ଓଡ଼ିଶାର ଶାଢ଼ୀ ଭାରି ବଢ଼ିଆ

ଓଡ଼ିଆ ଝିଅଟିଏ  ଯେତେବେଳେ ଶାଶୂ ଘରକୁ ଯାଏ ତା’ର ପେଡିରେ ଆଗ କେତେ ଖଣ୍ଡ ଶାଢ଼ୀ ଆସିଛି ଅଣ୍ଡାଳି ଦିଆଯାଏ । ଆଉ ଯେତେ ଗରିବ ପରିବାରଟିଏ ହେଲେ ମଧ୍ୟ ତା’ର ପେଡିରେ ଓଡ଼ିଶା ପାଟଶାଢ଼ୀ ଖଣ୍ଡିଏ ପଡ଼ିଥାଏ । ଆଗରୁ ବାହାଘର ହେଲେ ପାଟ ଖୋଜାଯାଏ କିଏ କେତେ ଭଲ ପାଟ ପିନ୍ଧିଛି ବୋଲି ପ୍ରତିଯୋଗିତା ହୁଏ । ଆଉ ଯଦି ଆମେ ଆମ ପାଟ ଓଡ଼ିଶାର ପାଟଶାଢ଼ୀ କଥା କହିବା ତା’ହେଲେ ସବୁବେଳେ ପିନ୍ଧିଲେ ତାକୁ ଯେତିକି ସୁନ୍ଦର ଲାଗେ ସେତିକି ଗୋଟିଏ ଉଷ୍ମ ଅନୁଭବ ବି କରିହୁଏ । କାରଣ ବହୁତ ଆଗରୁ ଶୁଣିଆସିଛେ ଶାଢ଼ୀକୁ ନେଇ ଜେଜେମା ଆଉ ଆଈର କାହାଣୀ ।

ଭାରି ଭଲ ଲାଗେ ଆମ ଓଡ଼ିଶା ଶାଢ଼ୀ କେଉଁଠି ଦେଖିଦେଲେ । ଆମ ତନ୍ତ ଶାଢ଼ୀ ଭାରି ବଢ଼ିଆ । ଦେଖିବାକୁ ଯେତିକି ସୁନ୍ଦର ପିନ୍ଧିଲେ ତ ଆହୁରି ଅଧିକ ସୁନ୍ଦର ଦେଖାଯାଏ । ଯଦି ଆମ ଓଡ଼ିଶା ଶାଢ଼ୀ କଥା କହିବା ବହୁତ୍ ଶାଢ଼ୀ ଅଛି । ନୂଆପାଟଣା ମାଣିଆବାନ୍ଧିଠୁ ଆରମ୍ଭ କରି , ସମ୍ବଲପୁରୀ, ବରହମ୍‌ପୁରୀ, ସୋନପୁରୀ, ଢ଼ଙ୍ଗରିଆ, କୋଟପାଡ ଏତେ ଶାଢ଼ୀ ଯେ କହିଲେ କି ଲେଖିଲେ ସରିବ ନାହିଁ । ବରଗଡ଼ର ପଶାପାଲି ସାରା ଦେଶ କାହିଁକି ସାରା ବିଶ୍ୱ ପ୍ରସିଦ୍ଧ ଆଉ ଯଦି ସୋନ୍‌ପୁରୀ କଥା କହିବା ତା’ହେଲେ ଧଡି ମଝିରେ ଯେଉଁ ସରୁସରୁ ମାଛର ସୁତା କାମକୁ ବାନ୍ଧ କାମ ବହୁତ ମନଲୋଭା । ଆଉ ଆମ ରେଶମ ସହର ବରହମ୍‌ପୁରର ଯଦି ବରହମ୍‌ପୁରୀ ପାଟ କଥା କହିବା କି ସୁନ୍ଦର ସେ ଶାଢ଼ୀ କହିଲେ ନସରେ ତାର କଥା । ଆଉ ଏବେ ଆମେ ଟିକେ ଖଣ୍ଡୁଆ ଶାଢ଼ୀ କଥା କହିବା ସେଥିରେ ନବକୋଠି ବା ନବରଙ୍ଗି ଡିଜାଇନଟି ଭାରି ସୁନ୍ଦର, ହାତୀ, ଘୋଡ଼ା, ପଦ୍ମ ସେ ଶାଢ଼ୀ ଦେଖିଦେଲେ ମନ ପୁରିଯାଏ । ଆଉ ନୂଆପାଟଣା ଆଉ ମାଣିଆବନ୍ଧି ଶାଢ଼ୀ ନାମରେ ମଧ୍ୟ ପରିଚିତ । ଏବେ ଟିକେ ଆମେ ଆଉ ଦେଖିବା ନିୟମଗିରିର ଡଙ୍ଗରିଆ ଶାଢ଼ୀ । ଡଙ୍ଗରିଆ ନାମରେ ଯେଉଁ କନ୍ଧମାନେ ରହିଥାନ୍ତି ନିୟମଗିରି ପାହାଡ଼ ଅଞ୍ଚଳରେ ସେମାନେ ସାଧାରଣତଃ ଏହି ସୁନ୍ଦର ଶାଢ଼ୀ ଓ ସାଲ୍ ବୁଣିଥାନ୍ତି । ସେମାନେ ବୁଣି କରି ଘର ଲୋକଙ୍କୁ ଉପହାର ଦେଇଥାନ୍ତି । କିନ୍ତୁ ଆସ୍ତେ ଆସ୍ତେ ସେହି ଶାଢ଼ୀର ଚାହିଦା ବଢ଼ିବା ଯୋଗୁଁ ବଜାରରେ ମଧ୍ୟ ବିକ୍ରି ହେଲା । ଏବେ ଏହି ଶାଢ଼ୀର ଚାହିଦା ଦେଶ ସମେତ ବିଦେଶରେ ବି ରହିଛି । ବିଭିନ୍ନ ରଙ୍ଗର ଶାଢ଼ୀରେ ସରୁ ସୁକ୍ଷ୍ଣ ବୁଣା ଦେଖିଲେ ମନକୁ ସମ୍ଭାଳି ହୁଏନାହିଁ । ଡଙ୍ଗରିଆମାନଙ୍କ ସରଳତା ଜୀବନ ଶୈଳୀ ସେଇ ଶାଢ଼ୀରେ ପରିଲକ୍ଷିତ ହୋଇଥାଏ ।

ଏବେ ଯିବା କୋରାପୁଟର କୋଟପାଡ଼ ଗାଁରେ ବୁଣା ହେଉଥିବା କୋଟ୍‌ପାଡ ଶାଢ଼ୀ । ଶାଢ଼ୀ ଭାରି ସୁନ୍ଦର । ପିନ୍ଧିବାକୁ ବି ବହୁତ ଆରାମଦାୟକ । କୋଟପାଡ ଗାଁର ଲିଙ୍ଗରାଜ ଥରେ ଏଠାରେ ଆଦିବାସୀ ମେଳାରେ କୋଟପାଡ ଶାଢ଼ୀର ଷ୍ଟଲ୍ ଲଗେଇଥିଲେ । ବିଭିନ୍ନ ପ୍ରକାର ଶାଢ଼ୀ ଓ ଓଢ଼ଣୀ ଆଣିଥିଲେ । ଏତେ ସୁନ୍ଦର ଥିଲା ଯେ ଲୋଭ ସମ୍ବରଣ ନକରି ମୁଁ ଆଉ ମୋର ସାଙ୍ଗ ଲିଜା ତାଙ୍କ ଦୋକାନକୁ ଯାଇଥିଲୁ । ଆମକୁ ଦେଖି ସେ ଖୁସିରେ ସବୁ ଶାଢ଼ୀ ଗୁଡ଼ିକ ଦେଖେଇବାକୁ ଲାଗିଲେ । ଏତେ ସୁନ୍ଦର ଥିଲା ସେ ଶାଢ଼ୀ ଲୋଭରେ ଦୁଇଟି ଶାଢ଼ୀ ଆଉ କିଛି ଓଢ଼ଣୀ କିଣି ଆଣିଥିଲୁ । କିଣିବା ଭିତରେ ଜାଣିବାକୁ ମିଳିଲା ଗୋଟିଏ ଶାଢ଼ୀ(କୋଟପାଡ) ସେମାନଙ୍କୁ ତିଆରି କରିବା ପାଇଁ ୨୫ରୁ ୩୦ ଦିନ ଲାଗେ । ବିଭିନ୍ନ ପ୍ରକାର ରଙ୍ଗ ସେମାନେ ଗଛର ଚେରରୁ ତିଆରି କରି ଶାଢ଼ୀରେ ଦେଇଥାନ୍ତି । ଯାହାକି ଆମର ଶରୀର ପାଇଁ କିଛି କ୍ଷତିକାରକ ହୋଇନଥାଏ । ବରଂ ଶରୀର ପାଇଁ ଏହି ଅର୍ଗାନିକ ଶାଢ଼ୀ ବହୁତ ଭଲ । କୋଟପାଡ ଗାଁର ୭୦ଟି ପରିବାର ଏହି ବୁଣାକାମରେ ନିୟୋଜିତ ଥାନ୍ତି । ଆଉ ଏହି କୋଟପାଡ କପଡ଼ାକୁ ୨୦୦୫ରେ ଜିଆଇ ଟ୍ୟାଗ୍ ମଧ୍ୟ ମିଳିଛି ।

ଆମ ଓଡ଼ିଶାର ଶାଢ଼ୀ ଆମର କାହିଁକି ଏବେ ସାରା ବିଶ୍ୱବାସୀଙ୍କ ନିକଟତର ହେବାରେ ଲାଗିଲାଣି । କିନ୍ତୁ ଯଦି ଦେଖିବା ବୁଣାକାରଟିଏ ଯେତେବେଳେ ଶାଢ଼ୀ ବୁଣୁଛି ତାର ପରିଶ୍ରମ ଆଉ ହାତର ଯାଦୁ ଆମ ଶାଢ଼ୀରେ ପ୍ରଷ୍ଫୁଟିତ ହେଉଛି । ଏ ସମ୍ପର୍କରେ ବରଗଡ଼ର ଦେବାଶିଷ ମେହେର କୁହନ୍ତି, ଆମେ ଶାଢ଼ୀ ବୁଣୁଛୁ ସତ କିନ୍ତୁ ସରକାରଙ୍କ ତରଫରୁ ଯଥେଷ୍ଟ ଆବଶ୍ୟକୀୟ ପ୍ରୋତ୍ସାହାନ ପାଉନାହୁଁ । ସରକାର ଯଦି ଆଉ ଟିକିଏ ଚିନ୍ତା କରନ୍ତେ ତା’ହେଲେ ବୁଣାକାରମାନେ ଆଉ ଟିକେ ଅଧିକ ଶାଢ଼ୀ ବୁଣିପାରନ୍ତେ । ତନ୍ତ ଆବଶ୍ୟକତା ଅନୁଯାୟୀ ଯଦି ସେମାନେ ୪୦ଘଣ୍ଟାର ପରିଶ୍ରମ କରି ଗୋଟିଏ ପାଟଶାଢ଼ୀ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ସେମାନଙ୍କୁ ପରିଶ୍ରମର ଉଚିତ୍ ମୂଲ୍ୟ ମିଳିପାରୁନାହିଁ । ବରହମ୍‌ପୁରର ପ୍ରଭାତ କୁହନ୍ତି, ଦିନ ଥିଲା ବରହମ୍‌ପୁରୀ ପାଟ ଶାଢ଼ୀ ଓଡ଼ିଶାର ଗର୍ବ ଥିଲା । କିନ୍ତୁ ଆଜି ପ୍ରୋତ୍ସାହନ ଅଭାବରୁ ୪୦ଟି ପରିବାର ନିଜର ଜୀବିକା ହରେଇ ବସିଛନ୍ତି । ଏବେ ସମୟ ଆସିଛି ସରକାର ସେମାନଙ୍କ ପାଇଁ କିଛି ଆଉ ଟିକେ ଅଧିକ ଚିନ୍ତା କରିବାର । ସୋସାଇଟି ତିଆରି ହୋଇଛି ସତ କିନ୍ତୁ ବୁଣାକାରମାନେ ଉପଯୁକ୍ତ ଫାଇଦା ଉଠେଇ ପାରୁନାହାନ୍ତି । ‘ଆତ୍ମନିର୍ଭରଶୀଳ’ର କଥା ଆମେ ଯେତେବେଳେ କହୁଛେ ଏମାନଙ୍କ ପାଇଁ କିଛି କରିପାରିଲେ, ପ୍ରକୃତରେ ସେମାନଙ୍କ ହିତ ସାଧନ ହୋଇପାରନ୍ତା । ସରକାରଙ୍କ ସାଙ୍ଗରେ ଆମର ମଧ୍ୟ ଆନ୍ତରିକତା ରହିବା ଦରକାର ।

ଆମେ ସମସ୍ତେ ଯଦି ଖଣ୍ଡିଏ ଖଣ୍ଡିଏ ଓଡ଼ିଶା ତନ୍ତର ଶାଢ଼ୀ ପିନ୍ଧନ୍ତେ । ତା’ହେଲେ ଦେଖନ୍ତେ ଏ ବୁଣାକାର ମାନେ ଆଉ ହତାଶ ହୁଅନ୍ତେ ନାହିଁ । ସରକାରଙ୍କ ତରଫରୁ ଆଉ ଅଧିକ ପ୍ରୋତ୍ସାହାନ ଯଦି ମିଳନ୍ତା ତା’ହେଲେ ବୁଣାକାରଙ୍କ ପରିବାରର ଚୁଲି ଏବେ ୩୬୫ଦିନ ଜଳିପାରନ୍ତା ।

-ପ୍ରୀତିଛନ୍ଦା ଧଳ
୯୯୩୭୭୩୪୪୬୧