ପ୍ରଥମ ପର୍ଯ୍ୟାୟ ଭୋଟରେ ୨୮ରୁ ୨୪ ଆସନରେ ଜିତିବ ବିଜେଡି: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର: ସୋମବାର ଦିନ ଓଡ଼ିଶାରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ୍ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଯେଉଁ ୨୮ ବିଧାନସଭା ଆସନ ପାଇଁ ଭୋଟ୍ ପଡ଼ିଛି,ସେଥିରୁ ବିଜେଡି ୨୪ ଆସନ ଜିତିବ ବୋଲି ଦମ୍ଭୋକ୍ତି ରଖିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେ କହିଛନ୍ତି ଯେ,ସବୁ ପର୍ଯ୍ୟାୟ ଭୋଟରେ ବିଜେଡି ଆଗୁଆ ରହିବ । ଖବର ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ସବୁ ପର୍ଯ୍ୟାୟରେ ବିଜେଡି ଆଗରେ ରହିବ । ବିଶେଷକରି ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜେଡି କ୍ଲିନ୍ ସ୍ୱିପ୍ କରିଛି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଭଲ କାମ ପାଇଁ ଦଳ ବିଜୟୀ ହେବ । ପୁଣିଥରେ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ଗତ ନିର୍ବାଚନରେ ଆମେ ଏହି ୨୮ ଆସନରୁ ୨୦ ଆସନ ଜିତିଥିଲୁ କିନ୍ତୁ ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲହରି ଅଛି, ତେଣୁ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଚୟନ କରିବେ । ଏଣୁ ଏଥର ୨୮ ଆସନରୁ ୨୪ରୁ ଅଧିକ ଆସନ ବିଜେଡି ଜିତିବ । ଲୋକସଭା ନିର୍ବାଚନରେ ଆମେ ଗତ ଥର ଅପେକ୍ଷା ବହୁ ଭଲ କରିବୁ । ଲୋକଙ୍କ ଭଲପାଇବା ହିଁ ଆମକୁ ଦୃଢ ବିଶ୍ୱାସ ଦେଉଛି । ଖରାରେ ଘଣ୍ଟା ଘଣ୍ଟା ଧରି ଲୋକେ ଆପେକ୍ଷା କରିଥାନ୍ତି , ଯାହା ଆମକୁ ଓଡ଼ିଶାବାସୀଙ୍କ ପାଇଁ ଲଢିବାକୁ ଶକ୍ତି ଦେଇଥାଏ ଏବଂ ଓଡ଼ିଶାର ବିକାଶ ଆଗକୁ ନେବାକୁ ପାଇଁ ସାହାସ ଦେଇଥାଏ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।

ଏହାସହ ବିରୋଧୀ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ପାଣ୍ଡିଆନ କହିଛନ୍ତି, ଗତକାଲି ଓଡ଼ିଶା ବିଜେପିର ୫ ନେତା ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯାହା ସୂଚନା ଥିଲା ସେମାନେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥାନ୍ତେ । ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥାନ୍ତେ । କିନ୍ତୁ ଶେଷ ମୁହୂର୍ତ୍ତରେ ନିଜ ନିଜ ଭିତରେ ଝଗଡା ଲାଗି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେନି । ୧୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଖୋଜୁଛନ୍ତି କିନ୍ତୁ ପାଉନାହାନ୍ତି ବୋଲି କଟାକ୍ଷ କରିଛନ୍ତି ପାଣ୍ଡିଆନ ।