ରାଜ୍ୟକୁ ପୁଣି ଫେରିବ ଅସହ୍ୟ ତାତି ଓ ଗୁଳୁଗୁଳି, ୪୫ ଡିଗ୍ରୀ ଛୁଇଁପାରେ ପାରଦ
ଭୁବନେଶ୍ୱର: ପୁଣି ଅସ୍ତବ୍ୟସ୍ତ କରିବ ଅସହ୍ୟ ତାତି ଓ ଗୁଳୁଗୁଳି । ୪ରୁ ୫ଦିନ ମଧ୍ୟରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ହେବ। କାଲିଠାରୁ ଅଧିକ ଅନୁଭୂତ ହେବ ତାତି। ୨୦ତାରିଖ ବେଳକୁ ପ୍ରବଳ ଗରମ ପାଇଁ ଗ୍ରୀଷ୍ମଲହରୀ ଚେତାବନୀ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଗୋଟିଏ ଦୁଇଟି ସ୍ଥାନରେ ୪୫ ଡିଗ୍ରୀ ଡେଇଁଯିବାର ସମ୍ଭାବନା ରହିଛି । ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ ।
୨୦ ତାରିଖରେ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୈଦ୍ଧ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବା ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପରବର୍ତୀ ତିନି ଦିନ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ସହ କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ଆକଳନ ଅନୁଯାୟୀ ମେ’ ୨୪ରୁ ୩୦ ମଧ୍ୟରେ ରାଜ୍ୟରେ ତାପମାତ୍ରା ବହୁ ପରିମାଣରେ ବୃଦ୍ଧି ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ । ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାର ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ ।