ଧନତେରସ୍ ର ମହତ୍ଵ

ଧନତେରସର ମହତ୍ବ…ଜାଣନ୍ତୁ ଆଜିର ଶୁଭ ମୂହୂର୍ତ୍ତ
ଆଜି କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ.. ଆଜି ସାରା ଦେଶରେ ଧନତ୍ରୟୋଦଶୀ ବା ଧନତେରସ ଭାବେ ପାଳନ କରାଯାଉଛି । ଆଜିର ଦିନରେ ସୁନା ବା ମୂଲ୍ୟବାନ ଧାତୁ କିଣିଲେ ସମୃଦ୍ଧି ପ୍ରାପ୍ତି ହୁଏ ବୋଲି ଲୋକମାନଙ୍କର ବିଶ୍ବାସ ରହିଛି ।
ତେବେ ଏହି ‘ଧନତେରସ’ ଶବ୍ଦ ସହିତ ଏକ ବିଶେଷ ପ୍ରଥା ମଧ୍ୟ ଯୋଡ଼ି ହୋଇ ରହିଛି, ଯାହା ବହୁତ କମ୍ ଲୋକ ଜାଣନ୍ତି। ତାହା ହେଉଛି ଶ୍ରୀଧନ୍ବନ୍ତରୀଙ୍କର ଆବିର୍ଭାବ ଦିବସ। ଏହି ଧନ୍ବନ୍ତରୀଙ୍କୁ ଆରୋଗ୍ୟଦାତା ଭଗବାନ ରୂପେ ଶାସ୍ତ୍ର, ପୁରାଣ, ବେଦାଦିରେ ବର୍ଣ୍ଣନା କରାଯାଇଛି। ଏହି ‘ଧନ୍ବନ୍ତରୀ’ ଶବ୍ଦରୁ କାଳକ୍ରମେ ଧନତେରସର ସୃଷ୍ଟି ହୋଇଛି। ପୃଥିବୀ ପୃଷ୍ଠରୁ ଜରାବ୍ୟାଧି ରୋଗ ନାଶ କରି ଆରୋଗ୍ୟ ମନ୍ତ୍ର ପ୍ରଦାନ କରିଥିବା ଭଗବାନ ଶ୍ରୀଧନ୍ବନ୍ତରୀଙ୍କର ସ୍କନ୍ଦପୁରାଣ, ମତ୍ସ୍ୟ ପୁରାଣ ଆଦିରେ ବର୍ଣ୍ଣନା ମିଳେ। ପୁରାଣ ମାନ୍ୟତା ଅନୁସାରେ ଧନ୍ବନ୍ତରୀ ସମୁଦ୍ର ମନ୍ଥନ ସମୟରେ ଅମୃତକୁମ୍ଭ ସହ ଆଜିର ଦିନରେ ଆବିର୍ଭାବ ହୋଇଥିଲେ । ଅମୃତ ଆରୋଗ୍ୟ, ନିରାମୟତା, ସୁଖ ସମୃଦ୍ଧି ଓ ଦୀର୍ଘ ଜୀବନର ସୂଚକ ।
ଏବର୍ଷ ମାନବ ସମାଜ କରୋନା ମହାମାରୀ କବଳିତ ହୋଇ ସଂକଟ ସମୟ ଦେଇ ଗତି କରୁଛି । ଏଣୁ ଲୋକମାନେ ସୁନାରୁପା ଆଦି ଧନ ବଦଳରେ ନିଜର ସ୍ବାସ୍ଥ୍ୟ ରକ୍ଷା ଦିଗରେ ଅଧିକ ସଚେତନ ହେବା ଉଚିତ । କାରଣ ସ୍ବାସ୍ଥ୍ୟ ହିଁ ପ୍ରକୃତ ସମ୍ପଦ ।
ପବିତ୍ର ଧନତେରସରେ ପୂଜା କରିବାର ଏକ ସ୍ବତନ୍ତ୍ର ମୂହୂର୍ତ୍ତ ଥାଏ । ଏବର୍ଷ ତାହା ଅପରାହ୍ଣ ୫ଟା ୧୨ରୁ ୫ଟା ୫୯ ମିନିଟ ପର୍ଯ୍ୟନ୍ତ ରହିଛି । ଏହି ସମୟ ମଧ୍ୟରେ ଗଣେଷ, ମହାଲକ୍ଷ୍ମୀଙ୍କ ଆରାଧନା କରନ୍ତୁ ।