ଜୀବନକୁ ନେଇ ତାଙ୍କ ଦୃଷ୍ଟିଭଙ୍ଗୀ ଭିନ୍ନ ଓ ସ୍ୱତନ୍ତ୍ର । ଅନ୍ୟର ଦୁଃଖ ଦେଖିଲେ ତରଳି ଯାଏ ତାଙ୍କ ହୃଦୟ । ପରର ଘର ଯୋଡିବାରେ ସେ ପାଆନ୍ତି ଆନନ୍ଦ । ସମୟ ଅସମୟକୁ ଖାତର ନକରି ସେ ଅସହାୟ ଲୋକମାନଙ୍କୁ ସହାୟତାର ହାତ ବଢାଇଦିଅନ୍ତି ।
ହଁ, ନା ତାଙ୍କର ସସ୍ମିତା ବେହେରା । ଘର କେନ୍ଦ୍ରାପଡା ଜିଲ୍ଲା ଭରତପୁର ଗ୍ରାମପଂଚାୟତ ର ଜଗନ୍ନାଥପୁର ଗାଁରେ । ଅସହାୟ ଲୋକମାନଙ୍କୁ ଆଇନ ସହାୟତା ଯୋଗାଇବା ତାଙ୍କ କାମ । ପେଶାରେ ସେ ଜଣେ ‘ପାରା ଲିଗାଲ ଭଲୁ୍ୟଟଂର’ । କିନ୍ତୁ ନିଶା ତାଙ୍କର ପ୍ରତିଟି ଅସହାୟ ପାଖରେ ଆଇନର ସହାୟତା ପହଁଚାଇବା । ତେବେ ଏଥିପାଇଁ ୨୦୧୮ ମସିହାରେ ‘ଜିଲ୍ଲା ଆଇନ ସେବା ପ୍ରାଧିକରଣ’ ଅଧିନରେ ସେ ପ୍ରଶିକ୍ଷଣ ନେଇଥିଲେ । ତା ପରଠାରୁ ସେ ଆଉ କେବେ ପଛକୁ ଫେରି ଚାହିଁନାହାନ୍ତି । ବିଧିବଦ୍ଧ ପ୍ରଶିକ୍ଷଣର ଚଉହଦି ଭିତରେ ସେ ନିଜ କାର୍ଯ୍ୟକୁ ସୀମିତ ରଖି ନାହାନ୍ତି । ତାଠାରୁ କେତେ ଗୁଣ ଅଧିକ ତାଙ୍କ କାର୍ଯ୍ୟ କରିବାର କ୍ଷେତ୍ର । କେଉଁଠି ସାଧାରଣ ଲୋକଟି ଅସୁବିଧାରେ ପଡିଥିବା ଖବର ପାଇଲେ ଘର ପରିବାରକୁ ପଛରେ ପକାଇ ସସ୍ମିତା ଅବିଳମ୍ବେ ଧାଇଁ ଯାଆନ୍ତି ସେଠାକୁ । ନିଜଲୋକ ପରି ପାଖରେ ବସି ଟିକିନିଖି ପଚାରି ବୁଝନ୍ତି । ସମସ୍ତ ଘଟଣା ଅନୁଧ୍ୟାନ କରିବାପରେ ଆବଶ୍ୟକୀୟ ଆଇନ ସହାୟତା ପାଇଁ ପରାମର୍ଶ ଦିଅନ୍ତି । ଆବଶ୍ୟକସ୍ଥଳେ ସାଙ୍ଗରେ ନେଇ ଆଇନ ସହାୟତା କେନ୍ଦ୍ରରେ ପହଁଚି ଯାଆନ୍ତି । କିନ୍ତୁ ଏଇ ଦୁଇବର୍ଷ ଭିତରେ ଅନେକ ଭାଙ୍ଗିଯାଇଥିବା ଘର ଯୋଡିବାରେ ସଫଳ ହୋଇଛନ୍ତି ସେ । ପାରିବାରିକ କଳହର ସମାଧାନ କରି ଅନେକ ସ୍ୱାମୀ-ସ୍ତ୍ରୀଙ୍କର ପୁର୍ନମିଳନ କରିଛନ୍ତି । ବୁଝାମଣାର ଅଭାବ ଓ ଛୋଟଛୋଟ ମାନ ଅଭିମାନରୁ ଭାଙ୍ଗି ଯାଇଥିବା ଘର ଓ ପରିବାରକୁ ପୁଣି ଥରେ ସଜାଡି ଦେବାର ମନ୍ତ୍ର ସତେ ଯେମିତି ସସ୍ମିତାଙ୍କୁ ହିଁ ଜଣା ।

ବିଶେଷ କରି ଗ୍ରାମାଚଂଳର ମହିଳାମାନଙ୍କ ପାଖରେ ଆଇନ ସହାୟତା ପହଁଚାଇବାରେ ସସ୍ମିତା ଦେବଦୂତ ସାଜିଛନ୍ତି । ଉଭୟ ପକ୍ଷଙ୍କୁ ଶୁଣିବା, ଉଭୟ ପକ୍ଷଙ୍କୁ ବୁଝିବା, ଉଭୟଙ୍କ ସମସ୍ୟାର ସମାଧାନ ବାଟ ବାହାର କରିବା ତାଙ୍କର ନିତିଦିନିଆ କାମ । ତେବେ ନିଜକୁ କେବଳ ଆଇନ ସହାୟତା ପ୍ରଦାନ ଭିତରେ ସୀମିତ ରଖି ନାହାନ୍ତି ସେ । ବରଂ ଗ୍ରାମାଚଂଳର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ସସ୍ମିତାଙ୍କ ଅବଦାନ ଅବିସ୍ମରଣୀୟ । ଉପଯୁକ୍ତ ମାର୍ଗ ଦର୍ଶନ କରାଇ ମହିଳାମାନଙ୍କୁ ରୋଜଗାରକ୍ଷମ କରି ପାରିଛନ୍ତି ସେ । ଏହି କାମରେ ସ୍ୱାମୀ ଅକ୍ଷୟ କୁମାର ବେହେରା ତାଙ୍କୁ ସାହାଯ୍ୟ ଓ ସମର୍ଥନ ମଧ୍ୟ କରନ୍ତି । ସ୍ୱାମୀ ଏବଂ ଦୁଇ ଝିଅଙ୍କ ସହଯୋଗ ଓ ପ୍ରେରଣା ତାଙ୍କୁ ନିଜ ଲକ୍ଷ୍ୟପଥରେ ଅଗ୍ରସର ହେବା ପାଇଁ ବେଶ୍ ସହାୟକ ହୋଇଛି ବୋଲି ସେ କହନ୍ତି । ଛାତ୍ରୀ ଜୀବନରୁ ସମାଜସେବା ପ୍ରତି ଥିବା ଆଗ୍ରହ ତାଙ୍କୁ ଏହ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ବେଶ୍ ସହାୟକ ହୋଇଛି । ଜଣେ ସ୍ୱେଛାସେବୀ ଭାବରେ ସେ ଯେତିକି ଗର୍ବ ଅନୁଭବ କରନ୍ତି ତାଠୁ କେତେଗୁଣ ଅଧିକ ଖୁସି ହୁଅନ୍ତି କେଉଁ ଅସହାୟ ମୁହଁରେ ହସଟିକେ ଦେଖିଲେ । ତାହା ତାଙ୍କୁ ଆଣି ଦେଇଥାଏ ଅସରନ୍ତି ଆତ୍ମତୃପ୍ତି । ସସ୍ମିତାଙ୍କ ମତରେ, ‘ସମାଜର ତଳ ସ୍ତରର ଲୋକମାନେ ହିଁ ଦେଶର ଅସଲ ଶକ୍ତି । ଦେଶ ଓ ସମାଜ ଗଠନରେ ସେହି ବଂଚିତ ଗୋଷ୍ଠୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ଜୀବନଧାରଣ ମାନ ବୃଦ୍ଧି କରିବା ସହିତ ସେମାନଙ୍କୁ ସମାଜର ମୁଖ୍ୟଶ୍ରୋତରେ ସାମିଲ କରିପାରିଲେ ଦେଶର ବିକାଶ ସମ୍ଭବ ହୋଇ ପାରିବ’ । ନିଜ କର୍ମଦକ୍ଷତା ଓ ନିଷ୍ଠା ଯୋଗୁଁ ସସ୍ମିତା ୟା ଭିତରେ ଅନେକ ରାଜ୍ୟସ୍ତରୀୟ କର୍ମଶାଳା ଓ ଟିଭି ସୋ’ରେ ସଫତଳା ପୂର୍ବକ ଅଂଶଗ୍ରହଣ କରି ସାରିଛନ୍ତି । ବଂଚିତ ଗୋଷ୍ଠୀଙ୍କ ପାଖରେ ଆଇନସହାୟତା ପହଁଚାଇବା ସସ୍ମିତାଙ୍କ ଜୀବନର ଏକମାତ୍ର ତଥା ଅନ୍ତିମ ଲକ୍ଷ୍ୟ ।
(ମାତୃଦତ୍ତ ମହାନ୍ତି, କେନ୍ଦ୍ରାପଡା)