ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ଏ ବିଶ୍ୱ ବ୍ରହ୍ମାଣ୍ଡରେ ପୁଣ୍ୟ ଅର୍ଜନ କେବଳ ମାନବ ପକ୍ଷେ ସମ୍ଭବ। ଏଣୁ ମାନବ ଜୀବନକୁ ଦୁର୍ଲଭ ବୋଲି କୁହାଯାଏ। ମଣିଷର ଜନ୍ମ, ମୃତ୍ୟୁ ଉଭୟ ପ୍ରକୃତି ଦ୍ବାରା ନିୟନ୍ତ୍ରିତ ଓ ପରିଚାଳିତ। କିନ୍ତୁ ଅନେକ କ୍ଷେତ୍ରରେ ବିଭିନ୍ନ କାରଣ ନେଇ ମଣିଷ ଅପମୃତ୍ୟୁର ଶିକାର ହୋଇଥାଏ। ବିଭିନ୍ନ ଆକସ୍ମିକ ମୃତ୍ୟୁକୁ ଛାଡ଼ିଲେ ସବୁଠାରୁ ଯନ୍ତ୍ରଣାଦାୟକ ଓ ବୀଭତ୍ସ ମୃତ୍ୟୁ ସେତେବେଳେ ପରିଗଣିତ ହୋଇଥାଏ ଯେତେବେଳେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ନିଜର ବିକୃତ ମାନସିକତାକୁ ପଦାରେ ପକାଇଥାଏ।
ବିଗତ କିଛି ବର୍ଷକୁ ଯଦି ଦେଖିବା ତେବେ ଦିନକୁ ଦିନ ବୃଦ୍ଧି ପାଉଛି ଆତ୍ମହତ୍ୟା ପ୍ରବଣତା । କାଳ ଡାକିଲା ଭଳି ଭୁଲ୍ ନିଷ୍ପତ୍ତି ଯୋଗୁଁ ଅକାଳରେ ଚାଲିଯାଉଛି ମୂଲ୍ୟବାନ ଜୀବନ। ଅର୍ଥଚିନ୍ତା, ପାଠପଢା ଓ ପ୍ରେମରେ ବିଫଳତା ପାଇଁ ଅନେକ ଆତ୍ମହତ୍ୟା ଘଟଣା ପଦାକୁ ଆସୁଛି। ସେ ଯୁବକ ହୁଅନ୍ତୁ କିମ୍ବା ଯୁବତୀ ଆତ୍ମହତ୍ୟାର ବାଟ ବାଛିନେଇଛନ୍ତି। କଲେଜ ପଢ଼଼ୁଆ ଯୁବପିଢ଼ି ପ୍ରେମରେ ବିଫଳ ହେବା ପରେ ଆତ୍ମହତ୍ୟା କରୁଛନ୍ତି। କେତେକ ଯୁବପିଢି ପ୍ରେମର ବିଫଳ ହେଲା ପରେ ଲାଇଭ୍ ସୁଇସାଇଡ଼୍ ମଧ୍ୟ କରୁଥିବା ଦେଖାଯାଉଛି। ସେହିପରି ବାପା ଓ ମା’ ତାଗିଦ୍ କରିବାରୁ କିଛି କୋମଳମତି ପିଲା ଆତ୍ମହତ୍ୟା କରୁଥିବା ମଧ୍ୟ ଦେଖାଯାଇଛି।
କଥାରେ ଅଛି ଆତ୍ମହତ୍ୟା ମହାପାପ। ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ପ୍ରତି ସମଗ୍ର ବିଶ୍ବରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ ଭାବରେ ପାଳନ କରାଯାଏ । ୨୦୦୩ ମସିହାରୁ ସମଗ୍ର ବିଶ୍ବରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଏହି ଦିବସ ପାଳନ ହୋଇଆସୁଛି । ସାରା ବିଶ୍ୱରେ ଆତ୍ମହତ୍ୟା ଭଳି ଏକ ଅପରାଧ ବିରୋଧରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ଦ ଇଣ୍ଟରନ୍ୟାସନାଲ ଆସୋସିଏସନ୍ ଫର୍ ସୁଇସାଇଡ୍ ପ୍ରିଭେନସନ୍’ (ଆଇଏଏସ୍ପି) ନାମକ ସଂଗଠନ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ତଥା ଡବ୍ଲ୍ୟୁଏମ୍ଏଚ୍ ମିଳିତ ଆନୁକୂଲ୍ୟରେ ୨୦୦୩ ମସିହାରୁ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସର ଆରମ୍ଭ କରାଯାଇଛି।
ସମାଜବିଜ୍ଞାନୀଙ୍କ ମତରେ ପ୍ରତ୍ୟେକ ମଣିଷଙ୍କୁ ସମସ୍ୟା ଦେଇ ଗତି କରିବାକୁ ପଡ଼ିବ। ନକାରାତ୍ମକ ପରିବେଶ ଓ ପରିସ୍ଥିତିକୁ ସାମ୍ନା କରିବାକୁ ହୁଏ। କିନ୍ତୁ ଯେଉଁ ବ୍ୟକ୍ତି କ୍ଷଣିକ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ନ ପାରି ଆତ୍ମହତ୍ୟାକୁ ଆବୋରି ବସେ ସେ ନିଜକୁ ନିଜେ ପରାଜିତ ବୋଲି ପ୍ରମାଣିତ କରିଥାଏ ଓ ନିଜର ବିକୃତ ମାନସିକତାର ପ୍ରମାଣ ଦେଇଥାଏ। ମଣିଷ ସୃଷ୍ଟିର ଶ୍ରେଷ୍ଠ ଜୀବ ହୋଇ କେମିତି ନିଜକୁ ବୁଝିପାରେନି, କାହିଁକି ଆବୋରି ବସେ ଆତ୍ମହତ୍ୟା ଭଳି ନିକୃଷ୍ଟ ପନ୍ଥାକୁ ?
୩ ବର୍ଷରେ ଜୀବନ ହାରିଛନ୍ତି ୧୭,୭୭୮
ଦିନକୁ ଦିନ ବଢ଼ି ଚାଲିଛି ଆତ୍ମହତ୍ୟା। ବିଭିନ୍ନ କାରଣରୁ କ୍ଷଣିକ ଉତ୍ତେଜନାରେ ବଶୀଭୂତ ହୋଇ ଅନେକ ଜୀବନହାରିବା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି। ପ୍ରତିବର୍ଷ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି ଓ ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢ଼ି ଚାଲିଛି। ନିସଙ୍ଗତା ଓ ମାନସିକ ଅବସାଦ ଯୋଗୁ ଅନେକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିବା ମନସ୍ତତ୍ୱବିତ୍ମାନେ ମତ ଦେଉଛନ୍ତି ।
ପରିସଂଖ୍ୟାନ ଅନୁସାରେ ଗତ ୩ବର୍ଷରେ ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ସଂଖ୍ୟା ୫୮% ବୃଦ୍ଧି ପାଇଛି। ୨୦୨୧ ମସିହାରେ ରାଜ୍ୟରେ ୫୬୪୯ ଜଣ ଆତ୍ମହତ୍ୟା କରିଥିବା ବେଳେ ସେମାନଙ୍କ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିଲା ୧୧୯। ୨୦୨୨ରେ ୬୧୪୦ ଆତ୍ମହତ୍ୟା ପଞ୍ଜିକୃତ ହୋଇଥିଲା ଓ ଏହାମଧ୍ୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ରହିଥିଲା ୧୭୩ । ସେହିପରି ୨୦୨୩ରେ ରାଜ୍ୟର ବିଭିନ୍ନ ଥାନାରେ ୫୯୮୯ ଆତ୍ମହତ୍ୟା ମାମଲା ରୁଜୁ ହୋଇଥିଲା ଏବଂ ଏହା ମଧ୍ୟରେ ୧୮୯ ଜଣ ଛାତ୍ରଛାତ୍ରୀ ଥିବା ସୂଚନା ମିଳିଛି।
ଗତ ୩ବର୍ଷରେ ରାଜ୍ୟରେ ୧୭,୭୭୮ଜଣ ଜୀବନ ହାରିଥିବା ରିପୋର୍ଟ ବିଭିନ୍ନ ଥାନାରେ ଦରଜ ହୋଇଛି। ଆତ୍ମହତ୍ୟା ପାଇଁ ପାରିବାରିକ ସମସ୍ୟା, ପ୍ରେମ ବ୍ୟାପାର, ଅସଫଳତା ଓ ମାନସିକ ଅସ୍ଥିରତାକୁ ଦାୟୀ କରାଯାଉଛି। କିଏ ଫାଶୀରେ ଝୁଲୁଛି ତ କିଏ ବିଷ ପିଇ ଜୀବନ ହାରୁଛି । କେହି ପାଣିକୁ ଡେଇଁ ଆତ୍ମହତ୍ୟା କରୁଛି, କିଏ ପୁଣି ଦେହରେ ନିଆଁ ଲଗାଇ, କିଏ ଟ୍ରେନ୍ ଆଗକୁ ଡେ଼ଇଁ ଜୀବନ ହାରୁଛି । ପ୍ରତିଦିନ ଏପରି ଖବର ଗଣମାଧ୍ୟମର ଶିରୋନାମା ପାଲଟୁଛି । ସବୁଠାରୁ ଗୁରତ୍ୱପୂର୍ଣ୍ଣ ଘଟଣା ହେଉଛି ମୋଟ ଆତ୍ମହତ୍ୟାର ୭୦ ପ୍ରତିଶତ ହେଉଛନ୍ତି କେବଳ ଯୁବପିଢ଼ି ।
୧୮ରୁ ୨୫ ବର୍ଷର ଯୁବବର୍ଗ ବା ବିଦ୍ୟାର୍ଥୀ ପ୍ରେମ, ପାଠପଢ଼ା ଚାପ, ପରିବାରଲୋକଙ୍କ ତାଗିଦ୍ ପାଇଁ ଆତ୍ମହତ୍ୟା କରୁଥିବାବେଳେ ୨୫ରୁ ୪୦ ବୟସ ବର୍ଗର ଲୋକମାନେ ପାରିବାରିକ କହଳ, ସଂସାର ବୋଝ, କର୍ମକ୍ଷେତ୍ରରେ ଚାପ କିମ୍ବା ବ୍ୟବସାୟରେ କ୍ଷତି ସହି ନପାରି ଆତ୍ମହତ୍ୟା ରାସ୍ତାକୁ ଆପଣାଉଥିବା ସୂଚନା ରହିଛି।
ପରିବାର ଠାରୁ ଦୂରରେ ରହୁଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏଭଳି ଆତ୍ମହତ୍ୟା ଘଟଣା ଅଧିକ ଦେଖିବାକୁ ମିଳୁଛି। ଏ ସଂକ୍ରାନ୍ତରେ ମନସ୍ତତ୍ତ୍ୱିତ୍ କୁହନ୍ତି ଯେ ଆତ୍ମହତ୍ୟାର ମୂଳ କାରଣ ହେଉଛି ନିଃସଙ୍ଗତା। ଯେଉଁମାନେ ବିଭିନ୍ନ କାରଣରୁ ମାନସିକ ଚିନ୍ତାରେ ରହୁଛନ୍ତି ସେମାନଙ୍କୁ ପରିବାର, ବନ୍ଧୁ କିମ୍ବା କର୍ମକ୍ଷେତ୍ରରେ ସହଯୋଗୀମାନେ ଏକାକୀ ନ କରି ସହଯୋଗ କଲେ ବ୍ୟକ୍ତିର ମାନସିକ ସ୍ଥିତି ବଦଳିଥାଏ। ତେଣୁ ଏଥିପ୍ରତି ସମସ୍ତେ ଗୁରୁତ୍ୱ ଦେବା ଉଚିତ୍। ବିଶେଷ କରି ବର୍ତ୍ତମାନ ଅଧିକ ଯୁବଗୋଷ୍ଠୀ ଡିଜିଟାଲ ଦୁଃଖ ବା ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି। ଅଧିକ ସମୟ ଧରି ରିଲସ୍ ଦେଖିବା, ବିଭିନ୍ନ ପ୍ରକାର ଗେମ୍ ଖେଳିବା, ଅନ୍ୟର ଜୀବନଶୈଳୀକୁ ନିଜ ଜୀବନ ସହ ତୁଳନା କରି ଦୁଃଖ ପ୍ରକାଶ କରିବା, ସାମାଜିକ ଗଣମାଧ୍ୟରେ ଲାଇକ୍ କମିବାର ଚିନ୍ତା ଆଦି ଯୁବଗୋଷ୍ଠୀଙ୍କ ବ୍ୟବହାରରେ ପରିବର୍ତ୍ତନ କରିବା ସହ ମାନସିକ କ୍ଷେତ୍ରରେ ମଧ୍ୟ ଦୁର୍ବଳ ଅନୁଭବ ହୋଇଥାଏ। ଯାହାକି ସେମାନେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିନପାରି ଆତ୍ମହତ୍ୟା ପାଇଁ ମନସ୍ଥ କରିଥାନ୍ତି। ତେବେ ଆତ୍ମହତ୍ୟା କେବେହେଲେ ଏକ ତତ୍କ୍ଷଣାତ୍ ନିଷ୍ପତ୍ତି ନୁହେଁ, ଏଥିପାଇଁ ପୂର୍ବରୁ ମାନସିକ ଭାବେ ଚିନ୍ତା କରାଯାଇଥାଏ। ତେବେ ଯେଉଁମାନେ ମାନସିକ ଭାବେ ଦୁର୍ବଳ ସେମାନେ ଛୋଟ ଛୋଟ କଥାକୁ ମନ ଭିତରେ ଗଭୀର ଭାବେ ଚିନ୍ତା କରି ଏଭଳି ନିଷ୍ପତ୍ତି ନେଉଛନ୍ତି।
ଏକ ରିପୋର୍ଟ ଅନୁସାରେ ଭାରତରେ ପ୍ରତି ୩ମିନିଟରେ ଜଣେ ଆତ୍ମହତ୍ୟା କରୁଥିବା ବେଳେ ଓଡ଼ିଶାରେ ପ୍ରତି ୧୦ଜଣଙ୍କ ମଧ୍ୟରୁ ଜଣେ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଛନ୍ତି। ସାମାଜିକ ଗଣମାଧ୍ୟମ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର ନକରିବା, ପରିବାର ସଦସ୍ୟଙ୍କ ସହ ମନଖୋଲି କଥାବାର୍ତ୍ତା କରିବା କାର୍ଯ୍ୟକ୍ଷେତ୍ର ହେଉ ଅବା ବ୍ୟକ୍ତିଗତ କ୍ଷେତ୍ରରେ ଭଲ ବନ୍ଧୁଙ୍କ ସହ ସମ୍ପର୍କ ରଖିବା, ରାତିରେ ଭଲ ନିଦରେ ଶୋଇବା ଆଦିକୁ ଗୁରୁତ୍ୱ ଦେବା ନିହାତି ଜରୁରୀ।
ମାନସିକ ସ୍ଥିତି ଓ ପରିସ୍ଥିତି
ମାନସିକ ରୋଗ ବିଶେଷଜ୍ଞଙ୍କ କହିବାନୁଯାୟୀ, ସାଧାରଣତଃ ଜଣେ ଆତ୍ମହତ୍ୟା କରିବା ପୂର୍ବରୁ ତା’ର ମାନସିକ ସ୍ଥିତି ୪ ପ୍ରକାର ଜଟିଳ ପରିସ୍ଥିତି ଦେଇ ଗତି କରୁଥାଏ। ସେଗୁଡ଼ିକ ହେଲା ଅହଂବାଦ, ପରଶ୍ରୀକାତରତା, ନିରାଶ ଭାବ ଓ ଭାଗ୍ୟବାଦ। ଯେତେବେଳେ ମଣିଷ ମନରେ ଅହଂଭାବ ମାତ୍ରାଧିକ ବଢ଼ି ଯାଇଥାଏ, ସେତେବେଳେ ନିଜକୁ ଏକାକୀ ଭାବିଥାଏ। ସେ ନିଜକୁ ଅନ୍ୟମାନଙ୍କ ପାଖରେ ରହିବାକୁ ପସନ୍ଦ କରି ନ ଥାଏ। ତେଣୁ ସେ ଆତ୍ମହତ୍ୟାକୁ ଆପଣେଇ ନେଇଥାଏ।
ଓଡ଼ିଆରେ ଏକ ଢଗ ଅଛି ‘ଗ୍ରହୀତା ପଛେ ମରୁ, ସଉତୁଣୀ ବିଧବା ହେଉ’। ଏହାର ଅର୍ଥ ହେଉଛି ନିଜ ଜୀବନ ପଛେ ଯାଉ ଅନ୍ୟର ଉନ୍ନତିକୁ ସହ୍ୟ ନ କରିବା ବା ଅନ୍ୟର ଉଚ୍ଚସ୍ଥିତିକୁ ଗ୍ରହଣ ନ କରିବା। ଯେଉଁଥିପାଇଁ ଅନ୍ୟମାନଙ୍କ କ୍ଷତି କରିବାକୁ ଯାଇ ଅନେକ ଆତ୍ମହତ୍ୟା କରନ୍ତି। ବିଶେଷକରି ପ୍ରେମ ବ୍ୟାପାରରେ ହେଉ ଅବା ପରିବାରିକ କ୍ଷେତ୍ରରେ ନିଜର ପାର୍ଟନର୍ ବା ପ୍ରେମିକ/ପ୍ରେମିକାକୁ ସମସ୍ୟାରେ ପକାଇବା ପାଇଁ ଆତ୍ମହତ୍ୟା କରିଥାନ୍ତି। ମାନସିକତା ଥାଏ ମୁଁ ପଛେ ମରିବି ହେଲେ ତାକୁ ଦଣ୍ଡିତ କରିବା ବା କୋର୍ଟକୁ ପଠେଇବି। ଅନେକ କ୍ଷେତ୍ରରେ ଏହି ପ୍ରକାରର ଆତ୍ମହତ୍ୟା ଏକ ଗୋଷ୍ଠୀ ପାଇଁ ବା ଦଳର ସାମୂହିକ ଲାଭ ପାଇଁ ନିଜ ସ୍ବାର୍ଥକୁ ବଳି ଦେବା ସଦୃଶ ହୋଇଥାଏ। ଯାହାର ବଳିଷ୍ଠ ଉଦାହରଣ ହେଉଛି ଉଗ୍ରବାଦୀ ବା ଆତଙ୍କବାଦୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ।
ଆତ୍ମହତ୍ୟା ମାନସିକତାରୁ ବାହାରନ୍ତୁ
ଭାରତ ସରକାର ‘ଟେଲିମାନସ’ ନାମକ ଟୋଲ୍ ଫ୍ରି ଆଲୋଚନା ଓ ପରାମର୍ଶ ବ୍ୟବସ୍ଥା କରିଛନ୍ତି, ଯେଉଁଠି ମାନସିକ ସମସ୍ୟା ଦେଖାଦେଲେ ଲୋକେ ବିନା ଦେୟରେ ମନସ୍ତତ୍ତ୍ୱ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିପାରିବେ। ଓଡ଼ିଶାର ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକରେ ଏହାର ଦୁଇଟି ଶାଖା ରହିଛି। କିନ୍ତୁ ଲୋକେ ସେହି ସମୟରେ ଆତ୍ମହତ୍ୟା କରନ୍ତି, ଯେତେବେଳେ କାହାସହ ନିଜର କଷ୍ଟ ବାଣ୍ଟି ପାରନ୍ତି ନାହିଁ। ଆମ ଆଖପାଖରେ ଯେଉଁମାନେ ରହୁଛନ୍ତି, ଅନ୍ୟୂନ ସେମାନଙ୍କ ସହ ଆମେ ଯଦି ଉପଯୁକ୍ତ ବ୍ୟବହାର କରିପାରିବା, ତେବେ ଦେଶରୁ ଆତ୍ମହତ୍ୟା ମାନସିକତାକୁ ସମୂଳେ ନାଶ କରିପାରିବା। ପରିବାରରେ ଯେଉଁମାନେ ରହୁଛନ୍ତି, ସେମାନଙ୍କ ପ୍ରତିଟି କ୍ଷେତ୍ରରେ ଯତ୍ନ ନେବା ସମସ୍ତ ସଦସ୍ୟଙ୍କ କର୍ତ୍ତବ୍ୟ ହେବା ଉଚିତ। ପାଠ୍ୟକ୍ରମରେ ନୈତିକ ଶିକ୍ଷା କଥା ସବୁବେଳେ ସମ୍ମିଳିତ ରହେ, କିନ୍ତୁ ମାନସକୁ ପବିତ୍ର ଓ ପ୍ରକୃଷ୍ଟ ରଖିବା ନିମିତ୍ତ ନିର୍ଦ୍ଦେଶାବଳୀ ଆଜିର ଆହ୍ୱାନ। ପ୍ରତିଟି ସମସ୍ୟାର ସମାଧାନ ଅଛି, ଆବଶ୍ୟକ ରହିଛି କେବଳ ଉଦ୍ୟମର।