ଭୁବନେଶ୍ୱର: ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT । ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନୀ ହିଂସାରେ ଜଣଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ – ଏସଆଇଟି। ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ଏସଆଇଟି ହତ୍ୟା ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଫରେନସିକ୍ ପ୍ରମାଣ ସଂଗ୍ରହ କରିବ । ଏସଆଇଟି ୩୦ ଦିନ ମଧ୍ୟରେ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିବା ସମ୍ଭାବନା ରହିଛି। ଏଣେ ଆଇନ ଶୃଙ୍ଖଳା ପରିସ୍ଥିତିର ତଦାରଖ ପାଇଁ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଏଡିଜିପି ( ହେଡ୍ କ୍ୱାର୍ଟର୍ସ ) ଆର.କେ ଶର୍ମା ଛତ୍ରପୁରରେ କ୍ୟାମ୍ପ କରିବେ ।
ସୂଚନାଯୋଗ୍ୟ, ନିର୍ବାଚନୀ ପୋଷ୍ଟର ମରାକୁ କେନ୍ଦ୍ରକରି ବୁଧବାର ରାତିରେ ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ରାଜନୈତିକ ହିଂସାକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହିଂସାକାଣ୍ଡକୁ ଦୃଢ଼ ନିନ୍ଦା କରିଛନ୍ତି।