ଓଡ଼ିଶାରେ ବଢୁଛି ପରିବେଶ ପ୍ରଦୂଷଣ ବିପଦ

ଓଡ଼ିଶାରେ ମାଟି, ପାଣି ଓ ପବନର ପ୍ରଦୂଷଣ ବଢ଼ି ଚାଲିଥିବାବେଳେ ତାହାର ନିରାକରଣ କରାଯାଇପାରୁ ନାହିଁ । ପ୍ରଦୂଷଣ ବୃଦ୍ଧି ସହ ତାଳ ଦେଇ ବିଭିନ୍ନ ରୋଗ ବ୍ୟାଧି ବଢ଼ି ଚାଲିଥିବାବେଳେ ତାହାକୁ ରୋକିବା ପାଇଁ ପ୍ରତିଶୋଧମୂଳକ ପଦକ୍ଷେପ ଗ୍ରହଣ କରାଯିବା ପରିବର୍ତ୍ତେ ସ୍ୱାସ୍ଥ୍ୟସେବାରେ କିନ୍ତୁ ବର୍ଷକୁ ବର୍ଷ ବ୍ୟୟବରାଦ ବଢ଼ୁଛି । ଯେଭଳି ଭାବେ ପ୍ରଦୂଷଣ ବୃଦ୍ଧି ପାଉଛି ତାହାକୁ ରୋକାନଗଲେ ଆଗାମୀ ପିଢ଼ି ଏଥିଲାଗି ପୂର୍ବ ପିଢ଼ିମାନଙ୍କୁ କ୍ଷମା କରିବ ନାହିଁ ବୋଲି ପରିବେଶ ପ୍ରେମୀମାନେ କହୁଛନ୍ତି ।

ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଏବଂ ଖଣି ଉତ୍ତୋଳନ ସହିତ କଳାକାରଖାନାଗୁଡ଼ିକର ବର୍ଜ୍ୟ ବସ୍ତୁ ଯୋଗୁ ମାଟିର ଉତ୍ପାଦିକା ଶକ୍ତି ହ୍ରାସ ପାଉଛି । ଗୋଟିଏ ପଟେ ଗାଁରୁ ସହର ପର୍ଯ୍ୟନ୍ତ ଗାଈ, ବଳଦଙ୍କ ସଂଖ୍ୟା କମୁଥିବାବେଳେ ଜମିରେ ବ୍ୟବହାର ପାଇଁ ଗୋବର ଖତ ଅଭାବ ହେଉଛି । ତୁରନ୍ତ ଫସଲ ଉତ୍ପାଦନ ପାଇଁ ଜମିରେ କୀଟନାଶକ ଓ ରାସାୟନିକ ସାରର ବହୁଳ ବ୍ୟବହାର କରାଯାଉଛି । ଅନେକ କ୍ଷେତ୍ରରେ କେଉଁ ଜମି ପାଇଁ କେତେ ପରିମାଣର ରାସାୟନିକ ସାର ଦରକାର ତାହା ଜାଣିବା ଲାଗି ମାଟି ପରୀକ୍ଷା ନକରି ଚାଷୀମାନେ ଆଖିବୁଜା ସାର ଓ କୀଟନାଶକ ଢାଳୁଥିବାରୁ ମୃତ୍ତିକା ପ୍ରଦୂଷଣ ବଢ଼ୁଛି । ଏଥିସହିତ ବ୍ୟାପକ ଜଙ୍ଗଲ ସଫେଇ ଓ ଗଛକଟା ଯୋଗୁ ମୃତ୍ତିକା ଅବକ୍ଷୟ ହାର ମଧ୍ୟ ଉଦ୍‍ବେଗଜନକ ସ୍ଥିତିରେ ରହିଛି ବୋଲି ପରିବେଶବିତ୍‍ମାନେ କହୁଛନ୍ତି ।

ସେହିଭଳି ରାଜ୍ୟରେ ଏଭଳି କୌଣସି ଗୋଟିଏ ନଦୀ ନାହିଁ ଯାହାର ଜଳ ପ୍ରଦୂଷଣ ମୁକ୍ତ । କେଉଁ ନଦୀର ଜଳ ଅତି ବିଷାକ୍ତ ତ ଆଉ କେଉଁ ନଦୀର ଜଳ କମ୍‍ ପ୍ରଦୂଷିତ । ମୋଟାମୋଟି ଭାବେ କୌଣସି ଗୋଟିଏ ହେଲେ ନଈର ଜଳ ଏବେ ପାନୀୟ ଉପଯୋଗୀ ନୁହେଁ । ବିଶେଷକରି ସହରାଞ୍ଚଳର ନର୍ଦ୍ଦମା ପାଣି, କଳକାରଖାନାର ବର୍ଜ୍ୟବସ୍ତୁ ଏବଂ ଖଣିଜ କାର୍ଯ୍ୟରେ ବ୍ୟବହୃତ ପାଣି ଯୋଗୁ ନଦୀଗୁଡ଼ିକର ଜଳ ପ୍ରଦୂଷିତ ହେଉଛି । ରାଜଧାନୀ ଉପକଣ୍ଠରେ ଥିବା ଦୟା, ଗଙ୍ଗୁଆ ଆଦି ନଦୀର ଜଳ ବିଷାକ୍ତ ହୋଇ ଚାଲିଛି । ଫଳରେ ଗଙ୍ଗୁଆ ନଦୀରେ ଆଉ ମାଛ ନାହାନ୍ତି । ଏହି ପାଣି ଦେହରେ ଲାଗିଲେ ଚର୍ମ ରୋଗ ବି ହୋଇଯାଉଛି । ଖୋଦ୍‍ ରାଜଧାନୀ ଉପକଣ୍ଠରେ ଯଦି ଏଭଳି ଅବସ୍ଥାରେ ତେବେ ଦୂରଦୂରାନ୍ତରେ ପ୍ରବାହିତ ନଦୀଗୁଡ଼ିକର ସ୍ୱାସ୍ଥ୍ୟ କେତେ ମରାତ୍ମକ ତାହା ସହଜରେ ଅନୁମେୟ । ଏହାଛଡ଼ା ନଦୀଗୁଡ଼ିକରେ ବେଧକ ଚୋରା ବାଲି ଚାଲାଣ ହେଉଥିବାରୁ ସମସ୍ୟା ମଧ୍ୟ ବଢ଼ୁଛି ।

କେବଳ ନଦୀ ଜଳ ଯେ ପ୍ରଦୂଷିତ ତାହା ନୁହେଁ, ସଂଖ୍ୟାଧିକ ଜଳ ଭଣ୍ଡାରର ମଧ୍ୟ ସମାନ ସ୍ଥିତି । ଅଧିକାଂଶ ଜଳଭଣ୍ଡାରରେ ଜଳର ଅମ୍ଳତ୍ୱ ଓ ଲବଣତ୍ୱ ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଛି । ଏହାଛଡ଼ା ଭୂତଳ ଜଳ ସ୍ତର ମଧ୍ୟ ଉଦ୍‍ବେଜନକ ଭାବେ ପ୍ରଦୂଷିତ ହେଉଛି । ଏହାଛଡ଼ା ଖୋଦ୍‍ ଭୁବନେଶ୍ୱର ସମେତ ରାଜ୍ୟର ବହୁ ଅଞ୍ଚଳର ଭୂତଳ ଜଳ ସ୍ତର ଯେପରି ଦ୍ରୁତ ଗତିରେ ତଳକୁ ଖସୁଛି ତାହା ଭବିଷ୍ୟତ ପାଇଁ ବିପଦର କାରଣ ହୋଇପାରେ ବୋଲି ପରିବେଶବିତ୍‍ମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ।

ରାଜ୍ୟରେ ବର୍ଷକୁ ବର୍ଷ ବାୟୁ ପ୍ରଦୂଷଣର ମାତ୍ରା ମଧ୍ୟ ବଢ଼ିବଢ଼ି ଚାଲିଛି । ସରକାରଙ୍କ ବାୟୁ ଗୁଣବତ୍ତା ବା ଏୟାର କ୍ୱାଲିଟି ଇଣ୍ଡେକ୍ସ ୫୦ ତଳକୁ ରହିଲେ ଭଲ । ୫୧ରୁ ୨୦୦ ପର୍ଯ୍ୟନ୍ତ ଏକ୍ୟୁଆଇ ତାହା ଖରାପ ହେଲେ ବି ଚଳନୀୟ । କିନ୍ତୁ ୨୦୦ରୁ ୪୦୦ ପର୍ଯ୍ୟନ୍ତ ଏହା ଖରାପ ଓ ଅତି ଖରାପ ସ୍ତରରେ ରହୁଥିବାବେଳେ ୪୦୦ ଟପିଲେ ଭୟଙ୍କର ବୋଲି ସରକାର ନିଜେ ସ୍ୱୀକାର କରୁଛନ୍ତି । କିନ୍ତୁ ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ବାଲେଶ୍ୱର, ରାଉରକେଲା, ଝାରସୁଗୁଡ଼ା, ଅନୁଗୁଳ ପର୍ଯ୍ୟନ୍ତ ବହୁ ସହରରେ ବାୟୁର ଗୁଣବତ୍ତା ଅତି ଖରାପ । କଳକାରଖାନାରୁ ନିର୍ଗତ ଧୂଆଁ ଓ ଗୁଣ୍ଡ, ଖଣି ଅଞ୍ଚଳରୁ ନିର୍ଗତ ଗୁଣ୍ଡ ଏବଂ ଯାନବାହାନରୁ ବାହାରୁଥିବା ଧୂଆ ଆଦି ଯୋଗୁ ବାୟୁ ପ୍ରଦୂଷଣ ବଢ଼ୁଛି । ଏଥିସହ ତାଳ ଦେଇ ଶବ୍ଦ ଓ ଆଲୋକ ପ୍ରଦୂଷଣ ଜନିତ କାରଣରୁ ଲୋକେ ବି ମରୁଛନ୍ତି । ତେଣୁ କେବଳ ସରକାରୀ ସ୍ତରରେ ନୁହେଁ, ବ୍ୟକ୍ତି ସ୍ତରରୁ ପରିବେଶ ସୁରକ୍ଷା ପାଇଁ ଗଣଆନ୍ଦୋଳନର ଆବଶ୍ୟକତା ଉପରେ ପରିବେଶବିତ୍‍ମାନେ ଗୁରୁତ୍ୱାରୋପ କରୁଛନ୍ତି ।