ସମ୍ବଲପୁରୀ ଶାଢୀର କାହାଣୀ

ସମଗ୍ର ବିଶ୍ବରେ ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ପରିଚୟ ଦେଇଛି ସମ୍ବଲପୁରୀ ଶାଢୀ । ଏହି କପଡାରେ ଆମର କଳା ସଂସ୍କୃତି,ପରମ୍ପରା ଆଦିର ଖୁବ ସୁନ୍ଦର କଳା ନିଦର୍ଶନ ଦେଖିବାକୁ ମିଳେ । ଏହା ଏକ ପାରମ୍ପାରିକ ହାତବନ୍ଧା ଶାଢୀ । ଏହାକୁ ଭୁଲିଆ ସମ୍ପ୍ରଦାୟର ଲୋକେ ନିଜ ହାତରେ ତିଆରି କରିଥାନ୍ତି । ଏହା ମୁଖ୍ୟତଃ ବରଗଡ,ଅତାବୀରା,ବରପାଲି, ଭେଡେନ,ବିଜେପୁର, ପଦ୍ମପୁର,ସୋନପୁର,ବଲାଙ୍ଗୀର ,ବୌଦ୍ଧ,ସମ୍ବଲପୁର,ସୋହେଲା ଏହି ଜାଗାରେ ତିଆରି ହୋଇଥାଏ । ଏହା ସ୍ତ୍ରୀ ମାନଙ୍କର ଏକ ପାରମ୍ପାରିକ ଲୁଗା ଭାବରେ ଆମ ଦେଶରେ ବିଖ୍ୟାତ । ଏବଂ ଏହାର ଚାହିଦା ଦେଶ ଏବଂ ଦେଶ ବାହାରେ ରହିଛି । ଏହି ସମ୍ବଲପୁରୀ ଶାଡି କୁ ସ୍ୱର୍ଗତଃ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପିନ୍ଧିବା ଆରମ୍ଭ କରିଥିଲେ ।୧୯୮୦ ରୁ୧୯୯୦ ମଧ୍ୟରେ ଭାରତ ଓ ଭାରତ ବାହାରେ ଏହା ପ୍ରସିଦ୍ଧ ହେବାରେ ଲାଗିଲା । ନିକଟରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ସମ୍ବଲପୁରୀ ଶାଢୀ ପିନ୍ଧି ଏହାର ଲୋକପ୍ରିୟତାକୁ ବଢାଇଦେଇଛନ୍ତି ।

ଅନୁପମ କାରୁକାର୍ଯ୍ୟ

ସମ୍ବଲପୁରୀ କପଡାର ମୁଖ୍ୟ କାରୁକାର୍ଯ୍ୟ ହେଲା ବନ୍ଧା । ପାରମ୍ପରିକ ରୀତି ରେ ଏହି ଶାଢୀ କୁ ପ୍ରଥମେ ବାନ୍ଧି,ରଂଗ କରି ସେଥିରେ ଗଣ୍ଠି ଦେଇ ସୂତା କୁ ରଖାଯାଏ । ରଂଗରେ କିଛି ସମୟ ଭିଜାଇ ରଖିବା ପରେ ତାକୁ ବୁଣା ଯାଏ । ଏହି ପ୍ରଣାଳିକୁ ବନ୍ଧା କୁହାଯାଏ । ଏହି ବନ୍ଧା କଳାରେ ବିଭିନ୍ନ ପ୍ରକାର ପଶୁ ପକ୍ଷୀ,ମାଛ, ଚକ୍ର, ଫୁଲ,ରାସ୍ତା ଘାଟ,ନଦୀ,ପାହାଡ ଓ ଅନେକ ପ୍ରକାରର ଜ୍ୟାମିତିକ ଚିହ୍ନ ମଧ୍ୟ ସୁନ୍ଦର ସୁନ୍ଦର ଶୈଳୀରେ ବୁଣାଯାଇଥାଏ । ଏହି ଶାଢି ଦୁଇ ପ୍ରକାରର ତିଆରି ହୋଇଥାଏ । ଯଥା କପାରୁ ତିଆରି ଶାଢି ଓ ରେଶମ ରୁ ତିଆରି ଶାଢି । ନିତିଦିନିଆ ଜୀବନରେ ଆମେ ସୂତା ତିଆରି ଶାଢୀକୁ ବ୍ୟବହାର କରିବା ଉପଯୋଗ୍ୟ ଓ ରେଶମ ଶାଡୀ ବିଭିନ୍ନ ପର୍ବ ପର୍ବାଣୀ ,ବାହାଘର ଓ ଉତ୍ସବ ଆଦିରେ ବ୍ୟବହାର କରାଯାଏ ।
କ୍ରମାନ୍ୱୟରେ ସଜା ଯାଇଥିବା ସୂତାକୁ ବନ୍ଧା କୁହାଯାଏ । ଯେଉଁଥିରେ ଏପରି ଭାବରେ ରଂଗ ଦିଆଯାଇଥାଏ ଯେଉଁଥିରେ ବୁଣକାର ନିଜର ବୁଣା ପଦ୍ଧତି ଅନୂଯାୟୀ ସୂତାରେ ବିଭିନ୍ନ ଛବି ଆଙ୍କି ଅନେକାକୃତି ଦେଇଥାଏ ।ବିଭିନ୍ନ ପ୍ରକାରର ସମ୍ବଲପୂରୀ ଶାଢୀ ଯେପରିକି ସୋନପୁରୀ, ପଶାପାଲି, ବଙ୍କେଇ, ବାପତା ପାଟ ଶାଢୀର ଭାରତ ବାହାରେ ମଧ୍ୟ ଚାହିଦା ରହିଛି ।

ବିଭିନ୍ନ ପ୍ରକାର ଶାଢୀ

ପଶାପାଲି- ପଶା ହେଉଛି ଗୋଟେ ଖେଳର ନାମ ।ଏହି ଖେଳର ନାମ ଅନୁସାରେ ଏ ଶାଢୀର ନାମ ପଶାପାଲି ହୋଇଛି । ଏହାର ବିଶେଷତ୍ୱ ହେଉଛି ଯେ ଏଥିରେ ପାରମ୍ପରିକ ରୀତିରେ ରଂଗ ଓ ଛବି ର ଆକୃତି ଦିଆଯାଏ ଯଥା ଧଳା ଓ ଲାଳ କିମ୍ବା ଲାଲ ଓ କଳା ଏବଂ ଚର୍ତୁଃଭୁଜ ମାନ ଆକୃତି ଦିଆଯାଇଥାଏ ।ଏହି ଶାଢିର ଧଡିରେ ସୁନେଲି ରଂଗର ସୂତାରେ କାମ ହୋଇଥାଏ । ବଙ୍କେଇ ଓ ସୋନପୁରୀ—ଏହା ପାରମ୍ପାରିକ ଛବିରେ ତିଆରି ହୋଇଥାଏ । ଏହା ଓଡିଶାର ଗଞ୍ଜାମ ଜିଲ୍ଲାର ବଙ୍କେଇ ଗାଁ ର ଶାଢୀ ଭାବେ ବିଖ୍ୟାତ । ଏହାର ଚାହିଦା ଭାରତ ଓ ଭାରତ ବାହାରେ ବହୁତ ମାତ୍ରାରେ ଅଛି । ବାପ୍ତା- ଏହି ଶାଢୀରେ ଉଭୟସୂତା ଶାଢୀ ଓ ରେଶମ ଶାଢୀ ର ମିଶ୍ରଣ ଅଟେ । ଏତିରେ ସୁନେଲି ରଂଗର ସୂତାରେ ତିଆରି ।
ବର୍ତ୍ତମାନ ଏହାକୁ ସମସ୍ତେ ପସନ୍ଦ କରିବାରେ ଲାଗିଲେଣି । ଏଥିରେ ଆଧୁନିକତାର ଡିଜାଇନ୍ ମଧ୍ୟ କରାଗଲାଣି , ଯାହା ଦ୍ୱାରା ଏହା ଅଧିକରୁ ଅଧିକ ଲୋକଙ୍କ ଦ୍ୱାରା ଆଦୃତ ହୋଇ ପାରିଛି ।

ସମ୍ବଲପୁରୀ ଶାଢୀର ବିକାଶ

ବର୍ତ୍ତମାନ ବାନ୍ଧ ଶାଢୀ ତାର ପାରମ୍ପାରିକ ଏବଂ ଭୌଗଳିକ ଅବସ୍ଥିତି ଅନୁସାରେ ବିଖ୍ୟାତ ହେବାରେ ଲାଗିଛି । ଶ୍ରୀ ରାଧାଶ୍ୟାମ ମେହର ଏହି ସମ୍ବଲପୁରୀ ଶାଡୀର ଗୁରୁତ୍ୱ ଏବଂ ବୁଣାକାର ମାନଙ୍କର ଦକ୍ଷତା କୁ ବୁଝି ପାରିଥିଲେ । ତାର ପ୍ରଚାର ପ୍ରସାର ଏବଂ ବୁଣାକାର ମାନଙ୍କର ସୁବିଧା ଓ ସେମାନଙ୍କର ଉନ୍ନତି ପାଇଁ ସକଳ ଉଦ୍ୟମ କରିଥିଲେ । ଏବଂ ତାଙ୍କ ସହ ସହଯୋଗ କରିଥିଲେ ପଦ୍ମଶ୍ରୀ କୈଳାସ ଚନ୍ଦ୍ର ମେହର ଓ ପଦ୍ମଶ୍ରୀ କୃତାର୍ଥ ଆଚାର୍ୟ । ବର୍ତ୍ତମାନ ସମ୍ବଲପୁରୀ ଶାଢୀ ,ଡ୍ରେସ୍,ପରଦା,ଟେବୁଲ କ୍ଲଥ ଡ଼ତ୍ୟାଦି ବିଭିନ୍ନ ରଂଗରେ ବିଭିନ୍ନ ନକ୍ସା ରଚାହିଦା ବଢିବାରେ ଲାଗିଲାଣି । ବୁରାକାର ମାନେ ମଧ୍ୟ ତାଙ୍କ ବାନ୍ଧ କଳାରେ ବେଶ୍ ଅଗ୍ରଗତି କଲେଣି । ମାସ ମାସ ବର୍ଷ ବର୍ଷ ଧରି ସେମାନେ ନିଜ କାମରେ ନିପୁଣତା କୁ ବୃଦ୍ଧି କରିଚାଲିଛନ୍ତି । ରାଧାଶ୍ୟାମ ମେହର ଖଦି କପଡାରେ ବାନ୍ଧ କାମ କୁ ଲଗାଇ ବୁଣାକାର ଶିଳ୍ପକୁ ନୂତନ ଆୟାମ ଦେଇଛନ୍ତି ।
ବାନ୍ଧ ର ପ୍ରଗତି ଓ ତାର ପ୍ରସାର ପାଇଁ ସରକାର ମଧ୍ୟ ହସ୍ତ ଶିଳ୍ପ ଓ ବୁଣାକାର ମାନଙ୍କ ମେଳା ବିଭିନ୍ନ ଜିଲ୍ଲା ଓ ଅଞ୍ଚଳରେ ଲଗାଇଥାନ୍ତି । ସେଠାରେ ବୁରାକାର ମାନେ ନିଜର କଳାକାରିତା ପ୍ରଦର୍ଶନ ସହ ନୂତନ ବଜାର ଓ ଚାହିଦା ସୃଷ୍ଟି କରିପାରୁଛନ୍ତି ।

-ଅନୁରାଧା ଦାଶ