ପୁରୀ ବାଣ ବିସ୍ଫୋରଣ ଘଟଣା ; ହସ୍ପିଟାଲରେ ଆହତଙ୍କୁ ଭେଟି, କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପୁରୀ ବାଣ ବିସ୍ଫୋରଣରେ ଆହତମାନଙ୍କୁ କଟକ ଓ ଭୁବନେଶ୍ବର ସମେତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ସ୍ଥିତ ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥାବସ୍ଥା ପଚାରି ବୁଝିବା ସହ ଆରୋଗ୍ୟ କାମନା କରିଛନ୍ତି। ଆହତଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଭଳି ଉନ୍ନତି ଆସିବ ସେନେଇ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଆହତଙ୍କ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ କରାଯିବ ବୋଲି ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ବୁଧବାର ରାତିରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଭୟଙ୍କର ବାଣ ବିସ୍ଫୋରଣ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଚନ୍ଦନ ଯାତ୍ରା ସମୟରେ ଫୁଟିଥିବା ଆତସବାଜି ଅଫୁଟା ବାଣ ଉପରେ ପଡିଥିଲା, ଯାହା ଫଳରେ  ଅଫୁଟା ବାଣଗୁଡିକ ହଠାତ୍ ପ୍ରଚଣ୍ଡ ଶବ୍ଦ କରି ଫାଟିବା ସହ ଲୋକମାନଙ୍କ ଉପରେ ପଡିଥିଲା। ଜୀବନ ବଞ୍ଚାଇବାକୁ ଯାଇ କିଛି ଲୋକ ପୁଷ୍କରିଣୀ ମଧ୍ୟକୁ ଡେଇଁ ପଡିଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ସହ ପ୍ରାୟ ୫୦ ଜଣ ଆହତ ହୋଇଥିଲେ। ଆହତଙ୍କୁ ତୁରନ୍ତ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ କଟକ ଓ ଭୁବନେଶ୍ବରର ବିଭିନ୍ନ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଏସସିବି ମେଡିକାଲ ଜଣେ ଏବଂ ହାଇଟେକ୍ ରେ ଜଣେ ଲେଖାଏଁ ଆହତଙ୍କ ମୃତ୍ୟୁ ହୋଇଛି। ଏବେ ସୁଦ୍ଧା ନରେନ୍ଦ୍ର ପୁଷ୍କରିଣୀ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଥିବା ଜଣାପଡିଛି। ଅଧିକାଂଶ ଆହତଙ୍କ  ଶରୀର ୭୦ରୁ ୮୦ ପ୍ରତିଶତ ପୋଡ଼ି ଯାଇଛି।