ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଜୁନ ୧୫ ବେଳକୁ ଓଡିଶା ଛୁଇଁବା ସମ୍ଭାବନା

ଭୁବନେଶ୍ୱର: ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମାଳଦ୍ଵୀପ ଏବଂ କୋମରିନ୍‌ ଅଞ୍ଚଳର କିଛି ଅଂଶ, ଦକ୍ଷିଣ ବଙ୍ଗୋପସାଗର, ନିକୋବର ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ ଆଣ୍ଡାମାନ ସାଗରର କିଛି ଅଂଶକୁ ଆଜି ମୌସୁମୀ ବାୟୁ ଅଗ୍ରସର ହୋଇଛି। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସେହିପରି ଜୁନ ୧୫ ବେଳକୁ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନା ରହିଥିବା ଆକଳନ କରାଯାଇଛି । ଗତ ବର୍ଷ ମଧ୍ୟ ଏହି ସମୟରେ ଉପରୋକ୍ତ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ଵାଭାବିକ ଭାବେ ଅଗ୍ରସର ହୋଇଥିଲା।

ଅନ୍ୟପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ୨୧ ତାରିଖ ଯାଏଁ ତାପମାତ୍ରା ସ୍ୱାଭାବିକଠୁ ୨ରୁ ୩ ଡିଗ୍ରି ଅଧିକ ରହିବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ। ଉପକୂଳରେ ଆର୍ଦ୍ରତା ଅଧିକ ଥିବାରୁ ଗୁଳୁଗୁଳି ହେବ। ଦକ୍ଷିଣ ଓ ଦକ୍ଷିଣ ଉପକୂଳର କିଛି ସ୍ଥାନରେ କାଳବୈଶାଖୀ ହୋଇପାରେ।