ଶ୍ରୀମନ୍ଦିର ରେ ଚିତା ଲାଗି ଅମାବାସ୍ୟା ତିଥିରେ ସାଗର ଵିଜେ ନୀତି…..
ଚିତାଲାଗି ଅମାବାସ୍ୟା – ମହାପ୍ରଭୁଙ୍କୁ ଲାଗି ହେବ ସ୍ଵର୍ଣ୍ଣ ଓ ରତ୍ନ ଚିତା
ହୀରା ଳିଳା ଏବଂ ମାଣିକ ପରିଧାନ କରିବେ ଚତୁର୍ଦ୍ଦାମୂର୍ତ୍ତି । ଶ୍ରୀମନ୍ଦିରରେ ଶ୍ରାବଣ ଅମାବାସ୍ୟା ଦିନ ଚିତା ଲାଗି ଅମାବାସ୍ୟା ନୀତି ପାଳିତ ହୋଇଥାଏ । ଏହି ଦିନ ମହାପ୍ରଭୁଙ୍କ ସ୍ଵର୍ଣଚିତା ଲାଗି ହୋଇଥାଏ । ବିଭିନ୍ନ ପ୍ରକାରର ଅଳଙ୍କାରରେ ତିଆରି ହୋଇଥିବା ଆକର୍ଷଣୀୟ ଚିତାକୁ ଶ୍ରୀବିଗ୍ରହ ମାନଙ୍କ ମଥାରେ ଲାଗି କରାଯାଇଥାଏ ।
” ଶ୍ରାବଣସ୍ୟ ଚ ଦର୍ଶେ ଅପିହ୍ୟରୁଣୋଦୟକାଳକେ ।
ନୈବେଦ୍ୟାମଧିକଂ ଦଦ୍ୟାତ୍ ପ୍ରାତଃ ପୂଜନକାଳକେ ।।
ସୁବର୍ଣ୍ଣରଚିତଂ ଦିବ୍ୟଂ ନାନାରତ୍ନସମୁଜ୍ଜ୍ଵଳମ୍ ।
ତିଳକଂ ତୁ କପାଳେଷୁ ଦେବାନାଂ ଭିଲ୍ଲଜାତୟଃ ।। “
ଶ୍ରୀମନ୍ଦିରରେ ଚିତା ଲାଗି ନୀତି :
ଏହି ଦିନ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିଥାନ୍ତି । ଏହାପରେ ଶ୍ରୀଜୀଉମାନଙ୍କ ଝୋବା ମଇଲମ ହୋଇ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ । ଏହି ଦିନ ସାଗର ବିଜେ କରିଥିବା ଅମାବାସ୍ୟା ଠାକୁର ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବା ପରେ ପତି ମହାପାତ୍ର, ବାଡ଼ଗ୍ରାହୀ ଦଇତାମାନେ ରତ୍ନସିଂହାସନାଧିଷ୍ଠିତ ଶ୍ରୀଜୀଉଙ୍କର ଚିତାଲାଗି କାର୍ଯ୍ୟ କରିଥାନ୍ତି । ତିନୋଟି ସ୍ବର୍ଣ୍ଣ ଚିତା ଶ୍ରୀଜୀଉମାନଙ୍କ କପାଳର ଶୀର୍ଷ ଭାଗରେ ଓଷୁଅରେ ପାଟ ଡୋର ସାହାଯ୍ୟରେ ଏହାକୁ ଦୃଢ଼ ଭାବରେ ବନ୍ଧା ଯାଇଥାଏ ।
ଏହି ରତ୍ନଖଚିତ ସ୍ବର୍ଣ୍ଣ ଚିତାକୁ ପୂର୍ବରୁ ଅର୍ଥାତ ସ୍ନାନପୂର୍ଣ୍ଣିମା ଦିନ ରାତ୍ରିରେ ଶ୍ରୀଜୀଉମାନଙ୍କ ଶ୍ରୀକପାଳଦେଶରୁ ଓଲାଗି କରାଯାଇଥାଏ । ଏହି ଚିତାକୁ ଭଣ୍ଡାରରୁ ଅଣାଯାଇ ଶ୍ରୀମନ୍ଦିର ପରିସରରେ ଦେଉଳକରଣ, ତଢ଼ାଉ କରଣ, ଶ୍ରୀମନ୍ଦିର ପ୍ରଶାସନର ପଦାଧିକାରୀ ଉପସ୍ଥିତିରେ ବଣିଆ ସେବକ ଦ୍ୱାରା ସଫା କରାଯାଇଥାଏ ଓ ପୁନଃ ସଂସ୍ଥାପିତ ହୋଇଥାଏ । ଚିତାଲାଗି ନୀତି ଗୋପନୀୟ ହୋଇଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥାଏ । ଭକ୍ତଙ୍କୁ ଭିତରକାଠ ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଇଥାଏ ।
ଚିତାଲାଗି ବା ଚିତଉ ଅମାବାସ୍ୟା :
ଦୀର୍ଘ ଚାରିମାସର ଗ୍ରୀଷ୍ମ ପ୍ରବାହ ପରେ ଧରାପୃଷ୍ଠକୁ ଆସେ ବର୍ଷା । ବର୍ଷାର ଆଗମନରେ ଚାଷୀ କର୍ମତତ୍ପର ହୋଇଉଠେ । ବିଲରେ ବଛା, ତଳିପକା, ରୁଆ, ବେଉଷଣ କାମ କରେ; ଆସନ୍ତା ବର୍ଷର ଆହାର ପାଇଁ ଉଦ୍ଯୋଗ କରେ । ଏହି ସମୟରେ ଓଡ଼ିଶାର ପୁରପଲ୍ଲୀରେ ଶ୍ରାବଣ ମାସର ଅମାବାସ୍ୟା ଦିନ ଚିତାଲାଗି ବା ଚିତଉ ଅମାବାସ୍ୟା ପର୍ବ ପାଳିତ ହୁଏ । ଘରେ ଘରେ ଚିତଉ ପିଠା ହୁଏ । ଓଡ଼ିଆ ଘରର ପିଠା ଏଣ୍ଡୁରି, ଚକୁଳି, ମଣ୍ଡା ପିଠା ପରି ଚିତଉ ଏକ ସ୍ୱତନ୍ତ୍ର ଧରଣର ପିଠା । ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ଚିତାଲାଗି ବେଶ ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଚିତା, ମାଆ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ଚିତା ଏବଂ ଶ୍ରୀବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ଚିତା ଦଇତାପତିମାନେ ଲାଗି କରିଥାନ୍ତି । ଏହି ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ଆସନ୍ତା ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ ।
ଶ୍ରୀମନ୍ଦିରରେ ସାଗରବିଜେ ନୀତି:
ଶ୍ରୀମନ୍ଦିରରେ ସକାଳ ଧୂପ ବଢ଼ିଲା ପରେ ମହାଜନ ସେବାୟତ ଦକ୍ଷିଣୀ ଘରୁ ଶ୍ରୀନାରାୟଣ ମୂର୍ତ୍ତିଙ୍କୁ ଆଣି ରତ୍ନସିଂହାସନ ବିଜେ କରିଥାନ୍ତି । ପାଳିଆ ପୂଜାପଣ୍ଡା ଗରାବଡୁଙ୍କ ଠାରୁ ହତୁଆଣୀ ନେଇ ଉକ୍ତ ନାରାୟଣ ମୂର୍ତ୍ତିଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞା ମାଳ ପ୍ରଦାନ କରିଥାନ୍ତି । ଏହାପରେ ମହାଜନ ସେବାୟତ ନାରାୟଣଙ୍କୁ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରନ୍ତି । ପାଲିଙ୍କିକୁ ସ୍କନ୍ଧରେ ବୋହି ଘଣ୍ଟ, ଛତ୍ର, କାହାଳୀରେ ସିଂହଦ୍ୱାର ଦେଇ ବାଲିସାହି ରାସ୍ତାରେ ସମୁଦ୍ର କୂଳ ସ୍ୱର୍ଗଦ୍ୱାର ଠାରେ ବିଜେ କରିଥାନ୍ତି ।
ସମୂଦ୍ର କୂଳ ବାଲିରେ ବିଜେ ହେବା ପରେ ଗରାବଡୁ ସେବାୟତ ସମୁଦ୍ର ପାଣି ଆଣି ପୂଜାପଣ୍ଡାଙ୍କ ହାତକୁ ବଢ଼ାନ୍ତି । ପୂଜାପଣ୍ଡା ଜଳ ସଂସ୍କାର କରି ଠାକୁରଙ୍କୁ ଲାଗି କରାଇଥାନ୍ତି । ସାବତ ନିଯୋଗ ପକ୍ଷରୁ ପଣା ଭୋଗ ହୋଇଥାଏ । ସେଠାରେ ଆଳତି ଓ ବନ୍ଦାପନା ହୋଇଥାଏ । ଏହାପରେ ଠାକୁର ବିମାନରେ ଜମେଶ୍ୱର ମହାଦେବଙ୍କ ମନ୍ଦିର ଭିତର ଗମ୍ଭୀରାକୁ ବିଜେ କରନ୍ତି । ଦହି ଓ ପଞ୍ଚାମୃତରେ ମହାସ୍ନାନ ହୁଏ । ଖଇ ଓ କୋରା ଆଦି ଶୀତଳ ଭୋଗ ହୋଇ ବନ୍ଦାପନା ହୋଇଥାଏ । ନୀତି ସରିବା ପରେ ଶ୍ରୀନାରାୟଣଙ୍କୁ ହରଚଣ୍ଡୀ ସାହି ଓ ମଣିକର୍ଣ୍ଣିକା ସାହି ଦେଇ ସିଂହଦ୍ୱାର ବାଟେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥାନ୍ତି ।
