ପବିତ୍ର ବିଜୟା ଦଶମୀ ଅବସରରେ ଆଜି ରାଜ୍ୟରେ ଦଶହରା ହର୍ଷୋଲ୍ଲାସର ସହିତ ପାଳନ କରାଯାଉଛି। ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଉଛି। ମନ୍ତ୍ର-ତନ୍ତ୍ର, ଚଣ୍ଡିପାଠ ସହିତ ମାଆ ଦୁର୍ଗାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଉଛି। ପୂଜାମଣ୍ଡପରେ ଶ୍ରଦ୍ଧାଳୁମାନଙ୍କର ଗହଳି ଲାଗିଛି। ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଭକ୍ତମାନଙ୍କର ବିଶ୍ବାସ ରହିଛି ଯେ, ଆଶ୍ବିନ ଶୁକ୍ଲପକ୍ଷ ଦଶମୀ ତିଥିରେ ମାଆ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କଲେ ଦଶଜନ୍ମର ପାପରୁ ମୁକ୍ତି ମିଳିଥାଏ। କେବଳ ଏତିକି ନୁହେଁ, ଏହି ଦିନଟି ଅତ୍ୟନ୍ତ ଶୁଭ ହୋଇଥିବାରୁ ଅନେକ କାମ ଶୁଭାରମ୍ଭ କରାଯାଇଥାଏ।
ଦଶହରା ଅବସରରେ ରାଜ୍ୟର ଅନେକଗୁଡ଼ିଏ ଦୁର୍ଗାପୂଜା କମିଟି ପକ୍ଷରୁ ଆଜି ରାବଣପୋଡ଼ି ଆୟୋଜନ କରାଯାଇଛି। ସଂଜ ନଇଁଲେ ରାବଣପୋଡ଼ି କାର୍ଯ୍ୟକ୍ରମର ଆୟୋଜନ ହେବ। ଆତାଶବାଜି ଓ ବାଣ ଫୁଟିବ। ରାବଣର କୁଶପୁତ୍ତଳିକା ଜଳିବା ସହିତ ଚଳିତ ବର୍ଷର ବିଜୟା ଦଶମୀ ସଂପନ୍ନ ହେବ।
ରାବଣପୋଡ଼ି କାହିଁକି?
କିମ୍ବଦନ୍ତୀ ଅନୁସାରେ ଆଶ୍ବିନ ମାସ ଶୁକ୍ଲପକ୍ଷ ଦଶହରା ଦିନ ଭଗବାନ ଶ୍ରୀରାମଚନ୍ଦ୍ର ମଧ୍ୟ ମାତୃଶକ୍ତି ବନଦୁର୍ଗାଙ୍କୁ ପୂଜା କରି ପ୍ରବଳ ପ୍ରତାପୀ ରାବଣକୁ ବଧ କରିଥିଲେ। ତେଣୁ ଦଶହରାକୁ ସତ୍ୟ ଉପରେ ଅସତ୍ୟର ବିଜୟ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଉଛି। ବିଜୟା ଦଶମୀ ଦିନ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଆୟୋଜନ କରାଯାଉଛି।
ଭୁବନେଶ୍ବରରେ କେଉଁଠି ହେବ ରାବଣପୋଡି
ଚଳିତବର୍ଷ ରାଜଧାନୀ ଭୁବନେଶ୍ବରରେ ୭ଟି ସ୍ଥାନରେ ରାବଣପୋଡି ଅନୁଷ୍ଠିତ ହେବ। । ପାହାଳ ଥାନା ଅନ୍ତର୍ଗତ ନହରକଣ୍ଟା , ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା, ବଡଗଡ଼ ଥାନା ଅନ୍ତର୍ଗତ କୋରଡକଣ୍ଟା, ବଡଗଡ଼ ଥାନା ଅନ୍ତର୍ଗତ ବାଙ୍କୁଆଳ , ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଗୋପାଳପୁର, ଇନ୍ଫୋସିଟି ଥାନା ଅନ୍ତର୍ଗତ କିଟ ରୋଡ଼ ଓ ଏୟାରଫିଲଡ଼ ଥାନା ଅନ୍ତର୍ଗତ କପିଳପ୍ରସାଦ ଫୁଟବଲ ପଡିଆ ଠାରେ ଆଜି ଅନୁଷ୍ଠିତ ହେବ ରାବଣ ପୋଡି।
ଭୁବନେଶ୍ୱରରେ କମିଶନରେଟ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ୭ ଟି ସ୍ଥାନରେ ରାବଣ ପୋଡି ପାଇଁ ଅନୁମତି ଦିଆଯାଇଛି । ଦର୍ଶକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁନିଶ୍ଚିତ କରିବା ପାଇଁ ବରମୁଣ୍ଡା ପୂଜା ମଣ୍ଡପ ଠାରେ ଅଗ୍ନିଶମ ଅଧିକାରୀ ମାନେ ଯାଞ୍ଚ କରିଛନ୍ତି । ବାଣ ଫୁଟିବା ସ୍ଥାନ ଠାରୁ ଶହେ ମିଟର ଦୂରରେ ଲୋକମାନେ ରହିବେ। ଏଥିପାଇଁ ବ୍ୟାରିକେଡ କରାଯାଇଛି । ବିଶେଷ ଶବ୍ଦ ପ୍ରଦୂଷଣ ନହେବା ପାଇଁ ଗ୍ରୀନ କ୍ରାକର୍ ର ବ୍ୟବହାର ପାଇଁ ପୂର୍ବରୁ ପୂଜା କମିଟି ଗୁଡିକୁ ନିର୍ଦ୍ଦେଶ ରହିଛି । କୌଣସି ଅଘଟଣ ଘଟିଲେ ରାବଣ ପୋଡି ହେଉଥିବା ସ୍ଥାନରେ ଫାୟାର ଫାଇଟର ମନେ ଆମ୍ବୁଲାନ୍ସ ସହ ରହିବେ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ।