ବିଷ୍ଣୁଙ୍କର ଅତିପ୍ରିୟ ମାସ :’କାର୍ତ୍ତିକ ପରି ମାସ ନାହିଁ’

ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ବର୍ଷରେ ଆସୁଥିବା ପ୍ରତ୍ୟେକ ମାସର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଅଛି କିନ୍ତୁ ହିନ୍ଦୁ ଧର୍ମରେ ଯଦି କୌଣସି ମାସକୁ ସମ୍ପୂର୍ଣ୍ଣ ଭାବରେ ଶୁଭ ମାସ ବୋଲି ଗ୍ରହଣ କରାଯାଏ ତାହା ହେଲା ପବିତ୍ର କାର୍ତ୍ତିକ ମାସ। ଉତ୍କଳୀୟ ପରମ୍ପରା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ସମୟରେ କୁହାଯାଉଥିବା “ଆ କା ମା ବୈ,ପାନ ଗୁଆ ଥୋଇ,ପାନଗୁଆ ତୋର,ମାସକ ଧରମ ମୋର”।ଏହା କହିବାର ତାତ୍ପର୍ଯ୍ୟ ହେଲା :– ଆ ଅର୍ଥ–ଆଷାଢ଼,କା ଅର୍ଥ–କାର୍ତ୍ତିକ,ମା ଅର୍ଥ–ମାଘ,ବୈ ଅର୍ଥ–ବୈଶାଖ।ଶାସ୍ତ୍ର ଅନୁଯାୟୀ ଏହି ଚାରି ମାସ ପୁଣ୍ୟ ମାସ ଅଟେ କିନ୍ତୁ କାର୍ତ୍ତିକ ମାସ,ମାସ ମଧ୍ୟରେ ଶ୍ରେଷ୍ଠ ମାସ ଅଟେ। କାର୍ତ୍ତିକ ମାସର ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ଯାଇ ପରମପିତା ବ୍ରହ୍ମା ବ୍ରହ୍ମର୍ଷି ନାରଦଙ୍କୁ କାର୍ତ୍ତିକ ମାସର ମାହାତ୍ମ୍ୟ ବୁଝାଇ କହିଛନ୍ତି..

”ନ କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍

ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗାୟା ସମମ୍”

ଅର୍ଥାତ୍- କାର୍ତ୍ତିକ ପରି ମାସ ନାହିଁ,ସତ୍ୟଯୁଗ ପରି ଯୁଗ ନାହିଁ,ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ।ତେଣୁ କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ ଅଟେ।

ପୁରାଣରେ ବର୍ଣ୍ଣିତ କଥା ଅନୁଯାୟୀ ଭଗବାନ ବିଷ୍ଣୁ ଦେବଶୟନ ଏକାଦଶୀରେ ଯୋଗ ନିଦ୍ରା ଯାଇ କାର୍ତ୍ତିକ ମାସର ଦେବ ପ୍ରବୋଧିନୀ ଏକାଦଶୀ ଦିନ ନିଦ୍ରାରୁ ଉଠିଥାଆନ୍ତି ତେଣୁ ତା ପୂର୍ବରୁ ଭଗବାନ ଶୟନ କରିଥିବା ସମୟରେ ଭକ୍ତମାନେ ଅନ୍ତତଃ ଏକମାସ ଭଜନ,କୀର୍ତ୍ତନ ଓ ସତ୍ କର୍ମରେ ମନକୁ ନିୟୋଜିତ କରି ଧର୍ମ ଆଚରଣ କରିଥାଆନ୍ତି।

ନୀତିବାକ୍ୟ ଅନୁସାରେ:–

ନ ମାଂସ ଭକ୍ଷଣେ ଦୋଷୋ,ନ ମଦ୍ୟ ନ ମୈଥୁନେ

ପ୍ରବୃତ୍ତିରେଷା ଭୂତାନାଂ, ନିବୃତ୍ତିସ୍ତୁ ମହାଫଳମ୍

 ପବିତ୍ର କାର୍ତ୍ତିକ ମାସ।ଏହି ମାସଟି ଆଶ୍ବିନ ପୁର୍ଣ୍ଣିମାରୁ ଆରମ୍ଭ ହୋଇ କାର୍ତ୍ତିକ ପୁର୍ଣ୍ଣିମା ପର୍ଯ୍ଯନ୍ତ ଚାଲିଥାଏ। କାର୍ତ୍ତିକ ମାସରେ ଦୀପ ଦାନ କରିବା ଏବଂ ଗଙ୍ଗାରେ ସ୍ନାନ କରିବାକୁ ବେଶ୍ ମହତ୍ତ୍ଵ ଦିଆଯାଇଥାଏ।ଏହା କରିବା ଦ୍ଵାରା ସବୁ ପାପ ନଷ୍ଟ ହୋଇଥାଏ ବୋଲି ବିଶ୍ଵାସ କରାଯାଏ।କାର୍ତ୍ତିକ ମାସ ଧର୍ମ ମାସ ହୋଇଥିବାରୁ ଏହି ମାସଟିକୁ ନିଷ୍ଠା ସହକାରେ ପାଳନ କରାଯାଏ।ବିଶ୍ଵଜନନୀ କରୁଣାମୟୀ ମା ଦୁର୍ଗାଙ୍କ ଶାରଦୀୟ ବନ୍ଦନା ପରେପରେ ଚନ୍ଦ୍ର ଏବଂ ମା କାଳୀଙ୍କ ଆରାଧନା ଏହି ମାସରେ ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମାହିତ ହୁଏ।ଓଡ଼ିଶାର ପୁରପଲ୍ଲୀରେ ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ଆରାଧନା ମଧ୍ୟ ଏହି ମାସରେ ଅତ୍ୟନ୍ତ ଉତ୍ସାହର ସହିତ ସମ୍ପାଦିତ ହୋଇଥାଏ।ଏହି ମାସରେ ଅନେକ ମହତ୍ତ୍ଵପୂର୍ଣ୍ଣ ପର୍ବପର୍ବାଣି ପଡିବା ସହିତ ସାରା ମାସ ଧରି ବିଭିନ୍ନ ଧର୍ମାନୁଷ୍ଠାନ କରାଯାଇଥାଏ।ସୂର୍ଯ୍ୟ ଯେତେବେଳେ ତାଙ୍କର ଦକ୍ଷିଣାୟନ ଆରମ୍ଭ କରନ୍ତି ଓ ତୁଳା ରାଶିକୁ ପ୍ରବେଶ କରନ୍ତି କାର୍ତ୍ତିକ ମାସର ଆରମ୍ଭ ହୋଇଥାଏ।ଏହି ମାସ ଏଭଳି ପବିତ୍ର ଯେ ଏ ମାସର ଯେ କୌଣସି ଦିନରେ ଧାର୍ମିକ କାର୍ଯ୍ୟାନୁଷ୍ଠାନ ଆଦି ଆରମ୍ଭ କରାଯାଇପାରେ। ପ୍ରବାଦ ଅଛି ଏହି ମାସରେ ଯେ କୌଣସି ଧାର୍ମିକ ଅନୁଷ୍ଠାନ କଲେ ତାହା ଧାର୍ମିକ କ୍ଷେତ୍ରକୁ ତୀର୍ଥ ଯିବାର ପୁଣ୍ୟଫଳ ପ୍ରଦାନ କରିଥାଏ।

କାର୍ତ୍ତିକ ମାସରେ ବୟସ୍କ ତଥା ଧର୍ମପ୍ରାଣ ଆବାଳ- ବୃଦ୍ଧ-ବନିତା ପ୍ରତ୍ୟେହ ପ୍ରାତଃକାଳରେ ସ୍ନାନ ସମାପନ ପୂର୍ବକ ଦେବ ଦର୍ଶନ ଏବଂ ନଗର ସଂକୀର୍ତ୍ତନରେ ଆତ୍ମବିଭୋର ହୋଇଯିବା ସହ ନଗର ସଂକୀର୍ତ୍ତନ କରି ନିଜର ସୁପ୍ତ ପ୍ରାଣକୁ ଜାଗ୍ରତ କରିଥାଆନ୍ତି।କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅତ୍ୟନ୍ତ ପବିତ୍ର ଅଟେ।ଏହି ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚକ,ବକ ପଞ୍ଚୁକ,ମହାପଞ୍ଚୁକ ଇତ୍ୟାଦି କୁହାଯାଏ। କାର୍ତ୍ତିକ ମାସର ଏହି ଶେଷ ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର ପୂର୍ବକ ଶ୍ରଦ୍ଧା ଭାବନା ତଥା ଧର୍ମୀୟ ମନୋଭାବରେ ଦେବତାଙ୍କୁ ପୂଜା କରିଥାଆନ୍ତି।କୁହାଯାଏ ଯେ ଏହି ପାଞ୍ଚ ଦିନ ଯାକ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ।ସେ ଯାହା ହେଉନା କାହିଁକି କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀ ବା ବଡ ଏକାଦଶୀ ଠାରୁ ପୂର୍ଣ୍ଣମୀ ପାଞ୍ଚଦିନ ପର୍ଯ୍ୟନ୍ତ ମହାପଞ୍ଚକ ହିନ୍ଦୁମାନଙ୍କ ପାଇଁ ଧର୍ମଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ।ବିଧବାମାନଙ୍କ ପକ୍ଷରେ ଏହି ମାସଟି ତ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣIସେମାନେ ହବିଷ୍ୟ ପାଳନ ପୂର୍ବକ ପ୍ରତ୍ୟେହ ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ଜଳନ କରିଥାଆନ୍ତି।ପ୍ରତ୍ୟେକ ଦିନ ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗକରି ସ୍ନାନ କରି ଦେବାଦେବୀ ଦର୍ଶନ ପାଇଁ ଯାଇ,ଦେବାଳୟରୁ ଫେରିବା ପରେ ତୁଳସୀ ବୃକ୍ଷ ପାଖରେ ଆସି ଅତ୍ୟନ୍ତ ଭକ୍ତି ସହକାରେ କାର୍ତ୍ତିକ ମାହାତ୍ମ୍ୟ ପାଠ ଓ ଶ୍ରବଣ କରନ୍ତି।କାର୍ତ୍ତିକ ମାସରେ ପୁରୀରେ ହବିଷ ପାଇଁ ହବିଷ୍ୟାଳିଙ୍କ ବହୁ ଭିଡ଼ ପରିଲକ୍ଷିତ ହୋଇଥାଏ।ପୁରା ଏକମାସ ହବିଷ୍ୟାଳିମାନେ ବିଷ୍ଣୁଙ୍କ ଚିନ୍ତନରେ ଅତିବାହିତ କରିବା ସହିତ ଶ୍ରୀବିଷ୍ଣୁ ପାଦୋଦକ ପାନ କରି ନିଜର ମନୁଷ୍ୟ ଜନ୍ମକୁ ସାର୍ଥକ କରିଥାଆନ୍ତି।

ଆକାଶଦୀପ ପ୍ରତିଷ୍ଠା ପବିତ୍ର କାର୍ତ୍ତିକ କୃତ୍ୟର ଆଉ ଏକ ମହତ୍ତ୍ଵପୂର୍ଣ୍ଣ ଅବଦାନ। କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ। ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଉଚ୍ଚ ସ୍ଥାନରେ ଏହି ପ୍ରଦୀପ ପ୍ରଜ୍ଜଳନ ବିଧି ପ୍ରଚଳିତ।ତେଣୁ ପ୍ରାୟତଃ ପ୍ରତ୍ୟେକ ଗ୍ରାମରେ,ମନ୍ଦିରରେ ଏକ ଉଚ୍ଚ ବାଉଁଶରେ ପ୍ରତି ସନ୍ଧ୍ୟାରେ ଆକାଶଦୀପ ରଖାଯାଇଥାଏ।କାର୍ତ୍ତିକ ପୂର୍ଣ୍ଣିମା ଅବକାଶରେ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି ମଧ୍ୟ ପ୍ରଚଳିତ ରହିଅଛି ହିନ୍ଦୁ ଧର୍ମରେ କାହିଁ କେଉଁ କାଳରୁ।ସେ ଦିନ ପ୍ରତ୍ୟୁଷରୁ ଆବାଳ ବୃଦ୍ଧା ବନିତା ନଦୀ ବା ପୁଷ୍କରଣୀରେ ବୁଡ ପକାଇ କଦଳୀ ବାହୁଙ୍ଗା ବା ସୋଲ ତିଆରି ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ଭସାଇ ଦିଅନ୍ତି।ଏହି ସମୟରେ ସମସ୍ତେ ଉତ୍ ଫୁଲ୍ଲିତ ଚିତ୍ତରେ ଗାନ କରନ୍ତି ‘ଆ କା ମା ବୈ ପାନ ଗୁଆ ଥୋଇ ପାନ ଗୁଆ ତୋର,ମାସକ ଧରମ ମୋର”। ଏହି ଅବସରରେ ପ୍ରତ୍ୟେକ ପୁଣ୍ୟ ଅର୍ଜନ ସକାଶେ ମନାସ କରିଥାଆନ୍ତି। ବିଶ୍ଵାସ ରହିଛି ଯେ ଏହିଦିନ ପ୍ରତ୍ୟୁଷରୁ ସ୍ନାନପୂର୍ବକ ଦେବଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ। ଆଷାଢ଼,କାର୍ତ୍ତିକ,ମାଘ ଓ ବୈଶାଖ -ଏଇ ଚାରିମାସ ହେଉଛି ସୂର୍ଯ୍ୟଙ୍କର ଅୟନାନ୍ତ କାଳ ସମ୍ଭବତଃ ଏହି ଅୟନାନ୍ତ ଦିବସମାନଙ୍କରେ ସୌରଦେବଙ୍କ ଉପାସନା କରାଯାଏ। ପୌରାଣିକ ଅନୁଧ୍ୟାନରୁ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ।ଏବଂ ଦେବଦେବୀଙ୍କ ଉପାସନା ସକାଶେ ଏହା ଅତ୍ୟନ୍ତ ଅନୁକୂଳ ସମୟ ମଧ୍ୟ।ତେଣୁ ଏହି ଚାରିମାସର ଆଦ୍ୟବର୍ଣ୍ଣ ‘’ ଆ କା ମା ବୈ ’’ କୁ ଡଙ୍ଗା ଭସାଇବା ସମୟରେ ଗାନ କରାଯାଇଥାଏ। କାର୍ତ୍ତିକ ମାସ ସମୟରେ ପ୍ରତ୍ୟେହ ଗୀତାର ଗୋଟିଏ ଶ୍ଳୋକ ପାଠ କରି ମଧ୍ୟ ମନୁଷ୍ୟ ଜୀବନ୍ମୁକ୍ତ ହୋଇପାରେ ବୋଲି ବିଶ୍ୱାସ ରହିଅଛି। ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସରେ ତୁଳସୀ ଗଛର ପୂଜା କରିବା ଦ୍ଵାରା ବହୁତ ଲାଭ ମିଳିଥାଏ। ହିନ୍ଦୁ ଧର୍ମରେ ତୁଳସୀକୁ ବହୁତ ପବିତ୍ର ବୋଲି କୁହାଯାଇଅଛି। କୁହାଯାଏ ଯଦି ଆପଣ ବହୁତ ଚେଷ୍ଟା କରିବା ସତ୍ତ୍ବେ ଆପଣଙ୍କର କୌଣସି କାମ ହେଉ ନାହିଁ ତେବେ ଆପଣଙ୍କୁ ତୁଳସୀର ପୂଜା ନିଶ୍ଚିତ କରିବା ଉଚିତ୍।ଏହା କରିବା ଦ୍ଵାରା ଆପଣଙ୍କ ଘରେ କିଛି ଦିନରେ ନିଶ୍ଚିତ ପରିବର୍ତ୍ତନ ଆସିବ।ଏହି ମାସରେ ଯଥା ସମ୍ଭବ ନିରାମିଷ ଏବଂ ବିନା ପିଆଜ ରସୁଣ ଖାଦ୍ୟ ଖାଇବା ସହ ମିଥ୍ୟା କହିବା,ଚୋରି କରିବା,ଧୋକା ଦେବା,ଜୀବ ହତ୍ୟା,ଗୁରୁଙ୍କ ନିନ୍ଦା କରିବା ଭଳି କାର୍ଯ୍ୟରୁ ଦୂରେଇ ରହିବା ଉଚିତ।କାର୍ତ୍ତିକ ମାସରେ କୌଣସି ବ୍ୟକ୍ତିଙ୍କ ସହ ଖରାପ ବ୍ୟବହାର କିମ୍ବା କାହାର ଅନିଷ୍ଟ କରିବା ଉଚିତ ନୁହେଁ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବୃକ୍ଷଲତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଏହି ମାସରେ ବୃକ୍ଷଲତାଙ୍କର କୋୖଣସି କ୍ଷତି କରିବା ଉଚିତ ନୁହେଁ। ବୃକ୍ଷଲତାଙ୍କର କ୍ଷତି କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ମାସରେ କୌଣସି ଜୀବଜନ୍ତୁଙ୍କର ହତ୍ୟା କରିବା ଉଚିତ ନୁହେଁ।ଏପରି କରିବା ଦ୍ୱାରା ଦୁର୍ଭାଗ୍ୟ ପ୍ରାପ୍ତି ହୋଇଥାଏ। କାର୍ତ୍ତିକ ମାସରେ କୌଣସି ବ୍ୟକ୍ତିଙ୍କ ଓ ଗୁରୁଜନମାନଙ୍କର ଅପମାନ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି।ଏହି ମାସଟି ଯେ କେବଳ ହିନ୍ଦୁ ଧାର୍ମିକ ମାସ ତାହା ନୁହେଁ,ସାରା ପ୍ରକୃତି ହସିଉଠେ ଏହି ମାସରେ।