ପ୍ରତ୍ୟେକ ମଣିଷ ତା ପରିବାର ର ଏକ ଅଂଶ । ପରିବାର ମଧ୍ୟରେ ରହି ପରିବାରର ସଦସ୍ୟ ଙ୍କ ଗହଣରେ ସେ ସୁରକ୍ଷିତ ଏବଂ ସ୍ନେହପୂର୍ଣ୍ଣ ପରିବେଶ ପାଇଥାଏ । ଦୁଃଖ ହେଉ ବା ସୁଖ ସବୁର ମହନୀୟତା ଅନୁଭବ କରିହୁଏ କେବଳ ପରିବାର ଗହଣରେ ।ଏକୁଟିଆ ରହୁଥିବା ବ୍ୟକ୍ତି ଟିଏ ହିଁ ଅନୁଭବି ପାରେ ପରିବାର ନ ଥିବାର ଅଭାବ ।ମେ ୧୫, ପ୍ରତିବର୍ଷ ଏହି ଦିନ ଟିକୁ ” ଆନ୍ତର୍ଜାତିକ ପରିବାର ଦିବସ ” ରୂପେ ପାଳନ କରାଯାଉଛି । ଏହି ଦିନ ପାଳନ କରିବା ପଛରେ ଉଦ୍ଦେଶ୍ୟ ହେଉଛି, ପରିବାରର ପ୍ରତି ଟି ସଦସ୍ୟ ଙ୍କ ସତ୍ତା ପାଇଁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିବା, ସେମାନଙ୍କ ପାଇଁ ଗର୍ବିତ ଅନୁଭବ କରିବା ।ପରିବାର ଠାରୁ ପାଇଥିବା ସଂସ୍କାର, ସମାଜରେ ପରିବାର ର ମହତ୍ୱ କୁ ବୁଝିବା ପାଇଁ ଏହି ଦିନ ଟି ପାଳନ କରାଯିବା ଆରମ୍ଭ ହୋଇଛି ।
ବର୍ତ୍ତମାନ ମାନବ ଜାତି ଏକୁଟିଆ ରହିବାକୁ ଇଛା କରୁଛି ।ଯୁଗ୍ମ ପରିବାରରେ ମିଳିମିଶି ରହିବା ତାକୁ ବୋଝ ଭଳି ମନେହଉଛି । ମାତ୍ର ପରିବାର ହେଉଛି ସମାଜର ଏକ ମୁଖ୍ୟ ଏବଂ ମୌଳିକ ଅଂଶ । ଛୋଟ ହେଉ କିମ୍ବା ବଡ଼ ପରିବାର ସହିତ ମିଶି ରହିବା, ଜଣଙ୍କ ଦକ୍ଷତା, ଶକ୍ତି ଏବଂ ଆତ୍ମବିଶ୍ୱାସ କୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ପ୍ରତି ପରିବାର ର ଗୁରୁତ୍ୱ ତା ସଦସ୍ୟ ପାଇଁ ଭିନ୍ନ ।ଆର୍ଥିକ, ସାମାଜିକ ଏବଂ ଶିକ୍ଷା କ୍ଷେତ୍ରରେ ସୁରକ୍ଷା ଓ ସାହାଯ୍ୟ ପରିବାର ସଦସ୍ୟଙ୍କ ମନୋବଳ କୁ ଦୃଢ଼ କରିବା ସହିତ ସେମାନଙ୍କୁ ଆକସ୍ମିକ ବିପଦ, ମାନସିକ ଅଶାନ୍ତି ଏବଂ ଦୁଶ୍ଚିନ୍ତା ରୁ ମୁକ୍ତ କରିଥାଏ ।ସୁଖ ସମୟ ଯେପରି ପର୍ବପର୍ବାଣୀ, ବାହାଘର, ବ୍ରତଘର, ପୂଜା ଆଦି ସାମାଜିକ କାର୍ଯ୍ୟରେ ପରିବାର ସଦସ୍ୟ ଙ୍କ ଯୋଗଦାନ ଖୁସିକୁ ଦ୍ବିଗୁଣିତ କରିଦିଏ । ଠିକ ସେହିପରି ବିପତ୍ତି ସମୟରେ ପରିବାର ଯୋଗୁଁ ଦୁଃଖର ଭାର ଲାଘବ ହୁଏ ।

ଗତବର୍ଷ ଠାରୁ କରୋନା ମହାମାରୀ ର ପ୍ରଭାବରେ ସମସ୍ତେ ବାଧ୍ୟ ହୋଇ ଘରେ ରହୁଛନ୍ତି ।ନିଜ ପରିବାର ସହିତ ସମୟ ବିତେଇ ପରିବାର ର ପ୍ରକୃତ ମୂଲ୍ୟ ବୁଝିପାରିଛନ୍ତି ।ନିଜ ବୃତ୍ତି, କ୍ୟାରିଅର ଉପରେ କରୋନା ଯୋଗୁଁ ପଡୁଥିବା ପ୍ରଭାବ ଜନିତ ମାନସିକ ଚାପ ପରିବାର ଗହଣରେ ରହି ସେମାନେ ଭୁଲି ପାରିଛନ୍ତି ।ସମୟ ଯେତେ ଖରାପ ହେଉ ନା କାହିଁକି, ଜୀବନରେ ଯେତେ କ୍ଷତି ଘଟିଗଲେ ସୁଦ୍ଧା ପୁରା ପରିବାର ଯେ ତାଙ୍କ ସାଙ୍ଗରେ ଅଛି ; ସମସ୍ତେ ମିଳିମିଶି ଏ ସବୁ ଠାରୁ ବାହାରିଯିବେ ଏହି ଉତ୍ସାହ ଏବଂ ସମର୍ଥନ ପରିବାର ପକ୍ଷରୁ ମିଳେ ।ଛୋଟ ପିଲାଙ୍କୁ ଘରେ ରଖିବା, ବୟସ୍କ ମାନଙ୍କର ସେବା କରିବା, ଯୁବଗୋଷ୍ଠୀଙ୍କୁ ମାନସିକ ଭାବରେ ପରିସ୍ଥିତିରେ ସହିତ ଲଢ଼ିବା ଶିଖେଇବା ଦିଗରେ ପରିବାର ର ଦାୟିତ୍ୱ ବହୁତ ଗୁରୁତ୍ୱପୂର୍ଣ୍ଣ ।
ପିଲାମାନଙ୍କର ଶିକ୍ଷାର ଆରମ୍ଭ ସର୍ବ ପ୍ରଥମେ ପରିବାର ଠାରୁ ହିଁ ଆରମ୍ଭ ହୁଏ । ପୁସ୍ତକଗତ ଶିକ୍ଷା କୁ ବାଦ୍ ଦେଇ ଜୀବନରେ ଆବଶ୍ୟକ ହଉଥିବା ନୈତିକ ଶିକ୍ଷା, ବ୍ୟବହାର, ସଂସ୍କାର, ମାନବିକତା ଧର୍ମ ସବୁ ପରିବାର ସଦସ୍ୟଙ୍କ ଠାରୁ ମିଳେ । ତେଣୁ ପରିବାର ମଧ୍ୟରେ ବଢୁଥିବା ପିଲାର ସମ୍ପୂର୍ଣ୍ଣ ବିକାଶ ସମ୍ଭବ ହୁଏ। କେବେ ଯଦି ସେ ଦୁଃଖ, ଚିନ୍ତା ଏବଂ ଅସୁରକ୍ଷିତ ମନେ କଲେ ତା ସାଙ୍ଗରେ ତା ପରିବାର ଛିଡାହୁଏ ଓ ସେସବୁର ସମାଧାନ କରି ନୂଆ କିଛି କରିବାର ପ୍ରେରଣା ପାଏ ।
କଥାରେ ଅଛି :- ” Family gives you roots to stand tall and strong. ” ତେଣୁ ପରିବାର ମଧ୍ୟରେ ରହି ପରିବାର ସଦସ୍ୟଙ୍କ ଆଶୀର୍ବାଦ ଏବଂ ସହଯୋଗ ପାଉଥିବା ବ୍ୟକ୍ତି ନିଶ୍ଚିତ ରୂପେ ଭାଗ୍ୟବାନ ।
Happy International Family Day.

ଫୋନ – 6370516478
ବିବେକାନନ୍ଦ ମାର୍ଗ