ନାରୀ ତୁ କେତେ ସୁରକ୍ଷିତ ? ନାରୀ ତୁ କେତେ ନିରୁପାୟ ? ନାରୀ ତୋ ପାଇଁ କଣ ନ୍ୟାୟ ଏ ସମାଜରେ ଅଛି ? ନାରୀ ହେଇ ଏଇ ସମାଜରେ ରହିବା କେତେ ଯେ କଷ୍ଟକର ତାର ଉଦାହରଣ ପ୍ରତ୍ୟେକଦିନ କିଏ ନା କିଏ ମରିଗଲା ପରେ ଆମକୁ ଜଣାପଡୁଛି । ଜଣେ ମରିଗଲେ ଆମର ଅନେକ ଦରଦ । ଜଣେ ଏ ଦୁନିଆ ଛାଡି ଚାଲିଗଲା ପରେ ଆମକୁ ତାର ମହତ୍ୱ ତାର କଷ୍ଟ ତାର ଯନ୍ତ୍ରଣା ସବୁ ଅନୁଭବ ହେଇପାରୁଛି । ସୋମ୍ୟାଶୀ୍ର ଏଇ ନା ଏବେ ଆମ ତୁଣ୍ଡରେ ଆମ ମନରେ ଆଉ ଆମ ମୁଣ୍ଡରେ । କାହିଁକି ଜାଣନ୍ତି, କାରଣ ସେ ଜୀବନ ଯୁଦ୍ଧରେ ହାରିଗଲା । ଯଦି ସେ ବଂଚିଥାଆନ୍ତା ହୁଏତ ଆମକୁ ଏତେ କଷ୍ଟ ଲାଗୁନଥାନ୍ତା । ହେଲେ ବିଚାରୀ ନ୍ୟାୟର ଗୁହାରୀରେ ନିଜ ପ୍ରାଣର ଜଳାଞ୍ଜଳି ଦେଇବସିଲା ।

ସମାଜରେ ନାରୀର ସ୍ଥାନ କେଉଁଠି ?
-ସତରେ ଗୋଟିଏ ଯୁଗ ଥିଲା ଯେତେବେଳେ ନାରୀର ସ୍ୱର ଏଇ ପୁରୁଷକୈନ୍ଦ୍ରିକ ସମାଜରେ ଶୁଭୁନଥିଲା । ନା ହିଁ ପୁରୁଷ ନିଜଠୁ ଅଧିକା ନାରୀଙ୍କୁ ମର୍ଯ୍ୟଦା ଦେଉଥିଲା । ହେଲେ ଆଜିର ସମୟରେ ତ ସବୁ ଅଛି ନାରୀକୁ ସ୍ୱାଧିନତା,ନାରୀର ମୈାଳିକତା ,ନାରୀର ଇଚ୍ଛାଶକ୍ତି ସବୁକିଛି । ହେଲେ ତଥାପି କାହିଁ ଲାଗୁଛି ଯେ ସେ ଯୁଗ ଆଉ ଆଜିର ଆଧୁନିକ ଯୁଗ ଭିତରେ କିଛି ବି ଫରକ ନାହିଁ । ଏଇଠି ପୁରୁଷକୁ ତାର ସ୍ୱାଧିନତା ପାଇଁ କେଉଁ ନାରୀ ଆଗରେ ହାତ ପତେଇବାକୁ ପଡେନି । ହେଲେ ନାରୀକୁ ସବୁବେଳେ ପୁରୁଷ ଆଗରେ ନିଜର ସ୍ୱାଧିନତାର ଲଢେଇ ଲଢିବାକୁ ପଡେ । ହେଲେ କାହିଁକି ? ସେ ବି ତ ମଣିଷ । ତାର ନିଷ୍ପତ୍ତି ସେ ନିଜେ ନେବାକୁ ସକ୍ଷମ । କାହିଁକି ଆବଶ୍ୟକ କାହାର ଅନୁମତି ? ଆଜି ନାରୀ ନିଜେ ଏଇ ସମାଜରେ ଯେତେ ବି ସଫଳତା ଆଡକୁ ଗଲେ ସତେ ଯେମିତି ପୁରୁଷଙ୍କୁ ଇର୍ଷା ହେଉଛି । ତାଙ୍କୁ ନାରୀଙ୍କ ସଫଳତା ଆଖିରେ ଦେଖିବାକୁ ପସନ୍ଦ ହେଉନାହିଁ । ସେଇଥିପାଇଁ ତାର ନାରୀତ୍ୱକୁ ଆକ୍ରମଣ କରି ତାର ମନବଳ ଭାଙ୍ଗି ଦିଆଯାଉଛି । ତାର ସ୍ୱପ୍ନକୁ ସମାଜର ଅପବାଦ ଦେଇ ଧୂଳିସାତ୍ କରିଦିଆଯାଉଛି । କାହିଁକି ସମାଜରେ ନାରୀଟିଏ ସଂଯମତାର ଅକ୍ଷର ଏକା ପଢିବ ? କାହିଁକି ପୁରୁଷଟିଏ ସେ ବହିର ପୃଷ୍ଠା ଓଲଟାଇବ ନାହିଁ । କାହିଁକି ପୁରୁଷର ଇଜଜ୍ଜତ ଲୁଟେନାହିଁ । କାହିଁକି ନାରୀର ଚରିତ୍ର ସଂହାର କରାଯାଏ ? ଏତେ ସବୁ କାହିଁକିର ଉତ୍ତର ନା ମୋ ପାଖରେ ନା ଆପଣଙ୍କ ପାଖରେ କାହା ପାଖରେ ନାହିଁ । ଏହି ପ୍ରଶ୍ନ କେବଳ ମୁହଁରେ ନୀରବତା ହିଁ ଆଣିଦିଏ ।

