ଏବେ ସବୁଆଡ଼େ ଖାଲି ଗୋଟିଏ କଥା, ଯଦି ଟେଲିଭିଜନ ଖୋଲିଦେବା କିମ୍ବା ଖବରକାଗଜ ଆଡ଼େଇଦେବା ତା ହେଲେ ସେହି ଗୋଟିଏ କଥା । ଆମ ପରୀର କଥା । କେଉଁ ପରୀ ରାଇଜର ଧଳା ଡ୍ରେସ ପିନ୍ଧା ପରୀ ନୁହେଁ ସେ । ଜୀବନ୍ତ ହାତ ଦୁଇଟା, ଗୋଡ଼ ଦୁଇଟା ଥିବା ଛୋଟ ଝିଅ ପରୀ ସେ । ବୟସ ମାତ୍ର ୫ବର୍ଷ ୬ ମାସ । ଜୁଲାଇ ୬ ତାରିଖ ଦିନ ୧୧ଟା ବେଳ ଗାଁ ଘର ଦାଣ୍ଡରେ ଖେଳୁଥିବାବେଳେ ହଠାତ୍ କୁଆଡ଼େ ପଳାଇଲା ଯେ କେହିବି ସୁରାକ ପାଇଲେ ନାହିଁ ଆମ ପରୀର । ଖୋଜି ଖୋଜି ସବୁ ହତାସ ହେଲେ । କିନ୍ତୁ ୧୦ଦିନ ପରେ ବସ୍ତାରେ ମିଳିଲା୧୨ରୁ ୧୩ଖଣ୍ଡ ହାଡ଼ ।

ତାପରେ ସତରେ କି ଅବସ୍ଥା ହୋଇଥିବା ଯେତେବେଳେ ନିଜ ଝିଅର ପରିଚୟ ପାଇଥିବେ ବାପା ମା । ଲେଖିବା ବେଳେ ସତରେ ଲୋମ ଟାଙ୍କୁରି ଉଠୁଛି । ଝିଅ ପରୀର ମୃତ୍ୟୁକୁ ୫ମାସ ପୁରିଲାଣି ଏବେ ବି ପରୀ ଗୁମୁରୀ ଗୁମୁରୀ କାନ୍ଦୁଛି । ଚାରିଆଡ଼େ ଏବେ ଖାଲି କୋଳାହଳ କେମିତି ପରୀକୁ ନ୍ୟାୟ ମିଳିବ । ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଏବେ ସେହି ଅପେକ୍ଷାରେ ପରୀକୁ କେବେ ମିିଳିବ ନ୍ୟାୟ । ସାମାଜିକ ଗଣମାଧ୍ୟମରୁ ଆରମ୍ଭ କରି ଗଣମଧ୍ୟରେ ସବୁ ଜାଗାରେ ସେଇ ଗୋଟିଏ କଥା ପରୀକୁ କେବେ ନ୍ୟାୟ ମିଳିବ । ସତରେ ମନରେ ପ୍ରଶ୍ନ ଉଠୁଛି ବହୁତ୍ କଥାକୁ ନେଇ । ଛୋଟ ପିଲାଟିଏ ସେ କଣ କରିଥିଲା ତାହାର ଦୋଷ କଣ ଯେ ଏମିତି ଫଳ ଭୋଗିବାକୁ ପଡ଼ିଲା । ଗଣମାଧ୍ୟମ ଠାରୁ ଆରମ୍ଭ କରି ରାଜନୀତିରେ ପରୀର କଥା ବେଶ୍ ଆଲୋଚନା ହେଉଛି । ପ୍ରତିଦିନ ପ୍ରତିବାଦର ସ୍ୱର ଆମେ ଦେଖୁଛେ, କିନ୍ତୁ ସେ ସ୍ୱର ପୁଣି ଦବିଯାଉଛି । ପରୀର ଘଟଣାରେ ସତରେ ଆଶ୍ଚର୍ଯ୍ୟ ଲାଗେ, କେମିତି ପୁଲିସ ସତରେ ଅଣଦେଖା କରିଦେଲା । ଗାଁ ଦାଣ୍ଡରେ ଖେଳୁଥିଲା ପରୀ ସେଠାରୁ ସେ ଗାଏବ ହୋଇଗଲା । ଏତେ କମ୍ ସମୟ ଭିତରେ ଏତେ ବଡ଼ ଘଟଣା ଘଟିଲା ଅଥଚ ଆଶ୍ଚର୍ଯ୍ୟ ଲାଗୁଛି ପୁଲିସ କେମିତି ଏହାର ଟିକିଏ ବି ଟେର୍ ପାଇଲାନାହିଁ ।
ଆମେ ବହୁତ୍ ଘଟଣା ଦେଖିଛେ, ପ୍ରମାଣ ବି ପାଇଛେ ଯେ ବିଳମ୍ବ ହେଲେ ତଦନ୍ତରେ କେମିତି ନ୍ୟାୟ ମିଳିବାରେ କଷ୍ଟ ହୁଏ । ଏକଥା କଣ ଆମ ପୁଲିସ ବିଭାଗକୁ ଅଜଣା । ଯଦି ଜଣା ତା ହେଲେ ଅତି ସହଜରେ ସେମାନେ ଦୋଷୀକୁ ଧରିପାରିଥାନ୍ତେ । ତଦନ୍ତରେ ଏତେ ବିଳମ୍ବ କୋଉଠି ନା କୋଉଠି ପରୀକୁ ନ୍ୟାୟ ମିଳିବାରେ ଆଜି ଏତେ ବିଳମ୍ବ ହୋଇଛି । ରାଜନୀତରେ ଯଦି ଦେଖିବା କଂଗ୍ରେସ ଦୁଇଫାଳ ହେବାକୁ ବସିଲାଣି ଏହି ପରୀରର ଝଡ଼କୁ ନେଇ । ଆଉ ଏପଟେ ବିଜେପି ଉଠାପକା କରି ମନ୍ତ୍ରୀଙ୍କ ବହିଷ୍କାର ଦାବି କଲାଣି । ଆଉ ଆମ ଶାସକ ଦଳ କଥା କହିଲେ ନସରେ । ଏତେ ଛୋଟ ଝିଅଟିଏ ଏତେ ସମ୍ବେଦନଶୀଳ ଘଟଣାରେ କେମିତି ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ଏତେମାତ୍ରାରେ ସମ୍ବେଦନହୀନ କଥା ସବୁ କହି ନିଜ ମାନସିକତାର ପରିଚୟ ଦେଉଛନ୍ତି ।
ପରୀ କେତେ ଛୋଟ ଝିଅଟିଏ ତା ପାଇଁ କାହା ମନରେ କଣ ଥିଲା ଯେ, ସେ ଏମିିତି ଅବସ୍ଥା ଭୋଗିଲା । ଏ ପ୍ରଶ୍ନ ସମସ୍ତଙ୍କ ମନରେ । କିନ୍ତୁ ପରୀ ପାଇଁ ଅସଲ ସମ୍ବେଦନା କାହିଁ ଆଉ କେଉଁଠି ଦେଖାଯାଏନାହିଁ । କୁହାଯାଏ ଯେ କୌଣସି ଗୋଟିଏ ଭଲ କାମରେ ଯଦି କ୍ଷମତା ଥିବା ଲୋକଙ୍କର ଆନ୍ତରିକତା ଦେଖାଯାଏ, ତାହେଲେ ସେହି କାର୍ଯ୍ୟଟି ସମ୍ପୂର୍ଣ୍ଣ ରୂପେ ସଫଳ ହୁଏ । କିନ୍ତୁ ଏଇଠି ପରୀର ଘଟଣାରେ ଏହା ହେଉଛି ବ୍ୟତିକ୍ରମ । କ୍ଷମତାରେ ଥିବା ଜଣେ ଲୋକ ହିଁ ଅର୍ଥାତ୍ ଜନପ୍ରତିନିଧୀ ଏହି କଥାକୁ କରିଛନ୍ତି ଅଣଦେଖା । ଆଉ ଜଣେ ଜନପ୍ରତିନିଧୀ ନିଜର ପାଟିରେ ସଂଯମତା ରକ୍ଷା କରିନପାରି ଦେଇଛନ୍ତି ସମ୍ବେଦନହୀନତାର ବଡ଼ ପରିଚୟ । ଯାହା ଖାଲି ପରୀ ପାଇଁ ନୁହେଁ ଆଉ ଏମିତି ଅସ୍ୱାଭାବିକ ମୃତ୍ୟୁର ଶିକାର ହୋଇଥିବା ଅନେକ ପରୀଙ୍କ ପାଇଁ ହେଉଛି ଅସମ୍ମାନ । ଆଜି ବି ସେହି ଗାଁରେ ଛୋଟପିଲାଙ୍କୁ ଖେଳିବାକୁ ଛାଡ଼ିବା ବେଳେ ପରୀ କଥା ଭାବି ଆତଙ୍କ ଖେଳିଯାଉଛି । ବାପା ଆଉ ମାଙ୍କ ମନରେ ଛୋଟ ଝିଅ ପରୀର ଅସ୍ୱାଭାବିକ ମୃତ୍ୟୁ ହୋଇଛି ତଥାପି ସବୁ ଚୁପ୍ । ରାଜନୈତିକ ଦଳ ଭିତରେ ଚାଲିଛି ଟଣାଓଟରା କିଏ ନେବ ପ୍ରଥମେ ମାଇଲେଜ୍ । ଆଉ ଆମ ସରକାରୀ ଦଳ ଚୁପ୍ ହୋଇ ବସିଛି । ପ୍ରଶ୍ନ ଆମର ଏବେ ଏ ସମାଜକୁ, ବ୍ୟବସ୍ଥାକୁ ଓ ଏ ସରକାରଙ୍କୁ କିଏ ଦେବ ପରୀକୁ ନ୍ୟାୟ । ପରୀ କାନ୍ଦୁଛି ଉପରେ ଗୁମୁରୀ ଗୁମୁରୀ କହୁଛି ସେ ମତେ ଶୀଘ୍ର ଦିଅ ନ୍ୟାୟ ନହେଲେ ବିଳମ୍ବିତ ନ୍ୟାୟ ମୋ ଭଳି ଆଉ ଅନେକ ପରୀ ଅପସରି ଯିବେ । ଏତେ ସମ୍ବେଦନଶୀଳ ଘଟଣାରେ ପୁଲିସର ଅପାରଗତା ଏବଂ ଜନପ୍ରତିନିଧୀମାନଙ୍କ ଅଣଦେଖା ଓ ନୀରବଦ୍ରଷ୍ଟା ସାଜିବା ନିହାତି ଭାବେ ସରକାରଙ୍କୁ ଏକ ସ୍ପଷ୍ଟ ଚାପୁଡା ।

୯୯୩୭୭୩୪୪୬୧