ସବୁବେଳେ ମନେରହିବେ ବିଜୟ …  

କେତେଜଣଙ୍କ ନାଁ ରେ ହିଁ ଲୁଚିରହିଥାଏ ତାଙ୍କ ବ୍ୟକ୍ତିତ୍ୱର ପରିଚୟ l ଜୀବନବ୍ୟାପି କାମଦ୍ଵାରା ନିଜ ନାମର ସାର୍ଥକତାକୁ ବଜାୟ ରଖିବା ଅଳ୍ପ କିଛିଜଣଙ୍କ ଭାଗ୍ୟରେ ହିଁ ଜୁଟେ l ୮ ଏପ୍ରିଲ ୧୯୫o ରେ କେନ୍ଦ୍ରାପଡ଼ାର ପାଣ୍ଡିରି ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ ହେଁ ବଢ଼ିଥିଲେ ବାରିପଦା ମାଟିରେ l ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରବାଦ ପୁରୁଷ ବିଜୟ ମହାନ୍ତିଙ୍କୁ ଓଡ଼ିଶାର କିଏ ବା ନ ଜାଣେ !!

     ‘ଚିଲିକା ତୀରେ ‘ ଦେଇ ଓଡ଼ିଆ ସିନେମା ଜଗତକୁ ପ୍ରବେଶ କରିଥିବା ବିଜୟ ମହାନ୍ତି ପ୍ରଥମ ଫିଲ୍ମରେ ହିଁ ଜାତୀୟ ପୁରସ୍କାର ପାଇଁ ମନୋନୀତ ହେବା ତାଙ୍କୁ ଅଭିନୟ ପାଇଁ ଉତ୍ସାହିତ କରିଥିଲା l ତା ପରେ ‘ନାଗ ଫାଶ’ ଏବଂ ‘ସହରୀ ବାଘ’ ରେ ଖଳନାୟକ ସାଜି ସେ ଲୋକଙ୍କୁ ଡରେଇଛନ୍ତି l ‘ବାବୁ ପର୍ଶୁରାମ ‘ ସାଜି ଲୋକଙ୍କୁ ସୁଧାରିଛନ୍ତି l ତାଙ୍କର ‘ସୁନାର ସଂସାର’ ଅନେକଙ୍କୁ ସଂସାର ଗଢ଼ିବା ଶିଖେଇଛି l ‘ଜୀବନ ସଂଗ୍ରାମ ‘ ରେ ସେ କେତେ ‘ଅଗ୍ନି ପରୀକ୍ଷା ‘ ଦେଇଛନ୍ତି ଏବଂ ଶେଷରେ ସମସ୍ତଙ୍କୁ ଶୋକର ସାଗରରେ ଭସେଇ ‘ମିଛ ମାୟା ସଂସାର’ ରୁ ବିଦାୟ ନେଇଛନ୍ତି l ଏହା ବ୍ୟତୀତ ତାଙ୍କ ଅଭିନୀତ ‘ହାକିମ ବାବୁ ‘ ତାଙ୍କୁ ଦ୍ଵିତୀୟ ଥର ପାଇଁ ରାଷ୍ଟ୍ରୀୟ ପୁରସ୍କାର ପାଇବାର ସୌଭାଗ୍ୟ ଆଣିଦେଇଥିଲା l
ନିଜକୁ କେବଳ ଅଭିନୟରେ ସୀମିତ ନ ରଖି ଜଣେ ଚର୍ଚ୍ଚିତ ନାଟ୍ୟକାର ଏବଂ ସଫଳ ନିର୍ଦ୍ଦେଶକ ଭାବରେ ମଧ୍ୟ ସେ ପ୍ରମାଣିତ କରିଥିଲେ l ” ଧର୍ମାବତାର “, “ଶେଷରେ ଧରମା କହିଲା “, ” ଆମରି ଭଗବାନ “, “ଅଜାତି ” ଭଳି ୭ ଟି ନାଟକ ସେ ରଚନା କରିଛନ୍ତି l ” ଅଜାତି ” ନାଟକ ଯୋଗୁଁ  ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ସେ ଯୋଗ୍ୟ ବିବେଚିତ ହୋଇଥିଲେ l ତାଙ୍କ ରଚିତ “ଆମରି ଭଗବାନ ” ନାଟକ ଦୀର୍ଘ ୩o ବର୍ଷ ହେଲା ପରିବେଷିତ ହୋଇଆସୁଛି l
Veteran Odia actor Bijay Mohanty passes away - Update Odisha
ଏନଏସଡ଼ି ( ଭାରତୀୟ ନାଟ୍ୟ ବିଦ୍ୟାଳୟ ) ରେ ସେ ଅଧ୍ୟୟନ କରିବା ପାଇଁ ମନୋନୀତ ହେଲା ପରେ ତାଙ୍କୁ ହିନ୍ଦୀଭାଷା ଜଣା ନ ଥିଲା l ସେତେବେଳେ ତାଙ୍କ ସହପାଠୀ ପ୍ରଖ୍ୟାତ ବଲିଉଡ଼ ଅଭିନେତା ସ୍ବର୍ଗୀୟ ଓମ ପୁରୀ ତାଙ୍କୁ ହିନ୍ଦୀ ଶିଖେଇଥିଲେ l ନସରୁଦ୍ଦିନ ଶାହ ଏବଂ ରାଜ ବବର ମଧ୍ୟ ସେଇଠି ତାଙ୍କ ସହପାଠୀ ଥିଲେ l ପ୍ରଥମେ ପ୍ରଥମେ ଲାଜ କରୁଥିବା ବିଜୟ ପଢାସରିଲା ବେଳକୁ ଅଭିନୟରେ ଦକ୍ଷତା ହାସଲ କରିସାରିଥିଲେ l ମଞ୍ଚରେ, ସିନେମାରେ ତାଙ୍କ ଅଭିନୟ ଦେଖୁଥିବା ପ୍ରଶଂସକମାନେ ତାଙ୍କୁ ଗୋଟିଏ ସମୟରେ ‘ ଜଗନ ‘ ରୂପେ ଜାଣିଥିଲେ l କାରଣ ‘ଜଗା ହାତରେ ପଘା ‘, ‘ପୁଅ ମୋର କଳା ଠାକୁର ‘ ଏବଂ ‘କୋଟିଏ ମଣିଷ ଗୋଟିଏ ଜଗା’ ଫିଲ୍ମରେ ତାଙ୍କୁ ଏହି ‘ଜଗନ’ଚରିତ୍ର ମିଳିଥିଲା l ବିଜୟ ମହାନ୍ତି ମଧ୍ୟ ଜଗନ୍ନାଥଙ୍କ ନାଁ ରୁ ଏହି ନାଁ ତାଙ୍କୁ ମିଳିଛି ଏବଂ ଏହାଯୋଗୁଁ ତାଙ୍କର ପ୍ରସିଦ୍ଧି ବଢିଛି ବୋଲି ଗୋଟିଏ ସାକ୍ଷାତକାରରେ କହିଥିଲେ l
ନାୟକ, ଖଳନାୟକ, ହାସ୍ୟ ଅଭିନେତା, ଚରିତ୍ର ଅଭିନେତା ରୂପେ ୧୫o ରୁ ଅଧିକ ଚଳଚ୍ଚିତ୍ରରେ ତାଙ୍କ ନିଖୁଣ ଅଭିନୟ ତାଙ୍କ ଗୁଣମୁଗ୍ଧ ପ୍ରଶଂସକ ଏବଂ ଅନୁଧାବକ ମାନଙ୍କୁ ତାଙ୍କର ପ୍ରଶଂସା କରିବାପାଇଁ ବାଧ୍ୟ କରୁଥିଲା l ଦିଲ୍ଲୀ( ଏନଏସଡ଼ି )
ରୁ ଫେରିବା ପରେ ଉତ୍କଳ ସଙ୍ଗୀତ ସାହିତ୍ୟ ମହାବିଦ୍ୟାଳୟରେ ନାଟକ ବିଭାଗର ମୁଖ୍ୟ ଅଧ୍ୟାପକ ଭାବରେ ସେ ଯୋଗଦେଇଥିଲେ l ଅନେକ ଚଳଚ୍ଚିତ୍ର ଏବଂ ଧାରାବାହିକରେ ବାପା ଭୂମିକାରେ ତାଙ୍କର ଜୀବନ୍ତ ଅଭିନୟ ଯୋଗୁଁ ତାଙ୍କୁ ‘ଓଲିଓଡ଼ର ବାପା ‘ ଆଖ୍ୟା ମିଳିଥିଲା l ନୂଆ ଅଭିନେତା /ଅଭିନେତ୍ରୀ ମାନଙ୍କୁ ଅଭିନୟ ଶିଖେଇବାର କଳା ଯୋଗୁଁ ସଭିଏଁ ତାଙ୍କୁ ‘ ଓଲିଓଡ଼ର ଶିକ୍ଷକ ‘ ଭଳି ମାନୁ ମଧ୍ୟ ଥିଲେ l ସିନେମା ଜଗତକୁ ଜୀବନବ୍ୟାପି ଅବଦାନ ପାଇଁ ୨o୧୪ ରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇଥିଲେ l ଏହା ସହିତ ସେ ୬ ଥର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ l
ବିଜୟ ମହାନ୍ତିଙ୍କ ଭଳି ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କ ବଳିଷ୍ଠ ଅଭିନୟ ୬ ଦଶନ୍ଧି ଧରି କୋଟି କୋଟି ଓଡ଼ିଆଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥଲେ l ଓଡ଼ିଆ ସିନେମା ପ୍ରତି ତାଙ୍କର ଅବଦାନ ତାଙ୍କୁ ଚିରକାଳ ଅମର କରି ରଖିବ l ଜୀବନ୍ତ ଅଭିନୟ ଦ୍ଵାରା ଲକ୍ଷ ଲକ୍ଷ ଦର୍ଶକଙ୍କୁ କନ୍ଦାଇଥିବା ବିଜୟ ମହାନ୍ତି ବାସ୍ତବରେ ସମସ୍ତଙ୍କୁ କନ୍ଦାଇ ଚାଲିଗଲେ l ତାଙ୍କର ଅବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବ l ସିନେମା ପ୍ରତି ତାଙ୍କର ଅବଦାନ ସବୁଦିନ ତାଙ୍କୁ ଅବିସ୍ମରଣୀୟ କରି ରଖିବ l
– ଶ୍ରୁତକୀର୍ତ୍ତି ତ୍ରିପାଠୀ
ଫୋନ : ୬୩୭୦୫୧୬୪୭୮