ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ
ବ୍ରହ୍ମପୁର: ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଶିବଶଙ୍କର ଦାସଙ୍କୁ ଗିରଫ କରିଛି ପୁଲିସ। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ପୁଲିସ ତାଙ୍କୁ ଜେଲକୁ ପଠାଇଦେଇଛି। ବ୍ରହ୍ମପୁର ବିଧାନସଭା ଆସନର ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଆକ୍ରମଣ କରିିଥିବା ନେଇ ଅଭିଯୋଗ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଭୋଟିଂ ବେଳେ ଗତକାଲି ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିଲେ ଶିବଶଙ୍କର ଦାସ । ପ୍ରଦୀପଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଥିଲା ।
ଗତକାଲି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଭୋଟ ସରିବା ପରେ ଉତ୍କଳମଣି ୟୁପି ସ୍କୁଲ ବୁଥ ଆଗରେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଓ ସ୍ୱାଧୀନ ବିଧାନସଭା ପ୍ରାର୍ଥୀ ଶିବଶଙ୍କର ଦାସ ସମର୍ଥକଙ୍କ ମଧ୍ୟରେ କୌଣସି କାରଣ ପାଇଁ ହାତାହାତି ହୋଇଥିଲା। ଏହି ଗଣ୍ଡଗୋଳ ସମୟରେ ଶିବଶଙ୍କର ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ପ୍ରଦୀପଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି।