କରୋନା ଏବଂ ଘରୋଇ ହିଂସା…

କରୋନା ମହାମାରୀ ସାରା ବିଶ୍ୱରେ ଭୟ ଓ ମୃତ୍ୟୁର ଆତଙ୍କ ସୃଷ୍ଟି କରିଛି । ଏହା କେବଳ ଜନ ମାନସରେ ଆତଙ୍କ ସଞ୍ଚାର କରିନି ଏହାର କୁପ୍ରଭାବ ସାମ୍ପ୍ରତିକ ସାମାଜିକ ଚଳନି, ଆର୍ଥିକ, ବ୍ୟକ୍ତିଗତ ଏବଂ ସାଧାରଣ ଜୀବନଧାରାକୁ ସମ୍ପୁର୍ଣ୍ଣ ରୁପରେ ପ୍ରଭାବିତ କରିଛି । ବିଭିନ୍ନ ବ୍ୟକ୍ତିଗତ ସମାସ୍ୟା ସହ ସମାଜିକ ଅପରାଧ ଯଥା ଚୋରି, ଡକେଇତି, କଳାବଜାରୀ ଓ ହିଂସାକାଣ୍ଡ ମାନ ଘଟୁଛି , ତାହାମଧ୍ୟରୁ ଘରୋଇ ହିଂସା ଏକ ଗରୁତ୍ତର ସମସ୍ୟା ଭାବେ ମୁଣ୍ଡ ଟେକିଛି । ସାମ୍ପ୍ରତିକ ପରିସ୍ଥିତିରେ ଘରୋଇ ହିଂସାର ଆଶାତୀତ ବୃଦ୍ଧି ନିଶ୍ଚିତ ରୂପେ ପାରିବାରିକଏବଂ ସାମାଜିକ ବ୍ୟବସ୍ଥା ପାଇଁ ଏକ ଚିନ୍ତାର କାରଣ । ବିଶିଷ୍ଟ ନାରୀନେତ୍ରୀ,ସମାଜ ସେବୀ, ଓକିଲ ଏବଂ ନାରୀ ମଞ୍ଚର ଅଧ୍ୟକ୍ଷା ମଧୁମିତା ରଥଙ୍କ ସହ ଏକ ସାକ୍ଷାତକାରରେ ଘରୋଇ ହିଂସା ଉପରେ ବିଶେଷ ଆଲୋଚନା :

କରୋନାର ଏହି ଜରୁରୀକଳୀନ ପରିସ୍ଥିତି ଏବଂ ଲକଡାଉନ ଯୋଗୁଁ ଅର୍ଥନୈତିକ, ସାମାଜିକ ଏବଂ ନୈତିକ ସ୍ତରରେ ଅନେକ ବିଶୃଙ୍ଖଳା ଦେଖାଦେଇଛି । ଲୋକମାନଙ୍କ ଆର୍ଥିକ ପରିସ୍ଥିତି ଶୋଚନୀୟ ହୋଇପଡିଛି । ଖଟିଖିଆ, ଛୋଟବେପାରି, ଏବଂ ବିଭିନ୍ନ ସଂସ୍ଥା ମାନଙ୍କରେ କାମ କରୁଥିବା ଲୋକମାନଙ୍କ ଛଟେଇ ହେବା ଯୋଗୁଁ ଘର ଚଳେଇବା ଅସମ୍ଭବ ବେପାର ହୋଇଯାଇଛି । ତଳ ବର୍ଗର ଲୋକମାନଙ୍କୁ ବିପିଏଲ ସରକାରୀ ସହାୟତା ମିଳୁଥିବାବେଳେ ଉପର ବର୍ଗର ଲୋକଙ୍କ ପାଖରେ ପର୍ଯ୍ୟପ୍ତ ସଞ୍ଚିତ ଧନ ଯୋଗୁଁ ସେମାନଙ୍କ ଉପରେ ପ୍ରଭାବ କମ୍ ଥିବା ବେଳେ ମଧ୍ୟବିତ ବର୍ଗ ସବୁଠାରୁ ଅଧିଳ ହନ୍ତସନ୍ତ ହେଉଛନ୍ତି । ଘରୋଇ ହିଂସା ଯେ କେବଳ ପତି ପତ୍ନିଙ୍କ ମଧ୍ୟରେ ମନ ମାଳିନ୍ୟ ନୁହଁ , ଆର୍ଥିକ ପରିସ୍ଥିତି ଏହାର ବଡ କାରଣ । ଏହାର ସିଧାସଳଖ ପ୍ରଭାବ ପରିବାରର ସ୍ଥିତି ଏବଂ ପତି ପତ୍ନି ସମ୍ପର୍କ ଉପରେ ପଡୁଛି ଯାହାଦ୍ୱାରା ଏହାର ଶୀକାର ହେଉଛନ୍ତି ମହିଳା ମାନେ । ଘରର ଆବଶ୍ୟକତା ପୁରଣ ନକରିବାରେ ନିଜର ଅକ୍ଷମତାକୁ ଘୋଡେଇବାକୁ ଯାଇ ନିଜ ପତ୍ନିକୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟତନା ଦେବାରେ ପଛାଉନାହାନ୍ତି ।

ଦ୍ଵିତୀୟ ରେ ଯେଉଁମାନେ ଅଭ୍ୟାସଗତ ମଦୁଆ ଲକଡାଉନ ଏବଂ ଅର୍ଥ ଅଭାବ ଯୋଗୁଁ ମଦ ଅଭାବରେ ଛଟପଟ ହୋଇ ଘରେ ଆସି ମାରପିଟ କରିବା ସହ ସୁନା ହାର ଛଡେଇ ନେବା, ଘରର ସାମାନ ବିକ୍ରି କରିବା ଆଦି ଘରୋଇ ହିଂସା ମାନଙ୍କରେ ଲିପ୍ତ ରହୁଛନ୍ତି । ତୃତୀୟତଃ କରୋନା ଯୋଗୁଁ ସରକରଙ୍କ ଦ୍ୱାରା ଲାଗୁ ( ସି ଆର ପିସି) ଏକଚାଳିଶ ଧାରା ଅନୁଯାୟୀ ସମସ୍ଥ ନୁଆ ଅଭିଯୋଗ ଏହି ନିୟମ ଅର୍ନ୍ତଗତ ରୁଜୁ କରାଯିବ ଯାହାଦ୍ୱାରା କୌଣସି ଅପରାଧିଙ୍କୁ ହାଜତରେ ରଖାଯାଇପାରିବ ନାହିଁ । ଏହାର ସୁଜୋଗ ନେଇ ଅପରାଧିକ ମାନସିକତା ଥିବା ବ୍ୟକ୍ତି ଏବଂ ପୂର୍ବରୁ ଏହି ମାମଲାରେ ଜଡିତ ଥିବା ବ୍ୟକ୍ତି ଏହାର ସୁଯୋଗ ନେଇ ଘରୋଇ ହିଂସମାନା ଘଟାଉଛନ୍ତି । କରୋନା କାଳରେ ଘରୋଇ ହିଂସା ସମସ୍ତ ସ୍ତରକୁ ଛୁଇଁଛି । ଓଡିଆ ଚଳଚ୍ଚିତ୍ର ଏବଂ ଏମ ପି ଅନୁଭବଙ୍କ ଉପରେ ତାଙ୍କ ପତ୍ନି ଅଭିନେତ୍ରୀ ବର୍ଷାଙ୍କ ଘରୋଇ ହିଂସାର ଅଭିଯୋଗ ବହୁ ଚର୍ଚ୍ଚିାର ବିଷୟ ପାଲଟି ଥିବା ବେଳେ ଏହିମଧ୍ୟରେ ପୁଲିସ ହାବିଲଦାରଙ୍କ ଘରେ ଘଟିଥିବା ଘୋରଇ ହିଂସା ଜନିତ ହତ୍ୟାକାଣ୍ଡ ସର୍ବସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ହାବିଲଦାରଙ୍କ ପୁତ୍ର ଛଅମାସ ତଳେ ବାହା ହୋଇଥିବା ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ଅଭିଯୁକ୍ତ ହୋଇଛନ୍ତି । ଏହିପରି ଅନେକ ହିଂସା ହତ୍ୟାକାଣ୍ଡ ପ୍ରତ୍ୟହ ସମ୍ବାଦ ପତ୍ରରେ ଆସିବା ନିଶ୍ଚିତ ରୁପେ ଚିନ୍ତାର ବିଷୟ ।
ସବୁଠାରୁ ବଡ ସମସ୍ୟା ହେଲା ଏହି କରୋନା ସମୟରେ ଯଦି କୌଣସି ଅଭିଯୋଗକାରୀ ଥାନାକୁ ଅଭିଯୋଗ ନେଇ ଯାଉଛି କରୋନା ଯୋଗୁଁ ବାହାରୁ ଅଭିଯୋଗ କରି ଫେରିବାକୁ ପଡୁଛି । ପୂର୍ବରୁ ହେଉଥିବା ଦୁଇ ପକ୍ଷକୁ ବସାଇ ବୁଝାବଣା କରିବା ସମ୍ଭବପର ହେଉନାହିଁ । କରୋନା ମହାମାରିରେ କେବଳ ଭୁବନେଶ୍ୱରରେ ହଜାରରୁ ଅଧିକ ପୁଲିସ ଆକ୍ରାନ୍ତ ହୋଇ ପଡିଛନ୍ତି ତା ସହ ବଡ ବଡ ପୁଲିସ ଅଧିକାରୀ ମଧ୍ୟ ଏହାର ଶୀକାର ହୋଇଛନ୍ତି ଯାହା ଫଳରେ ଅଭିଯୋଗ ଗୁଡିକ ଉପରେ ଠିକ ଭାବରେ କାର୍ଯକାରୀ ହୋଇପାରୁ ନାହିଁ କିମ୍ବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାରୁ ନାହିଁ ତେଣୁ ନ୍ୟାୟ ଦେବାରେ ବିଫଳ ହେଉଛନ୍ତି । ଥାନା ଗୁଡିକରେ ପୁଲିସ କର୍ମଚାରୀଙ୍କ ଅନୁପସ୍ଥିତି ପୀଡିତା ମାନଙ୍କ ପାଇଁ ଘୋର ସଙ୍କଟ ସୃଷ୍ଟି କରିଛି । ଏହି ଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ଖାଲି ପଡୁଥିବା ଥାନା ଗୁଡିକରେ ଅନ୍ୟ ଥାନାରୁ କର୍ମଚାରୀ ଆଣି ପୂରଣ କରିବା ଅତ୍ୟନ୍ତ ଆବଶ୍ୟକ । ମହିଳା ମାନଙ୍କ ପାଇଁ ଉଦ୍ଧିଷ୍ଟ ସରକାର ଏବଂ ପୋଲିସ ପ୍ରଶାସନ ତରଫରୁ ଯେଉଁ ସେବା ଗୁଡିକ ଉପଲବ୍ଧ କରାଯାଇଛି,ଏହି ସଙ୍କଟ ସମୟରେ ଠିକ୍ ଭାବରେ ପରିଚାଳନା କରିବା ସହ ସରକାରୀ ଏବଂ ପୋଲିସ ପ୍ରଶାସନ ଆଗେଇ ଆସି ଜନ ସାଧାରଣଙ୍କୁ ଆଶ୍ୱାସନା ଦେବା ଆବଶ୍ୟକ । ବର୍ତ୍ତମାନ ଯେଉଁ ଭାବରେ କରୋନା ଅଣାୟତ୍ତ ହୋଇ ଚାଲିଳାଣି ଆଗକୁ ପରିସ୍ଥିତି ଆହୁରି ଗୁରୁତର ହୋଇପାରେ ତେଣୁ ସମୟ ଥାଉ ଥାଉ ପଦକ୍ଷେପ ନିଆଯାଉ ।

ଅନୁରାଧା ଦାଶ।