ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ପ୍ରାର୍ଥୀ କୋଟିପତି; ସନା ସବୁଠୁ ଧନୀ

ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ADR ଓ ଓଡ଼ିଶା ଇଲେକ୍ସନ ୱାଚ।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩ ପ୍ରତିଶତ ବିଧାୟକ ପ୍ରାର୍ଥୀ କୋଟିପତି ଥିବା ଜଣାଯାଇଛି। କେନ୍ଦୁଝର ଚମ୍ପୁଆର BJD ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ତୃତୀୟ ପର୍ଯ୍ୟାୟର ସବୁଠୁ ଧନୀ ବିଧାୟକ ପ୍ରାର୍ଥୀ। ତାଙ୍କ ସମ୍ପତ୍ତି ମୂଲ୍ୟ ୨୨୭ କୋଟି ୬୭ ଲକ୍ଷ ଟଙ୍କା। ସେହିପରି ୧୨୨ କୋଟି ୮୬ ଲକ୍ଷ ଟଙ୍କା ସମ୍ପତ୍ତି ସହ ଘଷିପୁରାର ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ପର୍ଯ୍ୟାୟର ଦ୍ୱିତୀୟ ଧନୀ ବିଧାୟକ ପ୍ରାର୍ଥୀ। ସେହିପରି ୧୨୦ କୋଟି ୫୬ ଲକ୍ଷ ଟଙ୍କା ସମ୍ପତ୍ତି ସହ ତୃତୀୟ ସ୍ଥାନରେ ଅଛନ୍ତି ନୟାଗଡ଼ BJP ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ।

୩୮୧ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ଜଣ ଅର୍ଥାତ୍ ୨୬%ଙ୍କ ନାମରେ ରହିଛି ଅପରାଧିକ ମାମଲା। ୮୬ ଜଣଙ୍କ ନାମରେ ରହିଛି ଗୁରୁତର ଅପରାଧ ମାମଲା। ୪ ଜଣଙ୍କ ନାଁରେ ହତ୍ୟା ମାମଲା ରହିଛି। ୨୬ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ଥିବା ବେଳେ ୨୮ ଜଣଙ୍କ ନାମରେ ମହିଳା ବିରୋଧୀ ମାମଲା ରହିଛି। ଏମିତିକି ଜଣଙ୍କ ନାମରେ ଧର୍ଷଣ ମାମଲା ବି ଅଛି।