ଆସନ୍ତାକାଲି ଅର୍ଥାତ ରବିବାର ଭାଦ୍ରବ ଶୁକ୍ଳ ପୂର୍ଣ୍ଣିମାରେ ସଂଗଠିତ ହେବ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ। ଏହା ଚଳିତ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ଯାହା ଭାରତରେ ଦୃଶ୍ୟମାନ ହେବ। ଧାର୍ମିକ ବିଶ୍ୱାସ ଅନୁସାରେ, ଏହାକୁ ଏକ ଅଶୁଭ ସମୟ ଭାବରେ ବିବେଚନା କରାଯାଉଛି।
ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହା ୧୨ଟି ରାଶି ଏବଂ ୨୭ଟି ନକ୍ଷତ୍ରକୁ ପ୍ରଭାବିତ କରିବ, ଯାହା ଯୋଗୁଁ କିଛି ଲୋକଙ୍କୁ ଲାଭ ମିଳିବ ଏବଂ କିଛିଙ୍କୁ ସତର୍କ ରହିବାକୁ ପଡିବ। ସେପ୍ଟେମ୍ବର ୭ ଏବଂ ୮ ତାରିଖ ଅର୍ଥାତ ରବିବାର ରାତି ଏବଂ ସୋମବାର ମଝିରେ ଏହି ବିରଳ ମହାଜାଗତିକ ଦୃଶ୍ୟ ଆକାଶରେ ଦୃଶ୍ୟମାନ ହେବ । ଏହି ବିରଳ ଚନ୍ଦ୍ର ଗ୍ରହଣରେ ଜହ୍ନ ପୂରା ଲାଲ୍ ହୋଇଯିବ ବୋଲି କୁହାଯାଉଛି।
ରବିବାର ରାତି ୯ଟା ୫୮ ମିନିଟ୍ରେ ଗ୍ରହଣ ସ୍ପର୍ଶ ହୋଇ ରାତି ୧ଟା ୨୬ରେ ସର୍ବମୋକ୍ଷ ହେବ। ଗ୍ରହଣ ସ୍ପର୍ଶ ହେଉଥିବାରୁ ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ରୁ ଅନ୍ନଭୋଜନ ଓ ଦେବନୀତି ନିଷେଧ ରହିବ। ବାଳକ, ବୃଦ୍ଧ, ରୋଗୀମାନଙ୍କ ପକ୍ଷେ ନିୟମ ଲଂଘନୀୟ। ତେଣୁ ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ ପୂର୍ବରୁ ଦେବନୀତି ଶେଷ କରିବାକୁ ପଡ଼ିବ। ସର୍ବମୋକ୍ଷ ପରେ ସ୍ନାନପୂର୍ବକ ଦବନୀତି ଓ ଅନ୍ନଭୋଜନ କରାଯାଇପାରିବ। ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ କରାଯାଇଛି।
ଚନ୍ଦ୍ରଗ୍ରହଣକୁ ଏହାକୁ ଦୃଷ୍ଟିରେ ରଖି ଆଜି ରାତି ୨ଟାରେ ଦ୍ୱାରଫିଟା ନୀତି ଆରମ୍ଭ ହେବ ବୋଲି ସେମାନେ ଜଣାଇଛନ୍ତି। ଏହା ସହ ରାତି ୨.୩୦ରେ ଭିତରଶୋଧ, ୨ଟା ୪୦ରେ ମଙ୍ଗଳ ଆଳତି ଓ ମଇଲମ, ଭୋର୍ ୩ଟାରେ ତଡ଼ପଲାଗି, ୩.୩୦ରେ ଅବକାଶ ଓ ରୋଷହୋମ କରାଯିବ। ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ସରିବା ପରେ ଭୋର ୫ଟାରୁ ୬ଟା ମଧ୍ୟରେ ସକାଳ ଧୂପ (କେବଳ କୋଠଭୋଗ) ସମ୍ପନ୍ନ ହେବ। ସକାଳ ୬ଟା ୧୫ରେ ମଇଲମ, ସାଢ଼େ ୭ଟାରେ ଭୋଗମଣ୍ଡପ ଶେଷ ହୋଇ ସକାଳ ୮ଟାରୁ ୯ଟା ମଧ୍ୟରେ ମଧ୍ୟାହ୍ନ ଧୂପ (କେବଳ କୋଠଭୋଗ) ସମ୍ପନ୍ନ ହେବ। ସକାଳ ସାଢେ ୯ଟାରେ ଦକ୍ଷିଣୀ ଘର ଭୋଗ, ସକାଳ ୮.୩୦ରୁ ୧୦.୩୦ ମଧ୍ୟରେ ଦ୍ଵିତୀୟ ଭୋଗମଣ୍ଡପ, ମଇଲମ ନୀତି ହେବା ସହ ୧୧ଟା ୧୫ରେ ସନ୍ଧ୍ୟା ଆଳତି ହେବ।
ଏହା ସହିତ ଗୋବିନ୍ଦ ବନ୍ଦାପନା ଓ ଇନ୍ଦ୍ରହାତୀ ପ୍ରସ୍ତାବ ରହିଛି। ତେଣୁ ସାଢ଼େ ୧୧ଟାରେ ଦୋଳଗୋବିନ୍ଦ ଭିତରକୁ ବିଜେ କରିବା ସହ ୧୧ଟା ୪୫ରେ ଆଜ୍ଞାମାଳ ପାଇଁ ପାଲିଙ୍କିକୁ ବିଜେ କରିବେ। ୧୨ଟାରେ ପାଲିଙ୍କି ଉଠିବ ଏବଂ ୧୨.୩୦ସୁଦ୍ଧା ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ସାରି ବାହୁଡ଼ା ବିଜେ କରିବେ। ଏହା ପରେ ମଇଲମ ଓ ତଡ଼ପଲାଗି ହୋଇ ଭିତରକାଠ ଦର୍ଶନ ହେବ। ଏସବୁ ଶେଷ ହେବା ପରେ ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡ ସୁଦ୍ଧା ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣଭୋଗ ଓ ଅନ୍ୟ ନୀତି ହେବ।