ଚାଲ ମିଶିକି ଗଢିବା

“ଗୃହିଣୀ ଗୃହ ମୁଚ୍ୟତେ ” ଅର୍ଥାତ ଘର କହିଲେ ଗୃହିଣୀ କୁ ହିଁ ବୁଝାଇଥାଏ ଯିଏ ବିଶ୍ୱାସ ଓ ଆନ୍ତରିକ ଭଲପାଇବା ଦ୍ୱାରା ଘରେ ସୁଖ, ଶାନ୍ତି ଓ ଆନନ୍ଦ ଆଣିଥାଏ ।ଏକ ବିଂଶ ଶତାବ୍ଦୀର ନାରୀ ଆଜି ଘର ବାହାର ସବୁକିଛି ନିଜ ହାତ ମୁଠାରେ ରଖି ପାରିଛି କେବଳ ନିଜର ଧର୍ଯ୍ୟ ଓ ସ୍ୱଉଦ୍ୟମର ଦୁଇ ଡେଣା ର ବଳ ନେଇ ।
ସୃଷ୍ଟି କରିବାର କ୍ଷମତା ତାକୁ ଭଗବାନ ଦେଇଛନ୍ତି ତେଣୁ ବିଜ୍ଞାନ ଯେତେ ଆଗେଇଲେବି ନାରୀର ଏ ଶକ୍ତି ଆଗରେ ଜଗତ  ମଥା ନତ କରେ । ଶିଶୁକୁ ଧାରଣ କରିବା, ଜନ୍ମ ଦେଇ ଲାଳନ ପାଳନ କରିବା, ଶିକ୍ଷା ଦୀକ୍ଷା ଆଚାର ବ୍ୟବହାର ଏସବୁରେ ଶିଶୁଟିକୁ ପରିପକ୍ୱ କରିବାର ଦାୟୀତ୍ୱ କେବଳ ମା ଉପରେ ନ୍ୟାସ୍ତ କରାଯାଏନି ଜୋର କରି ତା ଉପରେ ଲଦି ଦିଆଯାଏ ।ତାର ଇଚ୍ଛା ଅନିଚ୍ଛାର ପ୍ରଶ୍ନ ଏଠି ଉଠା ଯାଏନି ।

ସମସ୍ତେ ବିଶ୍ୱାସ କରନ୍ତି ଯେ ସେ କରି ପାରିବ କାରଣ ଏହା କେବଳ ତାର ହିଁ କର୍ତ୍ତବ୍ୟ, ଜନ୍ମ ଗତ ଅଧିକାର । ହେଲେ ସତରେ କଣ ଭବିଷ୍ୟତର ଦାୟାଦକୁ ଗଢି ତୋଳିବାର ଦାୟୀତ୍ୱ କେବଳ ଜଣେ ସ୍ତ୍ରୀ ଲୋକର ଏକା! ଯଦି ପିଲାଟି ବଡ଼ ହୋଇ ସଫଳତାର ଶୀର୍ଷକୁ ଛୁଇଁଲା ତେବେ ସେ ପ୍ରଶଂସାର ତାଜ ପିତା ହିଁ ଧାରଣ କରେ। ଆଉ ଯଦି ବିଫଳ ହେଲା ତେବେ ସମସ୍ତ ଦୋଷାରୋପର ବିଷମ ବୋଝ ମା ଉପରେ ହିଁ ଢାଳି ଦିଆଯାଏ ।ସତରେ କଣ ସବୁ ଦୋଷ ମା ‘ ର! ମା କଣ କେବେ ତା ପିଲାକୁ ବିପଥଗାମୀ ହେବାକୁ ଶିଖାଇଥିବ ! ପିଲା ତ ସବୁବେଳେ ମା ପାଖରେ ରୁହେନି । ବଡ଼ ହେଲା ପରେ  ସେ ସ୍କୁଲ, କଲେଜ ଯାଏ, ସାଙ୍ଗ ସାଥି ଙ୍କ ସଂସ୍ପର୍ଶରେ ଆସେ । ମା’ ତ ପ୍ରତି ପଦକ୍ଷେପ ରେ ତାକୁ ଜଗିପାରିବନି !କିନ୍ତୁ ପିଲାର ଭୁଲ ପାଇଁ ମା’ କୁ ଶୁଣିବାକୁ ପଡେ, “ହେ ମା ଶିଖାଇ ନଥିବ!” ଯଦି ମା’ ଟି ଚାକିରୀ କରୁଥାଏ ତେବେ ତାକୁ ଶୁଣିବାକୁ ପଡେ, ” ତାକୁ ଅଫିସ କାମରୁ କେତେବେଳେ ଫୁରସତ ଅଛି ଯେ ପିଲାକୁ ସମୟ ଦେବ!” ତେଣୁ ଅନେକ କ୍ଷତ୍ରରେ ପିଲା ଜନ୍ମ ପରେ ଯଦି  କେହି ନିଜର ଲୋକ ନଥାନ୍ତି ବା ମା ପିଲାକୁ ଡେ କେୟାର ରେ ଛାଡିବାକୁ ରାଜିହୁଏନି ତେବେ ନିଜର ପାଠ, ବଡ ଚାକିରୀ, ମୋଟା ଅଙ୍କର ମାସିକ ଦରମା, ଏପରିକି ଅନ୍ୟ ସ୍ବପ୍ନ ରେ ଯବନିକା ଟାଣି ସେ ପିଲାର ଲାଳନ ପାଳନ କରିବାରେ ମନୋନିବେଶ କରେ । ତା ପାଠ, ଚାକିରୀ, ପଦ ପଦବୀ ସବୁ କିଛି ତା ପାଇଁ ଗୌଣ ହୋଇଯାଏ । ତାର ସବୁ ସ୍ବପ୍ନକୁ ସମାଧି ଦେଇ ସେ ଘରର ଚାରିକାନ୍ଥ ଭିତରେ, ତା ପିଲା ମାଧ୍ୟମରେ ନିଜ ଇଛାକୁ ସାକାର କରିବାକୁ ଚାହେଁ ।ପୁରୁଷଟି ନିଜର ସ୍ୱାଭିମାନ କୁ ବଜାୟ ରଖିବାକୁ  ଯାଇ ନିଜକୁ  ନିଜ ଅଫିସ କାମରେ ବ୍ୟସ୍ତ ରୁହେ । ପିଲା ରଖିବା ଜଞ୍ଜାଳ କଣ ସେ ଜାଣେନା!
ଆଉ ନାରୀଟି ସବୁ ଛାଡି  ଘର, ପିଲାଙ୍କ ଜଞ୍ଜାଳରେ ଲଟ ପଟ ହେଉଥାଏ । ହେଲେ କାହିଁକି ସେ କେବଳ ତ୍ୟାଗ କରିବ? ପିତାର କଣ ପିଲା ପାଇଁ କିଛି ବଡ଼ ସ୍ୱାର୍ଥ ତ୍ୟାଗ କରିବା ଦାୟୀତ୍ୱ ନାହିଁ!

ଆମେ ଚେନାଇରେ ଥିବା ସମୟର କଥା ଯାହା କି ମୋ ମନକୁ ବିଶେଷ ଭାବରେ ଛୁଇଁଥିଲା l ଆମେ ରହୁଥିବା ଆପାର୍ଟମେଣ୍ଟରେ ଜଣେ ଯୁବ ମା ବାପା ତାଙ୍କ ତିନି ବର୍ଷର ପୁଅ ସହ ରହୁଥିଲେ । ମା’ ଟି ଏକ ବଡ଼ କମ୍ପାନୀରେ ମ୍ୟାନେଜର ଥିଲା । ତା ନିଜ ମା ବାପା ଙ୍କ ର ଅନେକ ବର୍ଷ ପୂର୍ବରୁ ଦେହାନ୍ତ ହୋଇଥିଲା ।  ଶ୍ୱଶୁରଙ୍କୁ ପକ୍ଷାଘାତ ଯୋଗୁଁ ଶାଶୁ ଗାଁ ରୁ ଆସିବା ସମ୍ଭବ ନଥିଲା । ପରସ୍ପର ଭିତରେ ବୁଝାମଣା ପରେ ସ୍ୱାମୀ ଜଣକ  ସ୍ୱଳ୍ପ ବେତନ ପାଉଥିବାରୁ ଚାକିରୀଛାଡି, ଜଣେ ଆୟା ଙ୍କ ତୱାବଧାନ ରେ ପିଲାକୁ ବଢ଼ାଉଥିଲେ ।ପିଲା ତିନି ବର୍ଷ ର ହେବାରୁ ତାକୁନେଇ ସେ ନିଜେ ଏକ ଜିମ୍ ରେ କୋଚିଂ ଦେବା କାମ  ଧିରେ ଧିରେ ଆରମ୍ଭ କରୁଥିଲେ । ପିଲାତ ଦୁହିଁଙ୍କର, ତେଣୁ ଏତ ଦୁହିଁଙ୍କ ର କାମ, ଏଠି କେବଳ ସ୍ତ୍ରୀ ଟିର ତ୍ୟାଗ କି ପୁରୁଷ ର ସ୍ୱାଭିମାନ ଦେଖାଯାଏନି ।
ପରିବାର ଗାଡ଼ିରେ ପିତା ମାତା ଉଭୟ ଚାଳକ, ପିଲାମାନେ ଯାତ୍ରୀ, ତେବେ ଉଭୟପିତା ମାତାଙ୍କୁ ଯାତ୍ରୀ ମାନଙ୍କ ସୁରକ୍ଷା ପ୍ରତି ସମାନ ଭାବେ ଧ୍ୟାନ ଦେବାକୁ ପଡିବ, କେବଳ ମା କୁ ଏକା ନୁହେଁ l ତେଣୁ ଚାଲ ପିଲାଙ୍କୁ ମିଶିକି ଗଢିବା, ଜୀବନରେ ଏକ ନୂଆ ସୂର୍ଯ୍ୟ ଆଣିବା ।

ଅନସୂୟା ପଣ୍ଡା ,କାର୍ଡଗୁଡି, ବାଙ୍ଗାଲୋର ଫୋନ୍:୯୮୪୦୭୦୬୧୪୦