ପୁରୁଣା ରାଗ ସୁଝାଇଲେ ନବୀନ ; ନାଁ ନ ନେଇ ବୈଜୟନ୍ତଙ୍କୁ ଟାର୍ଗେଟ୍

କେନ୍ଦ୍ରାପଡା: ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। କେନ୍ଦ୍ରାପଡା ଓ ଜଗତସିଂହପୁର ର ଲୋକସଭା ଆସନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କେନ୍ଦ୍ରାପଡାର ଏକ ସମାବେଶରେ ନବୀନ ପଟ୍ଟନାୟକ ତାଙ୍କର ପୁରୁଣା ରାଗ ଓଗାଳିଛନ୍ତି। ନାଁ ନ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ତାଙ୍କ ବିରୋଧରେ ଗର୍ଜନ କରିଛନ୍ତି । ୧୦ ବର୍ଷ ପାଇଁ ତାଙ୍କୁ କେନ୍ଦ୍ରପଡାର ସାଂସଦ କରି ସଂସଦକୁ ପଠାଇଥିଲି । ହେଲେ  ଅଞ୍ଚଳବାସୀଙ୍କ ପାଇଁ କାମ କରିବା ପରିବର୍ତ୍ତେ ନିଜର ସ୍ବାର୍ଥ ସାଧନା କରିବାରେ ଲାଗି ପଡିଥିଲେ। କେନ୍ଦ୍ରାପଡାବାସୀଙ୍କ ସ୍ବପ୍ନକୁ ଗୋଡରେ ଆଡୋଇ ଦେଲେ। ସେ କେବଳ ନିଜ କମ୍ପାନୀ କାମ କଲେ।

ନବୀନ ଆହୁରି କହିଛନ୍ତି ଯେ, ବୈଜୟନ୍ତ ପଣ୍ଡା ସାଂସଦ ଥିବା ବେଳେ ତାଙ୍କ କମ୍ପାନୀ ପାଇଁ କେତେ ପରିମାଣର ଲାଭ ସାଉଁଣ୍ଟିଛନ୍ତି ସେ କଥା ପଚାରି ବୁଝନ୍ତୁ। ପାର୍ଲାମେଣ୍ଟ ଫାଇନାନ୍ସ କମିଟିରେ ସଦସ୍ୟ ଥିବାବେଳେ ନିଜ କମ୍ପାନୀର ହଜାର ହଜାର ଟଙ୍କାର ଲୋନ୍ ଛାଡ କରିଛନ୍ତି। ନିଜ ପାଇଁ ରେଲୱେ ସାଇଡିଂ ଆଣି ପୂର୍ବତନ ସାଂସଦ କେନ୍ଦ୍ରାପଡାକୁ ଭୁଲିଗଲେ । ତେବେ ପାର୍ଲାମେଣ୍ଟ ଫାଇନାନ୍ସର କମିଟିର ସଭାପତି ଦାୟିତ୍ୱ ନ ମିଳିବା ଯୋଗୁଁ ସେଥିପାଇଁ ସେ ରାଗ ରଖି ମୋ ବିରୋଧରେ ଗୁଜବ ପ୍ରଚାର କରିଥିଲେ। ନିଜ କମ୍ପାନୀ ପାଇଁ କାମ କଲେ ଏବଂ ନିଜ ଘରୋଇ ଚ୍ୟାନେଲରେ ଅପପ୍ରଚାର କଲେ। କେନ୍ଦ୍ରାପଡାବାସୀଙ୍କ ସହ ବିଶ୍ୱାସଘାତକତା କରି ଏବେ କୁମ୍ଭୀର କାନ୍ଦଣା କନ୍ଦୁଛନ୍ତି ବୋଲି ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୫ମସିହାରୁ ମୁଖ୍ୟମନ୍ତ୍ରୀ ଅସୁସ୍ଥ ଅଛନ୍ତି ବୋଲି ସେ ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କୁ କହି ବୁଲୁଛନ୍ତି ବୋଲି ପାଣ୍ଡିଆନ୍ କହିଛନ୍ତି। ଏହା ସହ ଯୋଡି ଶଙ୍ଖରେ ଭୋଟ୍ ଦେବାକୁ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି।