ମୃତ୍ୟୁ ସହ ଲଢେଇ କରି କରି ଶେଷରେ ହାରିଗଲେ ହ୍ୟୁମାନ ସାଗର । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା ।
ଆଉ ନାହାନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା । ଲିଭର୍ ଓ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ ହ୍ୟୁମାନ । ସେ ଶ୍ୱାସକ୍ରିୟା ଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଥିଲେ । ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଥିଲା । ଡାକ୍ତରଙ୍କ ସତଚେଷ୍ଟା ପରେ ବି ହ୍ୟୁମାନ୍ଙ୍କ ଦେହାନ୍ତ ହୋଇଛି । ଆଉ ସେ ଚିରନିଦ୍ରାରେ ଶୋଇଯାଇଛନ୍ତି ।
ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍ରେ ବହୁ ରୋମାଣ୍ଟିକ୍ ଗୀତ ଭେଟି ଦେଇଥିବା ହ୍ୟୁମାନ୍ ସାଗର ଘରେ ଘରେ ପରିଚିତ । ହ୍ୟୁମାନ୍ ସାଗରଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିଲେ ଲକ୍ଷ ଲକ୍ଷ ଫ୍ୟାନ୍ସ । ଅଧିକ ଚିକିତ୍ସା ଲାଗି ତାଙ୍କୁ ରାଜ୍ୟ ବାହାରକୁ ନେବା ପାଇଁ ଯୋଜନା ରହିଥିଲା । ଏଥିପାଇଁ ରାଜ୍ୟ ସରକାରଙ୍କୁ ସହାୟତା କରିବାକୁ ଆକୁଳ ନିବେଦନ କରିଥିଲେ ତାଙ୍କ ମାଆ ଓ ସ୍ତ୍ରୀ ।
ହ୍ୟୁମାନଙ୍କ ପରଲୋକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।