ଆଜି କାଳିଆର ଜନ୍ମଦିନ । ଉତ୍ସବମୟ ପୁରୀ ସହର । ସ୍ନାନ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବଡଦାଣ୍ଡରେ ଏକାଠି ହୋଇଛନ୍ତି ଭକ୍ତ ଭଗବାନ । ଏମିତିକି ଦେବତା, ଗନ୍ଧର୍ବ ଓ କିନ୍ନରମାନେ ମଧ୍ୟ ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି ।
ଜ୍ୟେଷ୍ଠ ପୂର୍ଣ୍ଣିମାରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କର ସ୍ନାନଯାତ୍ରା । ଏହି ପବିତ୍ର ଦିନଟି ହେଉଛି କାଳିଆ ସାଆନ୍ତେଙ୍କ ଜନ୍ମଦିନ । ଯାହା ମହାବାହୁ ନିଜେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ । ‘ନୀଳାଦ୍ରି ମହୋଦୟ’ ଗ୍ରନ୍ଥରେ ବର୍ଣ୍ଣନା ରହିଛି ଯେ, ସ୍ୱୟଂ ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ ଯେ, ସ୍ବାୟମ୍ଭୂବ ମନୁ ଜ୍ୟେଷ୍ଠ ଅମାବାସ୍ୟାରେ ଯଜ୍ଞ କରିଥିଲେ ଏବଂ ସେହି ଯଜ୍ଞବେଦୀରେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ନିଜେ ମହାପ୍ରଭୁ ଜଗନ୍ନାଥ ଆବିର୍ଭୂତ ହୋଇଥିଲେ। ସେଥିପାଇଁ ଏହି ଦିନକୁ ତାଙ୍କର ଜନ୍ମଦିନ ଏବଂ ଏହି ଉତ୍ସବକୁ ‘ଜ୍ୟେଷ୍ଠା ଯାତ୍ରା’ ବୋଲି କୁହାଯାଏ। ଶ୍ରୀକ୍ଷେତ୍ରର ସବୁଠାରୁ ପବିତ୍ର ଦିନମାନଙ୍କ ମଧ୍ୟରୁ ଗୋଟିଏ। ଏହି ପବିତ୍ର ଦିନରେ ସ୍ନାନବେଦୀ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ୧୦୮ କଳସର ପବିତ୍ର ଜଳରେ ସ୍ନାନ କରନ୍ତି । ଯାହାକୁ ‘ଅବଭୃଥ ସ୍ନାନ’ କୁହାଯାଏ । ‘ଅବଭୃଥ’ର ଅର୍ଥ ହେଉଛି ଯଜ୍ଞର ପୂର୍ଣ୍ଣାହୁତି ପରେ କରାଯାଉଥିବା ପବିତ୍ର ସ୍ନାନ। ଏବଂ ଓଡିଆ ପରମ୍ପରା ଅନୁଯାୟୀ, ଜନ୍ମ ପରବର୍ତ୍ତୀ ପ୍ରଥମ ସ୍ନାନର ପ୍ରତୀକ ମଧ୍ୟ। ତେଣୁ ଭକ୍ତଙ୍କ ପାଇଁ ଏହା କେବଳ ଏକ ପରମ୍ପରା ନୁହେଁ, ଏହା ଆସ୍ଥା, ଭକ୍ତି ଓ ଭାବନାର ମହାପର୍ବ। ଆଜିର ଏହି ପବିତ୍ର ଦିନରେ ମହାପ୍ରଭୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ କୃପା ବର୍ଷା କରନ୍ତୁ।
ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ବୋଲି ଉଲ୍ଲେଖ ହୋଇଛି । ଶାସ୍ତ୍ରମତରେ ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହଙ୍କ ଆଦ୍ୟ ସ୍ଥାନଲୀଳା ସମାପନ ହୋଇଥିଲା । ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଅଛି । ଜ୍ୟୋଷ୍ଠମାସ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ପ୍ରଥମ ସ୍ଥାନ ଲୀଳା ଜାତି, ବର୍ଣ୍ଣ, ନିର୍ବଶେଷରେ ସମସ୍ତେ ଦର୍ଶନ କରିଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା ମଧ୍ୟ କୁହାଯାଏ ।
ମହାପ୍ରଭୁଙ୍କ ମାନବୀୟ ଲୀଳା ଘୋଷଯାତ୍ରା ଏହା ହେଉଛି ପ୍ରଥମ ଦିନ । ଶ୍ରୀମନ୍ଦିରରେ ସ୍ନାନଯାତ୍ରା ପ୍ରସ୍ତୁତି ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହୋଇଯାଏ । ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ,ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ । ଏହିଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି l ପ୍ରଭୁଙ୍କର ସେନାପଟା ଓ ବାହୁଟିନାଗି ହୁଏ । ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ ।
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ (ବ୍ରାହ୍ମଣ ଗୋଷ୍ଠୀର ସେବକ) ବିଜେ କରାଇଥାନ୍ତି । ପହଣ୍ଡି ବିଜେ ସମୟରେ ସାତ ପାହଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହୁଅନ୍ତି । ଏହି ସାତପାହଚ ଉପରେ ଟାହ୍ୟାନାଗି ହେବାପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୁଏ । ତା ପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷା ନାଗି କରାଯାଏ । ତା ପରେ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନବେଦିକୁ ଯାଇ ନିଜର ଆସ୍ଥାନ ଉପରେ ବସନ୍ତି । ସୁଆର ବଡୁ ଅମୂଣିଆ ପାଣି ଛିଞ୍ଚନ୍ତି l ଗରାବଡୁ ସୁବର୍ଣ୍ଣକଳସ ଧରି ଶିତଳାଦେବୀଙ୍କ ସମ୍ମୁଖରେ ଥିବା ଓ ବର୍ଷତମାମ ଅପବ୍ୟବହୃତ ହୋଇ ରହିଥିବା ସ୍ୱର୍ଣ୍ଣକୂପରୁ ଜଳ ଆଣନ୍ତି । ଦେବସ୍ଥାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଅବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ପରେ ଯେପରି ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ । କୂଅର ବ୍ୟବହାର ବର୍ଷସାରା ନଥବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥବା ବେଳେ ସ୍ଥାନ କାଳରେ ତାନ୍ତ୍ରିକ ବିଧିରେ ୧୩ ପଦାର୍ଥ ମିଶ୍ରଣ କରାଯାଏ । ଯଜ୍ଞ ପରମ୍ପରାରେ ଏହି କୂଅକୁ ‘ପ୍ରଣୀତାକୂପ’ ବୋଲି କୁହାଯାଏ । ପ୍ରାଚୀନ କାଳରେ ମଧ୍ୟ ଓଡ଼ିଶାରେ ଛୁଆଟିଏ ଜନ୍ମ ହେଲେ ତାହାକୁ ଅଣତୁଠ ପାଣି ମିଶ୍ରଣ କରାଯାଇ ସ୍ନାନ କରିବାର ପରମ୍ପରା ରହିଥଲା । ଏହାଦ୍ୱାରା ଦୁଷ୍ଟ ଶକ୍ତିଙ୍କ ପ୍ରଭାବ କଅଁଳା ପିଲାଙ୍କ ଉପରେ ପଡ଼େନାହିଁ । ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ- ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ । ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହ୍ମ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ l ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ । ଏହାକୁ “ପ୍ରତ୍ୟେକ୍ଷ ଅବକାଶ” କହନ୍ତି । ପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ । ଏହି ଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ । ଗୋପାଳତୀର୍ଥ ମଠଦ୍ୱାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶ ଓ ଶୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ । ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ ।
ତାପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି । ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ ଓ ପଟିମୂର୍ତି ସ୍ଥାପନା କରାଯାଏ । ସ୍ନାନଯାତ୍ରା ପରେ ଠାକୁରଙ୍କ ଅନବସର ସେବାପୂଜା ଆରମ୍ଭ ହେବ । ଶ୍ରୀମନ୍ଦିରରେ ଏହି ସମୟରେ ପୂଜାପାଇବେ ପଟିଦିଅଁ । ଜଗମୋହନରେ ବିଜେ ହେବେ ପଟିଦିଅଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବଙ୍କୁ ପଟିଦିଅଁରୂପେ ପୂଜା କରାଯାଏ । ଏଣୁ ଠାକୁରଙ୍କ ପାରମ୍ପରିକ ଚିତ୍ରକର ସେବକଙ୍କ ତୂଳୀରେ ରୂପ ନେଉଛନ୍ତି ‘ପଟିଦିଅଁ’ । ଚତୁର୍ଦ୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦିର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି । ଏହାକୁ ଅଣସର କୁହାଯାଏ । ଏହି ୧୫ ଦିନ ଭକ୍ତମାନେ ଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ । ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି ।