ୍ କପ୍ ବ୍ୟବହାର କରିବା ଦ୍ବାରା ଲିକ୍ ହେବାର ଭୟ ମଧ୍ୟ ରହିଥାଏ। ତେଣୁ ପ୍ରଥମ ଥର ମେନଷ୍ଟ୍ରୁଅଲ କପ୍ ବ୍ୟବହାର କରିବା ପୂର୍ବରୁ, ଏହାର ସଠିକ୍ ଆକାର ଏବଂ ସଠିକ୍ ପ୍ରୟୋଗ ବିଷୟରେ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ।

୨. କିଛି ଲୋକଙ୍କ ଧାରଣା ରହିଥାଏ ଯେ, କୁମାରୀ ଝିଅମାନେ ଏହି କପ୍ ବ୍ୟବହାର କରିବା ଉଚିତ୍ ନୁହେଁ। ଏହା ଦ୍ବାରା କୁପ୍ରଭାବ ପଡିଥାଏ । କିନ୍ତୁ ଏହା ସମ୍ପୁର୍ଣ୍ଣ ଭୁଲ୍। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏହାର ବ୍ୟବହାର ଦ୍ବାରା ବିଶେଷ ପ୍ରଭାବ ପଡିନଥାଏ।

୩. ଅନେକ ମହିଳାମାନଙ୍କର ଭ୍ରାନ୍ତ ଧାରଣା ଥାଏ ଯେ, ଏହାକୁ ୧୨ ଘଣ୍ଟା ପାଇଁ ବ୍ୟବହାର କରାଯାଇପାରିବ। ଅନେକ ମହିଳା ମଧ୍ୟ ଏପରି କରନ୍ତି । କିନ୍ତୁ ଏହା ଦ୍ବାରା କିଛି ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଥାଏ।

ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏହି କପ୍‌କୁ କ୍ରମାଗତ ଭାବରେ ୧୨ ଘଣ୍ଟା ବ୍ୟବହାର କରିବା ଉଚିତ୍ ନୁହେଁ। ପ୍ରତି ୪ରୁ ୮ ଘଣ୍ଟା ପରେ ଏହାକୁ ଧୋଇ ସଫା କରି ପୁନଃପ୍ରୟୋଗ କରାଯିବା ଉଚିତ୍।

୪. ଏହାକୁ ବ୍ୟବହାର କରିବା ଦ୍ବାରା ପରିସ୍ରା କରିବାରେ ଅସୁବିଧା ହେବ ବୋଲି କିଛି ମହିଳା ପ୍ରଶ୍ନ କରିପାରନ୍ତି। କିନ୍ତୁ ସେଭଳି କୌଣସି ସମସ୍ୟା ସୃଷ୍ଟି ହୋଇନଥାଏ ବୋଲି ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି।

୫. ମାସିକ କପ ବ୍ୟବହାର କରିବା ସମୟରେ ଆପଣ ଶୋଇ ପାରିବେ କି ନାହିଁ ବୋଲି ମନରେ ପ୍ରଶ୍ନ ଆସୁଥିବ। ଆପଣ ଏହାକୁ ବ୍ୟବହାର କରି ୬ରୁ ୮ଘଣ୍ଟା ପର୍ୟ୍ୟନ୍ତ ଆରାମରେ ଶୋଇ ପାରିବେ।