ଜାନୁଆରି ୧୧ରେ ପାଳନ ହେବ ରାମମନ୍ଦିର ପ୍ରାଣ ପ୍ରତିଷ୍ଠାର ପ୍ରଥମ ବର୍ଷପୂର୍ତ୍ତି

ଦୀର୍ଘ ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟି ଆଜି ପ୍ରଭୁ ଶ୍ରୀରାମ ଚନ୍ଦ୍ର ନିଜ ଜନ୍ମଭୂମିରେ ବିରାଜମାନ ହୋଇଛନ୍ତି। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମଗ୍ର ଦେଶ ଉତ୍ସବ ମୁଖର ହୋଇପଡିଥିଲା। ଦେଶର ପୁର ପଲ୍ଲୀରେ  ଉତ୍ସବ ପାଳନ କରାଯାଇଥିଲା। ଭଗବାନ ଶ୍ରୀରାମଙ୍କ ଭବ୍ୟ ଓ ଦିବ୍ୟ ମନ୍ଦିରର ପ୍ରାଣପ୍ରତିଷ୍ଠା ଗତବର୍ଷ ଅର୍ଥାତ୍ ୨୨ ଜାନୁଆରୀ ୨୦୨୪ରେ ସମ୍ପନ୍ନ ହୋଇଥିଲା। ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା। ଦୀର୍ଘ ସାଢ଼େ ପାଞ୍ଚ ଶହ ବର୍ଷର ସଂଘର୍ଷ ପରେ ଭଗବାନ ରାମଙ୍କ ମନ୍ଦିରର ସ୍ୱପ୍ନ ପୂରଣ ହୋଇଥିଲା। ତାହା ମଧ୍ୟ ସେହି ଭୂମିରେ, ଯେଉଁଠାରେ ଭଗବାନ ଶିଶୁରୂପରେ ପ୍ରକଟ ହୋଇଥିଲେ। ଏହି ସମାରୋହର ଏକ ବର୍ଷ ପୂର୍ତ୍ତି ଅବସରରେ ଜାନୁଆରି ୧୧ ତାରିଖରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। କିନ୍ତୁ ପ୍ରଶ୍ନ ଉଠୁଛି ଯେ ଜାନୁଆରି ୨୨ ତାରିଖରେ ପ୍ରାଣପ୍ରତିଷ୍ଠା ହୋଇଥିବା ବେଳେ ଜାନୁଆରି ୧୧ରେ ବାର୍ଷିକୀ କାହିଁକି ପାଳନ କରାଯାଉଛି ? ଏହାର ଉତ୍ତର ହେଉଛି ହିନ୍ଦୁ କାଳଗଣନା । ବାସ୍ତବରେ ପୌଷ ଶୁକ୍ଳ ପକ୍ଷ ଦ୍ୱାଦଶୀ ଅର୍ଥାତ୍ କୁର୍ମା ଦ୍ୱାଦଶୀ ତିଥିରେ ଭଗବାନ ରାମଙ୍କ ମନ୍ଦିରର ପ୍ରାଣପ୍ରତିଷ୍ଠା ହୋଇଥିଲା ଓ ଉକ୍ତ ତିଥିଟି ଜାନୁଆରୀ ୨୨ରେ ପଡ଼ିଥିଲା। ଭଗବାନ ରାମ ସନାତନ ଧର୍ମର ପ୍ରତିନିଧିତ୍ୱ କରନ୍ତି ଏବଂ ସନାତନ ଧର୍ମରେ ସମୟ ଗଣନା ଅର୍ଥାତ୍ ଦିନର ତାରିଖ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ନିର୍ଦ୍ଧାରଣ କରାଯାଏ । ଏହି କ୍ୟାଲେଣ୍ଡର ଆଧାରରେ ଗତବର୍ଷ ଭଗବାନ ରାମଙ୍କ ମନ୍ଦିରର ପୂଜାର୍ଚ୍ଚନା ପାଇଁ ପୌଷ ଶୁକ୍ଳ ଦ୍ୱାଦଶୀ ତାରିଖ ସ୍ଥିର କରାଯାଇଥିଲା। ଏବର୍ଷ ଜାନୁଆରି ୧୧ରେ ଉକ୍ତ ତିଥି ପଡ଼ୁଛି । ଏଣୁ ଏହିଦିନ ହିଁ ପ୍ରାଣ ପ୍ରତିଷ୍ଠାର ପ୍ରଥମବର୍ଷପୂର୍ତ୍ତି ପାଳନହେବ ।

୫୦୦ ବର୍ଷର ବିବାଦ

 ପ୍ରାୟ ୫୦୦ ବର୍ଷର ବିବାଦ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଇ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି। ଏହି ବିବାଦର ସୂତ୍ରପାତ ହୋଇଥିଲା ୧୫୨୮ ମସିହାରେ। ତା’ପରେ ଏହି ବିବାଦ କେମିତି ବଢ଼ିଲା, କ’ଣ ସବୁ ଘଟିଲା ଓ କେମିତି ମନ୍ଦିର ପ୍ରତିଷ୍ଠା ହେଲା, ଜାଣନ୍ତୁ ଚୁମ୍ବକରେ। ୧୫୨୮ ମସିହାରେ ବାବରଙ୍କ ଜଣେ ସେନାପତି ମୀର ବାକୀ ବାବ୍ରି ମସଜିଦ ନିର୍ମାଣ କରିଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ବିବାଦ। କିନ୍ତୁ ମୋଗଲ ଓ ନବାବଙ୍କ ଶାସନ ହେତୁ ହିନ୍ଦୁଙ୍କ ସ୍ୱର ତୀବ୍ର ହୋଇପାରି ନଥିଲା। ଊନବିଂଶ ଶତାବ୍ଦୀରେ ମୋଗଲମାନେ ଦୁର୍ବଳ ହେବା ପରେ ବ୍ରିଟିଶ ଶାସନ କାଳରେ ଏହି ବିବାଦ ପୁଣି ଜୋର ଧରିଥିଲା। ୧୮୫୮ରେ ନିହଙ୍ଗ ଶିଖମାନେ ବାବ୍ରି ମସଜିଦ ଭିତରେ ପଶି ଯାଇଥିଲେ। ସେମାନେ ମସଜିଦ ଭିତରେ ବିଭିନ୍ନ ସ୍ଥାନରେ ‘ଶ୍ରୀ ରାମ’ ଲେଖିଥିଲେ। ଏହା ଶ୍ରୀ ରାମଙ୍କ ଜନ୍ମସ୍ଥାନ ବୋଲି ପ୍ରମାଣିତ କରିବାକୁ ସେମାନେ ଚେଷ୍ଟା କରିଥିଲେ। ଏ ବିଷୟରେ କେବଳ ଶିଖ ଗ୍ରନ୍ଥଗୁଡ଼ିକରେ ଉଲ୍ଲେଖ କରାଯାଇନି, ଐତିହାସିକମାନେ ମଧ୍ୟ ଏ ବିଷୟରେ ସୂଚନା ଦେଇଛନ୍ତି।