ଜଣେ ନାରୀ ଏକକାଳୀନ ଅନେକ ଭୂମିକା ଗ୍ରହଣ କରିବାର ସାମର୍ଥ୍ୟ ରଖେ ।ଜନନୀ ରୂପେ ସ୍ନେହ ମମତା ଓ କରୁଣାର ଗଙ୍ଗା ବୁହାଇ ଦିଏ ତ, ଭଗିନୀ ରୂପେ ଭାଇକୁ ପ୍ରେମ ବନ୍ଧନରେ ବାନ୍ଧି ପକାଏ, ପତ୍ନୀ ଭାବରେ ସ୍ୱାମୀ ସହ ସଂସାର ଗଢ଼ି ତାର ସମଧର୍ମ, ସମକର୍ମ ରେ ଅଂଶୀଦାର ହୋଇ ତାର ଚଲାପଥ କୁ କୁସୁମିତ କରେ ତ, ପୁଣି ନିଜ ଔରସରୁ ସୃଷ୍ଟି ଟିଏ କରି ତାର ଲାଳନ ପାଳନ ପାଇଁ ସବୁ ଦୁଃଖକଷ୍ଟ ସହିଯାଏ ।ଶେଷରେ ବାର୍ଦ୍ଧକ୍ୟର ସୀମାହୀନ ଯନ୍ତ୍ରଣା ଭୁଲି ନିଜ ପରିବାରର ସୁଖଦୁଃଖ ରେ ନିଜକୁ ହଜେଇ ଦିଏ । ତ୍ୟାଗ ହିଁ ତାର ସର୍ବଶ୍ରେଷ୍ଠ ପୁଞ୍ଜି । ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ସନ୍ତାନକୁ ମଣିଷଟିଏ କରିବାର କାମନା ଏବଂ ସେଥିରେ ସଫଳତା ହିଁ ତା ଜୀବନର ଉଦ୍ଦେଶ୍ୟ ପାଲଟିଯାଏ । ଏସବୁ ଭିତରେ ସେ ଭୁଲିଯାଏ ଯେ ତାର ମଧ୍ୟ ମନ ବୋଲି କିଛି ଅଛି l କିଛି ନିଜସ୍ୱ ରୁଚି, ଇଚ୍ଛା, ପସନ୍ଦ, ଆଶା, ସ୍ବପ୍ନ ଯେ ତାର ବି ଅଛି, ତାହା ତାକୁ ଚିହ୍ନିବାକୁ ହେବ । ଅନ୍ୟ ମାନଙ୍କ ପାଇଁ ବଞ୍ଚିବା ସହିତ ନିଜ ପାଇଁ ବି କିଛି ସମୟ କାଢ଼ିବା ପ୍ରକୃତ ଅର୍ଥରେ ହେଉଛି ତାର ମଣିଷ ଜନ୍ମର ସାର୍ଥକତା ।ନିଜକୁ କେବଳ ସନ୍ତାନ ପ୍ରସବକାରିଣୀ ଯନ୍ତ୍ରରେ ପରିଣତ ନ କରି ନିଜର ଲୁକ୍କାୟିତ ପ୍ରତିଭା କୁ ଖୋଜି ବାହାରକୁ ଆଣିବାର ଗୁରୁଦାୟିତ୍ୱ ନିଶ୍ଚୟ ମହିଳାର ନିଜର ।
ଧର୍ମାନୁଷ୍ଠାନ, ରାଜନୀତି, ଶିକ୍ଷା, ଆଇନ, ବିଜ୍ଞାନ, ଦେଶର ଗଠନ ଏଭଳି କି ଦେଶର ସୁରକ୍ଷା ସବୁଠାରେ ନିଜର ଅବସ୍ଥିତିକୁ ଜାହିର କରି ଦେଶକୁ ସର୍ବାଧିକ ଉନ୍ନତି ପଥରେ ବାହିନେବାର କ୍ଷମତା ମହିଳା ଭିତରେ ହିଁ ଅନ୍ତର୍ନିହିତ ।ନାରୀ ସ୍ୱୟଂସମ୍ପୂର୍ଣ୍ଣା। କିଛି ପରିସ୍ଥିତିରେ ସେ ଅବଳା ରୂପେ ପ୍ରତୀତ ହେଲେ ମଧ୍ୟ ବାସ୍ତବତା କିଛି ଭିନ୍ନ ।ସ୍ୱଭାବରେ ସେ ଲଜ୍ଜ୍ୟାଶୀଳା, ତାର ଲଜ୍ଜ୍ୟା କୁ ଦୁର୍ବଳତା ମନେକରିବା ସମାଜର ଅଵିଵେକୀତା କୁହାଯାଇପାରେ ।ଦରକାର ହେଲେ ପୁରୁଷ ଦ୍ଵାରା ଅସାଧ୍ୟ ମନେହେଉଥିବା କାମ ବି ସହଜରେ ସେ କରିଦେଇପାରେ ।ମୁଦ୍ରାର ଦୁଇ ପାର୍ଶ୍ୱ ଭଳି ନାରୀ ଭିତରେ ମଧ୍ୟ ନକାରାତ୍ମକତା ରହିଛି ।ମାତ୍ର ସେହି ନକାରାତ୍ମକତା କୁ ପଛରେ ପକେଇ ଯିଏ ଦାମ୍ଭିକତାର ସହିତ ସବୁ ସମସ୍ୟାକୁ ସମାଧାନ କରେ, ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନ କରି ଆଗକୁ ବଢେ, ସେ ନାରୀ ହୁଏ ଆଗ୍ରଗଣ୍ୟା।ମାର୍ଜିତ ପୋଷାକପତ୍ର, ଭଦ୍ର ସ୍ଵଭାଵ, ଶାଳୀନ ବ୍ୟବହାର ଏବଂ ପ୍ରତ୍ୟେକ ମଣିଷ ଭିତରେ ଦିବ୍ୟ ସତ୍ତାର ଅନୁଭବ ନାରୀକୁ ସ୍ୱତନ୍ତ୍ର କରି ଗଢ଼ି ତୋଳେ । ବିବାହ ପୂର୍ବରୁ ପିତାଙ୍କ ଚଳଣି ରୁ ବିବାହ ପରେ ଶ୍ୱଶୁରାଳୟ ର ପରିବର୍ତ୍ତିତ ଚଳଣି ଭିତରେ ନିଜକୁ ସଜେଇ ସମସ୍ତଙ୍କ ଜୀବନକୁ ସୁଖମୟ କରିବାର କ୍ଷମତା କେବଳ ମହିଳା ମାନଙ୍କ ପକ୍ଷରେ ହିଁ ସମ୍ଭବ ।
ଏତେସବୁ ଗୁଣ ତ୍ୟାଗ, ସହନଶୀଳତା, ଦୟା, ପ୍ରେମ ଓ ମମତା ସତ୍ତ୍ୱେ ମହିଳାଙ୍କୁ ଅନେକ କଷ୍ଟ ଭୋଗିବାକୁ ପଡ଼େ ।ସାମାନ୍ୟ ଅସାବଧାନତା କିମ୍ବା ଭୂଲ ପାଇଁ ତା ଉପରେ ଅଙ୍ଗୁଳି ଉଠେ, ଯାହା ଭିତରେ ସେ ଅଣନିଶ୍ୱାସୀ ହୋଇଉଠେ ।ଅସହ୍ୟ ହେଲେ ନିଜ ସମ୍ମାନ ରକ୍ଷା ପାଇଁ ପ୍ରତିବାଦ କରେ, ସ୍ୱର ଉଠାଏ ।ତାର ଭାଗ୍ୟ ଭଲ ଥିଲେ କିଏ ତାକୁ ଶୁଣେ, ତାର ସାହାଯ୍ୟ କରେ ଅନ୍ୟଥା ସେ ମାନସିକ ଓ ଶାରୀରିକ ଯନ୍ତ୍ରଣାର ଶିକାର ହୁଏ ।ମହିଳା ନିଜ ପାଇଁ ସ୍ୱର ଉତ୍ତୋଳନ କରିବା ଶିଖୁ । ଘରେ ହଉ କି କାର୍ଯ୍ୟକ୍ଷେତ୍ର, ତାର କେଉଁଥିରେ ଆପତ୍ତି, ଅଭିଯୋଗ, ବାରଣ ତାହା ସେ ପାଟି ଖୋଲି କହୁ ।ସମାନତା ଅଧିକାର ଉପହାର ରୂପେ କେବେବି ପାଇବା ସମ୍ଭବ ନୁହେଁ ।ତା ପାଇଁ ମହିଳାଙ୍କୁ ନିଜର ବୁଦ୍ଧି, ବିବେକ, ଶିକ୍ଷା ଏବଂ ଯୋଗ୍ୟତା ର ପ୍ରଦର୍ଶନ କରିବାକୁ ହେବ ।ଦୟା ଓ ସହାନୁଭୂତି ରେ ସମାନତା ଅଧିକାର ମିଳିବା ଅସମ୍ଭବ ।ସମାଜର ସକ୍ଷମ ଓ ସମର୍ଥ ବର୍ଗ ମହିଳା, ଦୁର୍ବଳ ଏବଂ ନିର୍ଯାତିତ ବର୍ଗଙ୍କ ପାଇଁ ସହାୟତା ର ହାତ ବଢ଼େଇଲେ ସ୍ୱତଃ ସମାନତା ଆସିଯିବ ।ଆଉ ରହିଲା ପୁରୁଷ ଙ୍କ ମହିଳା ସହିତ ସମାନ ହେବା କଥା ତା ପାଇଁ ମହିଳା ମାନଙ୍କୁ ନିଜେ ନିଜ ଅଧିକାର ସାବ୍ୟସ୍ତ କରିବାକୁ ହେବ । କେବଳ କଥା, ଯୁକ୍ତି ରେ ସୀମିତ ନ ରହି କର୍ମ ଏବଂ ଭାବନାରେ ସମାନତା ଆଣିବା ମହିଳାଙ୍କର ଉଦ୍ଦେଶ୍ୟ ହେବା ଉଚିତ ।