ଓଡିଆ ସଂସ୍କୃତି ଓ ପରମ୍ପରା ସହ ବାସ୍ତବ ଜୀବନର ଅନେକ ସାମଞ୍ଜସ୍ୟ ରହିଛି। ପୁରୁଷପ୍ରାଧାନ୍ୟ ସମାଜ କୁହାଯାଉଥିଲେ ମଧ୍ୟ ଏଠାରେ ପାଳିତ ହେଉଥିବା ପ୍ରତିଟି ପର୍ବ ନାରୀ ଜୀବନ ସହ ଜଡିତ ଥାଏ। ରଜ, ଖୁଦରୁକୁଣୀ, କୁମାରୋତ୍ସବ ହେଉ ଅବା ଲକ୍ଷ୍ମୀ ପୁରାଣ। ଏସବୁଥିରେ ନାରୀମାନଙ୍କୁ ମୁଖ୍ୟ ଚରିତ୍ରରେ ଚିତ୍ରଣ କରାଯାଇଥାଏ। ଠିକ୍ ସେହିପରି ହେରା ପଞ୍ଚମୀ ମଧ୍ୟ ନାରୀ ସହ ଜଡିତ ଥିବା ପର୍ବ କୁହାଯାଇପାରେ। ଏହା ଏକ ଅଭିମାନୀ ପତ୍ନୀର କଳି ପର୍ବ ବୋଲି କହିଲେ କିଛି ଭୁଲ ହେବନାହିଁ ବୋଲି ଆଶା କରୁଛି।
ଏଠାରେ ଅଭିମାନୀ ପତ୍ନୀର ଚରିତ୍ରରେ ଅନ୍ୟ କେହି ନୁହଁନ୍ତି, ସ୍ୱୟଂ ମା’ ଲକ୍ଷ୍ମୀ ଠାକୁରାଣୀ ବର୍ଣ୍ଣିତ ହୋଇଛନ୍ତି। ସାଧାରଣତଃ ପତ୍ନୀଟିଏ ଯେପରି ନିଜ ପତିର ବିରହ ବେଦନା ସହି ନପାରି ରାଗରେ ଜର୍ଜରିତ ହୋଇଉଠି ପାଟିତୁଣ୍ଡ କରେ ବା ଭଙ୍ଗାରୁଜା କରିବସେ, ଠିକ୍ ସେହିପରି ମା’ ଲକ୍ଷ୍ମୀ ଠାକୁରାଣୀ ମଧ୍ୟ ମହାପ୍ରଭୁଙ୍କ ବିରହ ବେଦନା ସହ୍ୟ ନ କରିପାରି ନନ୍ଦିଘୋଷ ରଥ ଭାଙ୍ଗିବାର ପରମ୍ପରା ରହିଛି।

କିମ୍ବଦନ୍ତୀ ଅନୁଯାୟୀ, ମହାପ୍ରଭୁ ଓ ମହାଲକ୍ଷ୍ମୀଙ୍କ ବିବାହର ମାତ୍ର ତିନି ଦିନ ପରେ ପଡେ ଜ୍ୟେଷ୍ଠପୂର୍ଣ୍ଣମୀ ବା ଦେବସ୍ନାନପୂର୍ଣ୍ଣମୀ। ସେଦିନ ମହାପ୍ରଭୁ ନିଜ ଭାଇ ଭଉଣୀଙ୍କ ମେଳରେ ଏବଂ ହଜାର ହଜାର ଭକ୍ତମାନଙ୍କ ଗହଣରେ ଅତି ଆଡମ୍ବର ସହ ସ୍ନାନ କରି ଜ୍ୱରରେ ପଡନ୍ତି ଏବଂ ଚିକିତ୍ସା ପାଇଁ ଅଣସର ଗୃହରେ ରୁହନ୍ତି। ପୁଣି ମହାପ୍ରଭୁ ସୁସ୍ଥ ହେବା ପରେ ମା’ ଲକ୍ଷ୍ମୀଙ୍କୁ ସାକ୍ଷାତ ନ କରି ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ବାହାରି ପଡନ୍ତି ଗୁଣ୍ଡିଚା ଯାତ୍ରାରେ । ସେପଟେ ମହାପ୍ରଭୁଙ୍କ ଅପେକ୍ଷାରେ ଥିବା ମା’ ଲକ୍ଷ୍ମୀ ଠାକୁରାଣୀ କ୍ଷୁବ୍ଧ ହୋଇପଡନ୍ତି। ବିମଳାଦେବୀଙ୍କ ପରାମର୍ଶ କ୍ରମେ ମହାପ୍ରଭୁଙ୍କୁ ଆକର୍ଷିତ କରି ପୁଣି ବଡ ଦେଉଳକୁ ଫେରାଇ ଆଣିବା ପାଇଁ କୌଶଳ ଶିକ୍ଷା କରି ଗୁଣ୍ଡିଚା ମନ୍ଦିର ଯାଆନ୍ତି ମା’ ଲକ୍ଷ୍ମୀ। ସେଠାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୋହନଚୂର୍ଣ୍ଣ ନୀତି ସମ୍ପନ୍ନ କରନ୍ତି। ମହାପ୍ରଭୁ ମଧ୍ୟ ଏଥିରେ ଖୁସି ହୋଇ ଏକ ଆଜ୍ଞାମାଳ ପ୍ରଦାନ କରି ଖୁବ୍ ଶୀଘ୍ର ଦେଉଳକୁ ଫେରିଯିବେ ବୋଲି ପ୍ରତିଶ୍ରୁତି ଦିଅନ୍ତି। ଇତି ମଧ୍ୟରେ ସନ୍ଧ୍ୟା ହୋଇ ଯାଇଥିବାରୁ ମହାପ୍ରଭୁଙ୍କ ଟେରା (ପହଡ) ପଡିଯାଏ, ଯାହା ଦ୍ୱାରା ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ଶ୍ରୀ ମୁଖକୁ ଆଉ ଦେଖି ପାରନ୍ତିନାହିଁ। ଏହାକୁ ନିଜର ଅପମାନ ବୋଲି ମନେ କରି ପ୍ରତିଶୋଧ ପରାୟଣବଶତଃ ପ୍ରତ୍ୟାବର୍ତ୍ତନ ସମୟରେ ନନ୍ଦିଘୋଷ ରଥରୁ ଏକ କାଠ ଭାଙ୍ଗି ଦିଅନ୍ତି ମା’ ଲକ୍ଷ୍ମୀ। ଯେଉଁ ରାସ୍ତାରେ ଦେଇ ମା’ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଯାଇଥାନ୍ତି, ସେହି ରାସ୍ତା ଦେଇ ଆଉ ଫେରନ୍ତି ନାହିଁ। ହେରାଗୋହିରୀ ସାହି ଦେଇ ଶ୍ରୀ ମନ୍ଦିରକୁ ଫେରନ୍ତି। ତେବେ ଏହି ଘଟଣାବଳୀକୁ ଆମେ ପ୍ରେମର କଳି ମଧ୍ୟ କହି ପାରିବା। ମହାପ୍ରଭୁ ଏବଂ ମା’ ଲକ୍ଷ୍ମୀଙ୍କ ମଧ୍ୟରେ ଅନୁଷ୍ଠିତ ହେଉଥିବା ପ୍ରେମ କଳିକୁ ହେରା ପଞ୍ଚମୀ ପର୍ବ ନାମରେ ପାଳନ କରାଯାଉଛି।