ଭାରତ ପୃଥିବୀର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର। ଏହି ଗଣତାନ୍ତ୍ରିକ ରାଷ୍ଟ୍ର ଭାରତୀୟ ସମ୍ବିଧାନ ଦ୍ୱାରା ଶାସିତ। ଯେଉଁ ସମ୍ବିଧାନ ପୃଥିବୀର ସବୁଠାରୁ ଲମ୍ବା ହସ୍ତଲିଖିତ ସମ୍ବିଧାନ। ଏହାକୁ ପୃଥିବୀର ସର୍ବୋତ୍ତମ ସମ୍ବିଧାନ ଭାବେ ମଧ୍ୟ ଗଣନା କରାଯାଏ। ୨୬ ଜାନୁୟାରୀ ୧୯୫୦ ମସିହାରେ ଏହି ସମ୍ବିଧାନ ଲାଗୁ ହୋଇଥିଲା। ଆଉ ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ। ବାବାସାହେବ ଡ. ଭୀମ ରାଓ ଆମ୍ବେଦକରଙ୍କୁ ଭାରତର ସମ୍ବିଧାନ ନିର୍ମାତା କୁହାଯାଏ। ସମ୍ବିଧାନର ଡ୍ରାଫ୍ଟିଂ କମିଟିର ସେ ଅଧ୍ୟକ୍ଷ ଥିଲେ। ତାଙ୍କୁ ସମ୍ବିଧାନର ଚୂଡ଼ାନ୍ତ ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ୨ବର୍ଷ, ୧୧ମାସ ଓ ୧୮ଦିନ ସମୟ ଲାଗିଥିଲା। ତେବେ ସାରା ଦେଶରେ ୨୬ ନଭେମ୍ବରକୁ ସମ୍ବିଧାନ ଦିବସ ଓ ୨୬ ଜାନୁଆରୀକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ। ହେଲେ ଆପଣ ଜାଣନ୍ତି କି, ଆମ ସମ୍ବିଧାନର କିଛି ବିଶେଷତ୍ୱ ରହିଛି। ସେହି ମହାନ ସମ୍ବିଧାନ ସମ୍ପର୍କରେ କିଛି ଜାଣିନେବା……

ଜାତି, ଧର୍ମ, ବର୍ଣ୍ଣ, ଭାଷା, ସଂସ୍କୃତି ଓ ପରିଧାନ ଆଦି ବହୁ ବିଭିନ୍ନତାରେ ଭରପୂର ଭାରତବର୍ଷକୁ ଏକ ସାର୍ବଭୌମ ସମାଜବାଦୀ ଧର୍ମନିରେପକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ଗଢ଼ିବା ସହିତ ଏହାର ସମସ୍ତ ନାଗରିକମାନଙ୍କୁ ଆର୍ଥିକ, ସାମାଜିକ ଓ ରାଜନୀତିକ ନ୍ୟାୟ ପ୍ରଦାନ କରିବାର ସଂକଳ୍ପ ହେଉଛି ଭାରତର ସମ୍ବିଧାନ। ଏହାର ସମସ୍ତ ନାଗରିକଙ୍କୁ ଭାବନା, ଅଭିବ୍ୟକ୍ତି, ଆସ୍ଥା, ବିଶ୍ୱାସ ଓ ପୂଜନର ସ୍ୱାଧୀନତା ସହିତ ସୁଯୋଗ ଓ ସ୍ଥିତିର ସମାନତା ପ୍ରଦାନ କରିବାର ସଂକଳ୍ପପତ୍ର ହେଉଛି ଭାରତର ସମ୍ବିଧାନ। ଏହାର ସମସ୍ତ ନାଗରିକଙ୍କୁ ବ୍ୟକ୍ତିଗତ ମର୍ଯ୍ୟାଦାର ସୁରକ୍ଷା ସହିତ ଭ୍ରାତୃତ୍ୱର ବନ୍ଧନରେ ଆବଦ୍ଧ କରି ରଖିବାର ସଂକଳ୍ପପତ୍ର ହେଉଛି ଭାରତର ସମ୍ବିଧାନ। ସର୍ବୋପରି ଭାରତର ଏକତା ଓ ଅଖଣ୍ଡତାର ସୁରକ୍ଷା କରିବାର ସଂକଳ୍ପପତ୍ର ହେଉଛି ଭାରତର ସମ୍ବିଧାନ।
