ଅପରେସନ ସିନ୍ଦୂର ପରେ ସାରା ବିଶ୍ବ ବୁଲିବେ ଭାରତର ସାଂସଦ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସୃଷ୍ଟି ହୋଇଥିବା ଭାରତ-ପାକିସ୍ତାନ ଉତ୍ତେଜନା ଓ ସଂଘର୍ଷ ସଂପର୍କରେ ବିଭିନ୍ନ ରାଷ୍ଟ୍ରଙ୍କୁ ଅବଗତ କରିବେ ଭାରତ ସରକାର। ଏଥିପାଇଁ ୭ ଜଣ ସାଂସଦଙ୍କ ନାମ ଘୋଷଣା କରାଯାଇଛି। ଏହି ୭ ଜଣ ସାଂସଦ ୭ଟି ସର୍ବଦଳୀୟ କମିଟିର ନେତୃତ୍ୱ ନେଇ ବିଭିନ୍ନ ରାଷ୍ଟ୍ର ଗସ୍ତ କରିବେ। ଯେଉଁ ୭ ଜଣ ଏହି ସର୍ବଦଳୀୟ କମିଟିର ନେତୃତ୍ୱ ନେବେ ସେମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ଶଶି ଥରୁର, ଏନସିପିର ସୁପ୍ରିୟା ସୁଲେ ଓ ବିଜେପିର ବୈଜୟନ୍ତ ପଣ୍ଡା।ସଂସଦୀୟ ବ୍ୟାପାର ମନ୍ତ୍ରୀ କୀରଣ ରିଜିଜୁ ଏ ସଂପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆତଙ୍କବାଦ ପ୍ରତି ଭାରତ ଶୂନ ସହନଶୀଳତା ନୀତି ଅବଲମ୍ବନ କରେ। ସଂପ୍ରତି ସୃଷ୍ଟି ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିରେ ଭାରତର ଏକତା ଓ ସଂହତି ଅବ୍ୟାହତ ରହିଛି। ରାଜନୀତିକ ବିବାଦରୁ ଊର୍ଦ୍ଧ୍ୱକୁ ଉଠି ସର୍ବଦଳୀୟ କମିଟିର ସଦସ୍ୟମାନେ ଭାରତର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରାଷ୍ଟ୍ରଗୁଡ଼ିକ ସହିତ ଏ ସଂପର୍କରେ ଆଲୋଚନା କରିବେ। କମିଟିଗୁଡ଼ିକ ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଓ ସଂଘର୍ଷ ସଂପର୍କରେ ବିବରଣୀ ପ୍ରଦାନ କରିବେ। ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ବାର୍ତ୍ତା ନେଇ ସାରା ବିଶ୍ବ ବୁଲିବେ ଭାରତର ସାଂସଦ । ଏହି ଦଳର ସଦସ୍ୟମାନେ ପାକିସ୍ତାନର ଆତଙ୍କୀ ପ୍ରୀତି ସହ ଅପରେସନ ସିନ୍ଦୂର ବାବଦରେ ବିଶ୍ବର ବଡ ବଡ ଦେଶକୁ ଗସ୍ତ କରି ବଖାଣିବେ ।

ବିଦେଶ ଗସ୍ତ ପାଇଁ ୭ଟି ସର୍ବଦଳୀୟ ପ୍ରତିନିଧି ଦଳ ଗଠନ ହୋଇଛି । ପ୍ରତି ଦଳର ନେତୃତ୍ବ ନେବେ ୭ ଜଣ ବରିଷ୍ଠ ସାଂସଦ । ତେବେ କଂଗ୍ରେସର ଶଶୀ ଥରୁର, ବିଜେପିର ରବି ଶଙ୍କର ପ୍ରସାଦ ଏବଂ ବୈଜୟନ୍ତ ପଣ୍ଡା, ଜେଡିୟୁର ସଞ୍ଜୟ କୁମାର ଝା, ଡିଏମକେର କାନିମୋଝୀ କରଣାନିଧି, ଏନସିପିର ସୁପ୍ରିୟା ସୋଲେ ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ପ୍ରତି ଦଳର ନେତୃତ୍ବ ନେବେ । ଶଶି ଥରୁର ଆମେରିକା ଏବଂ ବ୍ରିଟେନ ଯିବେ ଏବଂ ଭାରତର ପକ୍ଷ ଉପସ୍ଥାପନ କରିବେ ଏବଂ ପାକିସ୍ତାନ କିପରି ଆତଙ୍କବାଦକୁ ପ୍ରୋତ୍ସାହିତ କରେ ତାହା ବୁଝାଇବେ।‘ଅପରେସନ୍ ସିନ୍ଦୂର’ର ଲକ୍ଷ୍ୟ ହେଉଛି ବିଶ୍ୱ ମଞ୍ଚରେ ପାକିସ୍ତାନର ବାସ୍ତବତାକୁ ପ୍ରକାଶ କରିବା । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ବିଦେଶ ଗସ୍ତକୁ ସଂଯୋଜନା କରୁଥିବା ବେଳେ ଏଥିରେ ସବୁ ଦଳର ସାଂସଦଙ୍କୁ ସାମିଲ କରାଯାଇଛି । ଆମେରିକା, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, କତାର, ୟୁଏଇ ଭଳି ସହଯୋଗୀ ରାଷ୍ଟ୍ରକୁ ଗସ୍ତ କରିବେ । ମେ’ ୨୨ ତାରିଖରୁ ଏହି ଗସ୍ତ ଆରମ୍ଭ ହେବାର ସୂଚନା ରହିଛି ।