କରୋନା କଟକଣା ଯୋଗୁଁ ଶିକ୍ଷା ଅନୁଷ୍ଠାନ ଗୁଡିକ ମାର୍ଚ୍ଚ ମାସରୁ ବନ୍ଦ ଅଛି l ଆଗକୁ କେବେ ବିଦ୍ୟାଳୟ, କଲେଜ ଖୋଲିବ ଏବଂ ପୁଣିଥରେ ସାଧାରଣ ଭାବରେ ବିଦ୍ୟାଗ୍ରହଣ ସମ୍ଭବ ହୋଇପାରିବ ତାହା ଏବେ ପ୍ରଶ୍ନବାଚୀ ସାଜିଛି l ରାଜ୍ୟ ସରକାର ପିଲାମାନଙ୍କ ପାଠପଢ଼ାରେ ବାଧା ସୃଷ୍ଟି ନ ହେବ ବୋଲି ଅନଲାଇନ ଶିକ୍ଷା ବ୍ୟବସ୍ଥା ଆରମ୍ଭ କଲେ l ଦୀର୍ଘ ୬ – ୭ ମାସ ଅନଲାଇନ ଶିକ୍ଷା ହେବା ପରେ ଏବେ ସମୟ ଆସିଯାଇଛି ଅନଲାଇନ ପରୀକ୍ଷାର l କେବଳ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଯେ ଏ ବିଷୟ ନେଇ ଚିନ୍ତିତ ତା ନୁହେଁ ବରଂ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଏହି ପରୀକ୍ଷା କେତେଦୂର ଫଳପ୍ରଦ ହେବ ସେ ବିଷୟରେ ସନ୍ଦିହାନ ହୋଇ ଉଠିଛନ୍ତି l
ପୂର୍ବେ ପରୀକ୍ଷା ପାଇଁ ସମସ୍ତ ପରୀକ୍ଷାର୍ଥୀ ଗୋଟିଏ ସମୟରେ ନିର୍ଦ୍ଧିଷ୍ଟ ସ୍ଥାନରେ ଏକତ୍ରିତ ହୋଇ ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ପରୀକ୍ଷା ଦେଉଥିଲେ l ମାତ୍ର ବର୍ତ୍ତମାନ ସଂକ୍ରମଣ ରୋକିବା ପାଇଁ କଟକଣା ଓ ସାମାଜିକ ଦୂରତା ଏକାନ୍ତ ଆବଶ୍ୟକ l ତେଣୁ ଅନଲାଇନ ପରୀକ୍ଷା ହିଁ ଏକମାତ୍ର ବିକଳ୍ପ ବ୍ୟବସ୍ଥା ବୋଲି କହିପାରିବା l ଏହାର ସକାରାତ୍ମକ ଦିଗ ପ୍ରତି ଦୃଷ୍ଟି ଦେଲେ, ଏହା ପାଇଁ କୌଣସି ନିର୍ଦ୍ଧିଷ୍ଟ ସ୍ଥାନର ଆବଶ୍ୟକତା ନ ଥାଏ l ଏହା ଉଭୟ ବିଦ୍ୟାର୍ଥୀ ଏବଂ ଶିକ୍ଷକମାନଙ୍କ ସମୟ ଏବଂ ଅର୍ଥ ସଞ୍ଚୟ କରିବାରେ ସହାୟକ ହୋଇଛି l କିନ୍ତୁ ଅନ୍ୟ ପକ୍ଷେ ଏହାର ସବୁଠାରୁ ବଡ଼ ନକାରାତ୍ମକ ଦିଗ ହେଉଛି ଏହା କେତେଦୂର ବିଶ୍ୱାସଯୋଗ୍ୟ?

ତେବେ ଅନଲାଇନ ପରୀକ୍ଷାର ଉପକାରିତା ଉପରେ ଟିକେ ନଜର ପକେଇବା :-
▪️ଅନଲାଇନ ପରୀକ୍ଷାରେ ପ୍ରଶ୍ନପତ୍ର ତିଆରି କରିବାର ଆବଶ୍ୟକତା ନ ଥାଏ, ତେଣୁ ପ୍ରଶ୍ନପତ୍ର ତିଆରି ପାଇଁ ଦରକାର ହେଉଥିବା କାଗଜ ଖର୍ଚ୍ଚ ହୁଏନାହିଁ l କାଗଜ ବ୍ୟବହାର ନ ହେଲେ ଗଛ କଟାହେବାର ହାର ମଧ୍ଯ କ୍ରମଶଃ ହ୍ରାସ ପାଇବ l
▪️ପରୀକ୍ଷା ପରିଚାଳନା ଜନିତ ସମୟ ଅପଚୟକୁ ରୋକିପାରେ ଏହି ପରୀକ୍ଷା ବ୍ୟବସ୍ଥା l କେବଳ ହାତପାହନ୍ତାରେ ଥିବା କେତୋଟି ସ୍ୱିଚ ଟିପି ଯେ ଯାହା ସ୍ଥାନରେ ରହି ପରୀକ୍ଷା ଦେବା ସମ୍ଭବ ହେଉଛି l ପ୍ରଶ୍ନପତ୍ର ବାଣ୍ଟିବା, ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ସମ୍ବନ୍ଧୀୟ ବିବରଣୀ ଦେବା ଏବଂ ଶେଷରେ ଉତ୍ତର ଖାତା ସଂଗ୍ରହ କରିବାରେ ବହୁତ ସମୟ ଲାଗିଥାଏ, ଯାହା ଅନଲାଇନ ପରୀକ୍ଷାରେ କମ୍ପୁଟର / ଲାପଟପ ରେ ଅତିଶୀଘ୍ର ଏବଂ ନିର୍ଭୁଲ ଭାବରେ ହୋଇପାରେ l ଏହା ସହିତ ପରୀକ୍ଷାଫଳ ମଧ୍ୟ ଶୀଘ୍ର ପ୍ରକାଶ କରାଯାଇଥାଏ l
▪️ଦୂରଦୂରାନ୍ତରୁ ପରୀକ୍ଷାର୍ଥୀ ପରୀକ୍ଷାକେନ୍ଦ୍ର କୁ ଆସିବା ଖର୍ଚ୍ଚରୁ ବଞ୍ଚିତ ହୁଅନ୍ତି l ପରିବହନ ଓ ଯାତାୟାତ ଜନିତ ହଇରାଣ ହେଉଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ବ୍ୟବସ୍ଥା ଦ୍ୱାରା ଉପକୃତ ହୋଇପାରିବେ l ପିଲାମାନେ ନିଜ ବ୍ୟକ୍ତିଗତ କମ୍ପୁଟର / ଲାପଟପ / ମୋବାଇଲ ରୁ ପରୀକ୍ଷା ଦେବାକୁ ସକ୍ଷମ ହେଉଥିବାରୁ କୌଣସି ହଲ କିମ୍ବା ସେମାନଙ୍କୁ ଜଗିବା ପାଇଁ କୌଣସି ନିରୀକ୍ଷକଙ୍କ ଆବଶ୍ୟକତା ନ ଥିବାରୁ ଏସବୁ ପାଇଁ ହଉଥିବା ଖର୍ଚ୍ଚ ମଧ୍ୟ ହୁଏନାହିଁ l
ଏବେ ଧ୍ୟାନ ଦେବା ଅନଲାଇନ ପରୀକ୍ଷାର ଅପକାରିତା ବିଷୟରେ :-
▪️ପରୀକ୍ଷାର୍ଥୀଙ୍କ ବ୍ୟକ୍ତିଗତ ଉପକରଣରେ ପରୀକ୍ଷା ହେଉଥିବାରୁ ପରୀକ୍ଷାବେଳେ କେହି ତାଙ୍କୁ ଜଗିବାକୁ ନ ଥାନ୍ତି, ତେଣୁ ସେମାନେ ନକଲ କରି ଉତ୍ତର ଲେଖିବାର ସମ୍ଭାବନା କୁ ମଧ୍ଯ ଏଡାଇ ଦିଆଯାଇପାରିବ ନାହିଁ l ପ୍ରଶ୍ନପତ୍ର ଦେଖିଲାପରେ ସେମାନେ କୌଣସି ବହି କିମ୍ବା ୱେବ୍ସାଇଟରୁ ଖୋଜି ଉତ୍ତର ପାଇଯିବାର ସମ୍ଭାବନା ରହିଛି l
▪️ବସ୍ତୁନିଷ୍ଟ ଏବଂ କ୍ଷୁଦ୍ର ଉତ୍ତର ମୂଳକ ପ୍ରଶ୍ନର ଉତ୍ତର ଦେବା ସମ୍ଭବ କିନ୍ତୁ ଦୀର୍ଘଉତ୍ତର ମୂଳକ ପ୍ରଶ୍ନ ମୂଲ୍ୟାୟନ ପାଇଁ ପରୀକ୍ଷକ ହିଁ ସର୍ବୋତ୍ତମ l କାରଣ ପ୍ରତ୍ୟେକ ପିଲାର ଉତ୍ତର ଭିନ୍ନ, ଯାହାକୁ ମୂଲ୍ୟାୟନ କରିବା କମ୍ପୁଟର ଭଳି ଏକ ଯନ୍ତ୍ରର ଦକ୍ଷତାର ଅନ୍ତର୍ଭୁକ୍ତ ନୁହେଁ l କେବଳ ପର୍ଯ୍ୟାୟଭୁକ୍ତ / ସୋପାନ ( grade ) ବ୍ୟବସ୍ଥାରେ ମୂଲ୍ୟାୟନ କରିପାରିବା ହିଁ ଏହି ପରୀକ୍ଷାର ସବୁଠାରୁ ବଡ଼ ଦୋଷ l
▪️ସର୍ବୋପରି ଅନଲାଇନ ପରୀକ୍ଷାର ବିଶ୍ୱସନୀୟତା ସନ୍ଦେହଜନକ କାରଣ ଠକାମି ଏବଂ ନକଲ କରି ଅସତ ଉପାୟରେ ଉତ୍ତର ଲେଖୁଥିବା ପରୀକ୍ଷାର୍ଥୀ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ l
ଏହି ପରୀକ୍ଷା ବ୍ୟବସ୍ଥାର ଯେତେ ଭଲଗୁଣ ଥିଲେ ମଧ୍ୟ ଏହାର ଗୋଟିଏ ଅଵଗୁଣ ଯୋଗୁଁ ଏହାର ମାନ ତଳକୁ ଚାଲିଯିବାର ଆଶଙ୍କା ରହିଛି l ଯେଉଁଠି ଅସତ ଉପାୟର ସାହାଯ୍ୟ ନିଆଯାଉଛି, ସେଇଠି ପରୀକ୍ଷା ଦେବାର କି କରିବାର ଆଉ କିଛି ମୂଲ୍ୟ ହିଁ ରହିଯାଉନି l ଅବଶ୍ୟ ଏହିସବୁ ଅସୁବିଧା କୁ ଦୂର କରିବା ପାଇଁ କିଛି ପଦକ୍ଷେପ ନିଆଯାଇ ପାରିବ l ଯେପରିକି ପ୍ରଶ୍ନପତ୍ର ପ୍ରସ୍ତୁତି ସମୟରେ ନଜର ଦେବାକୁ ହେବ ଯେ, ପିଲାମାନେ ଯେପରି କୌଣସି ବହି କିମ୍ବା ୱେବ୍ସାଇଟରୁ ଉତ୍ତର ସଂଗ୍ରହ କରିବାକୁ ସମୟ ହିଁ ପାଇବେ ନାହିଁ l ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ନ ଦେଲେ ସେ ଉତ୍ତର ଗ୍ରହଣ କରା ନ ଗଲେ ପରୀକ୍ଷାର୍ଥୀମାନେ ଏଭଳି ଠକାମିରୁ ବିରତ ହେବେ l ପ୍ରତିପ୍ରଶ୍ନ ପାଇଁ ଟାଇମର ର ବ୍ୟବସ୍ଥା ରହିଲେ, ପିଲାମାନେ ନିଜେ ଉତ୍ତର ଦେବାକୁ ବାଧ୍ୟ ହେବେ, କାରଣ ଉତ୍ତର ଖୋଜି ଲେଖିବା, ନିଜ ମନରୁ ଭାବି ଉତ୍ତର ଲେଖିବା ଠାରୁ ସମୟ ସାପେକ୍ଷ l
ତେବେ ଲକଡାଉନ ରେ ଆଦୌ ପରୀକ୍ଷା ନ ହେବାଠାରୁ ଅନଲାଇନ ପରୀକ୍ଷାର ବିକଳ୍ପ କୁ ଆପଣେଇନେବା ହିଁ ବୁଦ୍ଧିମତାର ପରିଚୟ l

?ଶ୍ରୁତକୀର୍ତ୍ତି ତ୍ରିପାଠୀ ?
ଫୋନ – 6370516478