ଓଡ଼ିଶା ସରକାର ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣି ନୂଆ ପରୀକ୍ଷା ବ୍ୟବସ୍ଥା ଓ ମୂଲ୍ୟାୟନ ପ୍ରକ୍ରିୟା ଲାଗୁ କରିଛନ୍ତି । ଜାତୀୟ ଶିକ୍ଷା ନୀତି-୨୦୨୦ ଓ ଜାତୀୟ ପାଠ୍ୟକ୍ରମ ଢ଼ାଂଚା-୨୦୨୩ ଅନୁରୂପ ରାଜ୍ୟରେ ପଂଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା ଓ ମୂଲ୍ୟାୟନ(ଖାତା ଦେଖା) ପଦ୍ଧତି ପାଇଁ ବିସ୍ତୃତ ଗାଇଡଲାଇନ୍ ଜାରି କରିଛି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ।
ଏହି ନୂଆ ବ୍ୟବସ୍ଥାରେ ପିଲାମାନେ କେବଳ ମୁଖସ୍ଥ ବା ଘୋଷା ପାଠକୁ ନଲେଖି ପ୍ରତ୍ୟେକ ବିଷୟକୁ ବୁଝିବା, ଚିନ୍ତା କରିବା ଓ ବାସ୍ତବ ଜୀବନରେ ଜ୍ଞାନର ପ୍ରୟୋଗ କରି ଦକ୍ଷତା ଆଧାରିତ ନିଜକୁ ଗଢ଼ିବା ଉପରେ ଗୁରୁତ୍ୱ ଦେବେ । ପିଲାମାନଙ୍କୁ ଘୋଷା ପାଠ ବା ମୁଖସ୍ଥ ପାଠ ବଦଳରେ ଦକ୍ଷତା ଆଧାରିତ ପରୀକ୍ଷା ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ପରୀକ୍ଷାଗୁଡ଼ିକ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଅଗ୍ରଗତିକୁ ଯାଂଚ କରିବା ପାଇଁ ଏକ ‘ଡାଇଗ୍ନୋଷ୍ଟିକ ଟୁଲ’ ଭାବେ କାର୍ଯ୍ୟ କରିବ । ଏହି ନୂତନ ଢାଂଚାର ମୂଲ୍ୟାୟନ ପ୍ରକ୍ରିୟା ଦ୍ୱାରା କେଉଁ ପିଲା କିଭଳି ଦୁର୍ବଳ ରହିଛି ତାହା ଚିହ୍ନଟ କରି ଶିକ୍ଷକମାନେ ସେହି ଆଧାରରେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଯୋଜନା କରିପାରିବେ ବୋଲି ଗାଇଡଲାଇନରେ ସରକାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।
ପରୀକ୍ଷା ଢ଼ାଞ୍ଚା ଓ ମାର୍କ ମୂଲ୍ୟାୟନ
ନୂଆ ନିୟମ ଅନୁସାରେ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ପରୀକ୍ଷା ଢାଂଚାରେ ପରିବର୍ତ୍ତନ କରାଯାଇଛି । ପ୍ରତ୍ୟେକ ବିଷୟରେ ମୋଟ ୫୦ମାର୍କର ମୂଲ୍ୟାୟନ କରାଯିବ । ପଂଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୧୦ମାର୍କର ‘ମୌଖିକ ପରୀକ୍ଷା’ ଏବଂ ୪୦ ମାର୍କର ‘ଲିଖିତ ପରୀକ୍ଷା’ ରହିବ । ଏଥିରେ ମୌଖିକ ପ୍ରଶ୍ନଗୁଡ଼ିକ ଅବଜେକ୍ଟିଭ ଟାଇପ(୧ ମାର୍କ ବିଶିଷ୍ଟ) ରହିବ । ସେହିପରି ଅଷ୍ଟମ ଶ୍ରେଣୀରେ କୌଣସି ମୌଖିକ ପରୀକ୍ଷା ରହିବ ନାହିଁ । ସମସ୍ତ ୫୦ମାର୍କ ସମ୍ପୂର୍ଣ୍ଣ ଭାବେ ଲିଖିତ ପରୀକ୍ଷା ଉପରେ ଆଧାରିତ ରହିବ ।
ପ୍ରଶ୍ନପତ୍ରର ନୂଆ ଢ଼ାଞ୍ଚା , ବାସ୍ତବବାଦୀ ଶିକ୍ଷା ଉପରେ ଗୁରୁତ୍ୱ
ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ପ୍ରଶ୍ନପତ୍ରର ଢ଼ାଂଚାକୁ ଏବେ ‘ଦକ୍ଷତା ଆଧାରିତ’ ଭାବେ ପୁନଃବିକଶିତ କରାଯାଇଛି । ପ୍ରଶ୍ନପତ୍ରରେ ପ୍ରଥମ ସମେଟିଭ ଆସେସମେଂଟ(ଏସଏ୧) ପୂର୍ବରୁ ପଢ଼ାଯାଇଥିବା ବିଷୟବସ୍ତୁ ଉପରେ ୩୦ ପ୍ରତିଶତ ଗୁରୁତ୍ୱ ଓ ଏସଏ୧ ପରେ ପଢ଼ାଯାଇଥିବା ବିଷୟବସ୍ତୁ ଉପରେ ୭୦ପ୍ରତିଶତ ଗୁରୁତ୍ୱ ଦିଆଯିବ । ଏହାସହିତ ପ୍ରଶ୍ନପତ୍ରରେ କଠିନତା ସ୍ତରକୁ ସନ୍ତୁଳିତ ରଖିବା ପାଇଁ ସହଜ ପ୍ରଶ୍ନ-୩୦% , ଆଭରେଜ୍ ପ୍ରଶ୍ନ ୪୦ ପ୍ରତିଶତ ଓ କଠିନ ପ୍ରଶ୍ନ ୩୦% ରହିବ । ଉଭୟ ଶ୍ରେଣୀରେ ୩୦ ମାର୍କ(୬୦%) ସବଜେକ୍ଟିଭ ପ୍ରଶ୍ନ ରହିବ । ଯେଉଁଥିରେ ୫ ମାର୍କବିଶିଷ୍ଟ ଦୀର୍ଘ ଉତ୍ତର ଶୈଳୀ, ୩ମାର୍କର ସ୍ୱଳ୍ପ ଉତ୍ତର ଶୈଳୀ ଏବଂ ୨ମାର୍କର ‘ ଅତି ସ୍ୱଳ୍ପ ଉତ୍ତର ଶୈଳୀର ପ୍ରଶ୍ନ ସାମିଲ ଅଛି । ବାକି ୨୦ ମାର୍କ (୪୦%) ଅବଜେକ୍ଟିଭ ପ୍ରଶ୍ନ(୧ମାର୍କ ବିଶିଷ୍ଟ) ରହିବ । ଏଭଳି ପ୍ରଶ୍ନ ଶୈଳୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶୀଘ୍ର ଉତ୍ତର ଦେବାର ଦକ୍ଷତାର ମୂଲ୍ୟାୟନ କରାଯିବ । ଏହି ନୂଆ ଢ଼ାଂଚା ଦ୍ୱାରା ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ଦକ୍ଷତା ଆଧାରିତ ମୂଲ୍ୟାୟନ ପ୍ରକ୍ରିୟାକୁ ଏକ ନୂଆ ଦିଗ ଦିଆଯାଇଛି ।
ପାସ୍ ମାନଦଣ୍ଡ ଓ କ୍ଲାସ ପ୍ରମୋସନ ନିୟମ
ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ ମୋଟ୍ ୩୦ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ ହେବ । ପଦୋନ୍ନତି ପାଇଁ ମୋଟ୍ ମାର୍କକୁ ବାର୍ଷିକ ପରୀକ୍ଷା (ଏସଏ୨) ଓ ଇଣ୍ଟରନାଲ ଆସେସମେଂଟ, ଏସଏ୧ ଲିଖିତ ପରୀକ୍ଷା ଓ ପ୍ରୋଜେକ୍ଟ ୱାର୍କର ମିଶ୍ରିତ ଫଳାଫଳ ଆଧାରରେ ହିସାବ କରାଯିବ । ପଂଚମ ଶ୍ରେଣୀ ପାଇଁ ‘ଇଂଟରନାଲ ଆସେସମେଂଟ ୬୦% ଓ ବାର୍ଷିକ ପରୀକ୍ଷା ୪୦% ରହିଥିବାବେଳେ ଅଷ୍ଟମ ଶ୍ରେଣୀ ନିମନ୍ତେ ଉଭୟ ଇଂଟରନାଲ ଆସେସମେଂଟ ଓ ବାର୍ଷିକ ପରୀକ୍ଷା ୫୦% ମାର୍କ ଲେଖାଏଁ ରହିବ ।
ମୂଲ୍ୟାୟନ ଓ ପୁଣିଥରେ ପରୀକ୍ଷାର ସୁଯୋଗ
ବାର୍ଷିକ ପରୀକ୍ଷାଗୁଡ଼ିକୁ ଫେବୃୟାରୀ ମାସରେ କରାଯିବ । ମାର୍ଚ୍ଚ ମାସର ଶେଷ ସପ୍ତାହରେ ଫଳାଫଳ ସ୍କୁଲସ୍ତରରେ( School ) ଘୋଷଣା କରାଯିବ । ଉତ୍ତର ଖାତାଗୁଡ଼ିକ ସ୍କୁଲସ୍ତରରେ ସମ୍ପୃକ୍ତ ବିଷୟର ଶିକ୍ଷକମାନଙ୍କ ଦ୍ୱାରା ମୂଲ୍ୟାୟନ କରାଯିବ । ଯେଉଁ ଛାତ୍ରଛାତ୍ରୀ ମୋଟ ୩୦ ପ୍ରତିଶତ ପାସ ମାର୍କ ଆଣିପାରିନଥିବେ, ସେମାନଙ୍କୁ ଶିକ୍ଷା ସୁଧାରିବା ପାଇଁ ସୁଯୋଗ ପ୍ରଦାନ କରାଯିବ । ସ୍କୁଲ ପକ୍ଷରୁ ୪ରୁ ୬ ସପ୍ତାହ ଧରି ରେମିଡିଏଲ ଶିକ୍ଷା କାର୍ଯ୍ୟକ୍ରମ ଚାଲିବ, ଯେଉଁଥିରେ ପ୍ରତିଦିନ ୨-୩ଘଣ୍ଟା ଧରି ଫୋକସ୍ କ୍ଲାସ ହେବ । ଏହି କ୍ଲାସରେ ଛାତ୍ରଛାତ୍ରୀଙ୍କ ଦୁର୍ବଳ ଅଂଶ ବୁଝି ଶିକ୍ଷକମାନେ ସହଜ ଧାରଣା ଓ କାର୍ଯ୍ୟାଧାରିତ ଶିକ୍ଷା(Education) ଦେବେ । ଯାହା ଦ୍ୱାରା ପିଲାମାନେ ପୁଣି ଏକ ସୁଯୋଗ ହାସଲ କରିପାରିବେ ।
ଶିକ୍ଷକମାନେ ଉତ୍ତର ଖାତା ବିଶ୍ଲେଷଣ କରି ଛାତ୍ରଛାତ୍ରୀଙ୍କର ‘ଲର୍ଣ୍ଣିଂ ଗ୍ୟାପ’ ଚିହ୍ନଟ କରିବେ । ରେମିଡିଏସନ୍ ପ୍ରୋଗ୍ରାମ ପରେ ଏକ ସପ୍ଲିମେଂଟାରୀ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷାରେ କେବଳ ପରୀକ୍ଷା ମାର୍କକୁ ୧୦୦ ପ୍ରତିଶତ ଗୁରୁତ୍ୱ ଦିଆଯିବ ଓ କୌଣସି ଉଣ୍ଟରନାଲ ଆସେସମେଂଟ ମାର୍କ’କୁ ବିଚାର କରାଯିବ ନାହିଁ । ବାର୍ଷିକ ପରୀକ୍ଷାର ‘ବ୍ଲୁପ୍ରିଣ୍ଟ ଏଥିରେ ବ୍ୟବହୃତ ହେବ । ଏହି ଗାଇଡଲାଇନ୍ ‘ଓଡ଼ିଶା ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମାବଳୀ-୨୦୧୦ର ସଂଶୋଧନ ଅନୁଯାୟୀ କାର୍ଯ୍ୟକାରୀ ହେବ।