ବିଶ୍ରାମ ନେବା ବୟସରେ ପରିବାର ପୋଶୁଛନ୍ତି ସେ । ନିଜେ ଖଟି ଅର୍ଥ ରୋଜଗାର କରୁଛନ୍ତି । ତାଙ୍କରି ରୋଜଗାର ଉପରେ ନିର୍ଭର କରୁଛନ୍ତି ୭ ପ୍ରାଣୀ କୁଟୁମ୍ବ । ନିଜର ଦୁଃସମୟରେ ଭାଙ୍ଗି ନପଡି ପରିସ୍ଥିତିର ମୁକାବିଲା କରିଥିବା ଏହି ସାହସୀ ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡାର କୁନି ଦାସ । ବୟସ ୭୦ । କେନ୍ଦ୍ରାପଡା ପୁରୁଣା ମଟର ଷ୍ଟାଣ୍ଡଠାେରେ ଥିବା “ସୁଦା ଭାଇ ହୋଟେଲ” ର ସେ ହେଉଛନ୍ତି ମାଲିକ । ତେବେ ସମୟ ଅତିବାହିତ କରିବା ପାଇଁ କିମ୍ବା ସଉକରେ ସେ ଏହି ହୋଟେଲ ଚଳାଉ ନାହାନ୍ତି ବରଂ ପରିସ୍ଥିତିରେ ପଡି ହୋଟେଲ ବ୍ୟବସାୟକୁ ଆପେଣଇ ନେଇଛନ୍ତି କୁନି । କୁନିଙ୍କର ସ୍ୱାମୀ ଏହି ହୋଟେଲ ଆରମ୍ଭ କରିଥିଲେ । ତାଙ୍କ ପରଲୋକ ପରେ ଏକମାତ୍ର ପୁଅ କୃଷ୍ଣ ଏହି ହୋଟେଲ ବ୍ୟବସାୟ ଚଳାଇଥିଲେ । ୨୦୧୮ ମସିହାରେ ଏକ ସଡକ ଦୁର୍ଘଟଣାରେ କୃଷ୍ଣଙ୍କର ମୃତ୍ୟୁ ହୋଇ ଯାଇଥିଲା । କୃଷ୍ଣ ପଛରେ ଛାଡି ଯାଇଥିଲେ ନିଜ ପତ୍ନୀ, ୩ ଝିଅ ଓ ଗୋଟି ପୁଅକୁ । ପୁଅର ମୃତ୍ୟୁ ପରେ ଭାଙ୍ଗି ପଡିଲେ କୁନି । କୃଷ୍ଣଙ୍କ ସ୍ତ୍ରୀ ପିଲା ଏବଂ ନିଜର ଏକ ଦିବ୍ୟାଙ୍ଗ ଝିଅ ମୁହଁରେ ଦାନା ମୁଠେ ଦେବା ମୁସ୍କିଲ ହୋଇ ପଡିଲା । ପର ପାଖରେ ହାତ ପତେଇବା ଅପେକ୍ଷା ସ୍ୱାଭିମାନର ସହ ଅର୍ଥ ଉପାର୍ଜନ କରିବା ପାଇଁ ମନେ ମନେ ସ୍ଥିର କଲେ ସେ । ପୁଅର ହୋଟେଲକୁ ଚଳାଇବା ପାଇଁ ମନସ୍ତ କରି ଘରୁ ଗୋଡ କାଢିଲେ କୁନି । ପ୍ରଥମେ ପ୍ରଥମେ ବେଶ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । ନିଜକୁ ସବୁ କାମ କରିବା ପାଇଁ ପଡୁଥିଲା । ଧିରେ ଧିରେ ନିଜକୁ ବ୍ୟବସାୟ ସହ ଖାପଖୁଆଇ ନେଲେ ସେ । ଏବେ ସବୁ ଠିକଠାକ ଚାଲିଛି ।
ରାତି ପାହିଲେ କୁନି ହୋଟେଲ ଖୋଲନ୍ତି । ନିଜେ ବଜାର ଯାଇ ରୋଷେଇ ସାମଗ୍ରୀ ଓ ମାଛ ମାସଂ କିଣି ଆଣନ୍ତି । ନିଜେ ପରିବା କାଟି ମସଲା ବାଟି ରଖନ୍ତି । ରୋଷେୟା ଆସି ରୋଷେଇ କରିଦେଇ ଯାଏ । କୁନି ଗ୍ରାହକମାନଙ୍କୁ ଖାଦ୍ୟ ପରସନ୍ତି । କମ୍ ଟଙ୍କାରେ ସୁସ୍ୱାଦୁ ଖାଦ୍ୟ ପରସୁ ଥିବାରୁ କୁନିଙ୍କ ହୋଟେଲ ରେ ଗ୍ରାହକଙ୍କ ଭିଡ ଜମେ । ଭାତ ସହିତ ଡାଲି, ତରକାରୀ, ସାଗ ଭଜା, ଆଳୁ ଭର୍ତା, ଚଟଣି, ବଡିଚୁରା, ମାଛ ଓ କୁକୁଡା ମାଂସ ତରକାରୀ ଗ୍ରାହଙ୍କ ପାଇଁ ନିଇତି ପ୍ରସ୍ତୁତ ହୁଏ । କୁନି କେବଳ ଖାଇବା ପରସି ଦିଅନ୍ତି ନାହିଁ ବରଂ ଖାଇବା ଥାଳିରେ ପରସି ଦିଅନ୍ତି ସ୍ନେହ ଆଦର ଆଉ ଭଲ ପାଇବା । ସେଇଥି ପାଇଁ ତ ଦୂରଦୂରାନ୍ତରୁ କେନ୍ଦ୍ରାପଡା ସହରକୁ କୌଣସି କାମରେ ଆସୁଥିବା ଲୋକେ କୁନି ଅପାଙ୍କ ହୋଟେଲରେ ପେଟଭରି ଖାଆନ୍ତି । କୁନି ଅପାଙ୍କ ହାତ ପରସା ଖାଇଲେ ମନ ବି ବୁଝି ଯାଏ । ଏହି ହୋଟେଲ ରୁ ଯାହା ରୋଜଗାର ହୁଏ ସେଥିରେ ୭ ପ୍ରାଣୀ କୁଟୁମ୍ବ କଷ୍ଟେମଷ୍ଟେ ଚଳି ଯାଆନ୍ତି । ହୋଟେଲ ରୁ ହେଉଥିବା ରୋଜଗାରରୁ ନାତି ନାତୁଣିଙ୍କ ପାଠ ପଢା ଏବଂ ନିଜର ଦିବ୍ୟାଙ୍ଗ ଝିଅର ଚିକିତ୍ସା ଖର୍ଚ ମଧ୍ୟ ତୁଲାଇବାକୁ ପଡେ । ଜୀବନର ଅପରାହ୍ନରେ ଦଇବ ଦେଇଥିବା ଦୁଃଖରେ ଭାଙ୍ଗି ନପଡି ଏକାକି ପରିସ୍ଥିତି ସହ ଲଢିଥିବା ଏହି ମହିଳା ନାରୀ ଶସକ୍ତିକରଣ ର ଏକ ଜ୍ୱଳନ୍ତ ଉଦାହରଣ ପାଲଟି ଯାଇଛନ୍ତି । ଦୁଃଖ ଦୁର୍ଭାଗ୍ୟକୁ ନିଜର ଭାଗ୍ୟ ବୋଲି ମନେ କରି ପହଇ ରହୁଥିବା ମହିଳାଙ୍କ ପାଇଁ କୁନି ଏକ ଆଦର୍ଶ କହିଲେ ଅତ୍ୟୁକ୍ତି ହେବ ନାହିଁ ।
-ମାତୃଦତ୍ତ ମହାନ୍ତି, କେନ୍ଦ୍ରାପଡା