ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଦିବସଠାରୁ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ୧୪ଦିନ ବ୍ୟାପୀ ଓଡ଼ିଆ ପକ୍ଷ ପାଳନ କରାଯାଉଥିବାବେଳେ ଭାଷା ଆନ୍ଦୋଳନ ତରଫରୁ ଏହି ପକ୍ଷ ପାଳନର ଶେଷ ଦିନ ଅର୍ଥାତ୍ ଓଡ଼ିଆ ନବବର୍ଷ ମହାବିଷୁବ ସଂକ୍ରାନ୍ତିରୁ ଓଡ଼ିଆ ଭାଷାର ସୁରକ୍ଷା ଲାଗି ପୁଣି କଳା ପତାକା ଅଭିଯାନ ଆରମ୍ଭ ହେବାକୁ ଯାଉଛି ।
ଏ ବର୍ଷ ଏପ୍ରିଲ ପହିଲାରେ ଉତ୍କଳ ପ୍ରଦେଶ ଗଠନର ୯୦ବର୍ଷ ପୂର୍ତ୍ତି ପାଳନ କରାଯାଇଛି ଏବଂ ୨୦୩୬ରେ ଶତବାର୍ଷିକୀ ପାଳିତ ହେବାକୁ ଥିବାବେଳେ ଓଡ଼ିଶା ସରକାର ସମୃଦ୍ଧ ଓଡ଼ିଶା ଗଠନ ପାଇଁ ‘ଭିଜନ୍ ଡକ୍ୟୁମେଣ୍ଟ’ ପ୍ରସ୍ତୁତ କରିଛନ୍ତି । ଓଡ଼ିଶାରୁ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ସହିତ ଓଡ଼ିଆ ଅସ୍ମିତା, କଳା, ସଂସ୍କୃତି ଆଦିର ବିକାଶ, ରାଜ୍ୟରୁ ଦାରିଦ୍ର୍ୟ ଦୂରୀକରଣ ଓ ହାରାହାରି ମୁଣ୍ଡପିଛା ଆୟ ବୃଦ୍ଧି ସହିତ ବ୍ୟାପକ କର୍ମ ନିଯୁକ୍ତିକୁ ଆଖି ଆଗରେ ରଖି ଏହି ପରିକଳ୍ପନା କରାଯାଇଛି ।
ତେବେ ଇତିମଧ୍ୟରେ ଭାଷା ଆନ୍ଦୋଳନ ପକ୍ଷରୁ ଓଡ଼ିଶା ଦିବସ ଅବସରରେ ଲୋକଭବନ ସମ୍ମୁଖରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ ଓ ବିଧାନସଭା ସମ୍ମୁଖରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ନିକଟରେ ଜ୍ଞାନ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଓଡ଼ିଶାରେ ଓଡ଼ିଶାର ଶାସନ ଓଡ଼ିଆ ଭାଷାରେ ଚାଲିବା ସହିତ ସରକାରୀ ଦପ୍ତରର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ କରାଇବା ଏବଂ ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଜ୍ଞାନଦୀପ ପ୍ରଜ୍ୱଳନ ସହିତ ୧୪ଦିନିଆ ମହଲତ ଦିଆଯାଇଥିଲା ।
ଏଠାରେ ଉଲ୍ଲେଖନୀୟ ଯେ ଭାରତର ସମ୍ବିଧାନରେ ଓଡ଼ିଆକୁ ଗ୍ରହଣ କରାଯିବା ସହିତ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶା ସରକାରୀ ଭାଷା ଆଇନ୍-୧୯୫୪ ପ୍ରଣୀତ ହୋଇଥିଲା । ଏହା ସତ୍ତ୍ୱେ ଏଯାବତ୍ ରାଜ୍ୟ ସରକାରଙ୍କ ସମସ୍ତ ଦପ୍ତରର କାର୍ଯ୍ୟ ଓଡ଼ିଆ ଭାଷାରେ ହୋଇପାରି ନାହିଁ । ଏ ସଂକ୍ରାନ୍ତରେ ବାରମ୍ବାର ନିର୍ଦ୍ଦେଶନାମା ଜାରି ହେଉଛି ଏବଂ ସରକାରଙ୍କ ନୀତି ବି ବଦଳୁଛି । ଏମିତିକି ବ୍ୟବସାୟିକ ସଂସ୍ଥାମାନେ ସେମାନଙ୍କ ନାମ ଫଳକ ଓଡ଼ିଆରେ ନଲେଖିଲେ ଦଣ୍ଡବିଧାନ କରାଯିବ ବୋଲି ବ୍ୟବସ୍ଥା ହୋଇଛି । ସରକାର ବି ଓଡ଼ିଆ ବିଶ୍ୱବିଦ୍ୟାଳୟ ଖୋଲିଛନ୍ତି ଏବଂ କେନ୍ଦ୍ର ସରକାର ଓଡ଼ିଆକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଛନ୍ତି ।
ଭାଷା ପ୍ରେମୀମାନେ କହୁଛନ୍ତି ଯେ ୬୦ ଦଶକରେ ଭାଷା ଆଇନ୍ରେ ସଂଶୋଧନ ଆଣି ଓଡ଼ିଆ ସହ ଇଂରାଜୀରେ କାମ କରିବାକୁ ବ୍ୟବସ୍ଥା ରଖାଯାଇଥିଲା । ତେବେ ୮୦ ଦଶକରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସରକାରୀ ଦପ୍ତରଗୁଡ଼ିକରେ ଓଡ଼ିଆ ଭାଷାରେ ନଥିପତ୍ର କାମ କରିବା ଲାଗି କଡ଼ା ବ୍ୟବସ୍ଥା ହୋଇଥିଲା । ହଜାର ହଜାର ସଂଖ୍ୟାରେ ଓଡ଼ିଆ ଟାଇପ୍ ମେସିନ୍ ମଧ୍ୟ ଦପ୍ତରଗୁଡ଼ିକୁ ଯୋଗା ଯାଇଥିଲା । ଏମିତିକି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସେତେବେଳେ ଓଡ଼ିଆରେ ନଥି ନଆସିଲେ ସେ ତାହା ଫେରାଇ ଦେଉଥିଲେ ।
ପରବର୍ତ୍ତୀ ସମୟରେ ସରକାର ପରିବର୍ତ୍ତନ ସହ ଏହି ନୀତିର ପରିବର୍ତ୍ତନ ହୋଇଗଲା । ସରକାରଙ୍କ ଉପରେ ଏ ସଂକ୍ରାନ୍ତରେ ଚାପ ପ୍ରୟୋଗ କରିବା ଲାଗି ଅତୀତରେ ଦୀର୍ଘମାସ ଧରି ବିଧାନସଭା ସମ୍ମୁଖରୁ ରାଜଭବନ ସମ୍ମୁଖସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ କଳା ପତାକା ଅଭିଯାନ ଚାଲିଲା ଏବଂ ରାଜ୍ୟର କୋଣ ଅନୁକୋଣରେ ଏ ସଂକ୍ରାନ୍ତରେ ଜନମତ ପ୍ରକାଶ ପାଇଲା । ପରବର୍ତ୍ତୀ ସମୟରେ ଓଡ଼ିଶା ଶାସନ ଓଡ଼ିଆରେ ଚାଲିବ ବୋଲି ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏଥିରେ ସଂଶୋଧନ ଅଣାଯାଇ ଓଡ଼ିଆ ସହିତ ଇଂରାଜୀରେ ବି ନଥିପତ୍ର କାରବାର କରିବାକୁ ସ୍ପଷ୍ଟୀକରଣ ଦିଆଯିବାରେ ଏବେ ସଂଖ୍ୟାଧିକ ନଥିପତ୍ର ଇଂରାଜୀରେ ହେଉଛି । ଏଭଳି ସ୍ଥିତିରେ କେବେଠାରୁ ସମସ୍ତ ସରକାରୀ କାର୍ଯ୍ୟ ସମ୍ପୂର୍ଣର୍ ଓଡିଆରେ ହେବ ତାହା ଉପରେ ସମସ୍ତଙ୍କ ନଜର ।