ଓଡ଼ିଶାରେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ; ପ୍ରାୟ ୭୪ ପ୍ରତିଶତ ମତଦାନ ସୂଚନା, ନବରଙ୍ଗପୁରରେ ସର୍ବାଧିକ ୮୦.୨୨ ଭୋଟିଂ
ଭୁବନେଶ୍ୱର: ଓଡ଼ିଶାରେ ପଡିଛି ପ୍ରଥମ ପର୍ଯ୍ୟାୟ ଭୋଟ । ଇଭିଏମରେ ସିଲ୍ ହୋଇଛି ୨୭୧ ପ୍ରାର୍ଥୀଙ୍କ ଭାଗ୍ୟ । ଛୋଟ ମୋଟ ଗଣ୍ଡଗୋଳକୁ ଛାଡିଲେ ଶାନ୍ତିପୂର୍ଣ୍ଣ ଭାବେ ୪ ଲୋକସଭା ଏବଂ ଏହା ଅଧିନରେ ଆସୁଥିବା ୨୮ ବିଧାନସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇଛି । ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ ଏଥର ପ୍ରାୟ ୭୪ ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଛି । କିନ୍ତୁ କିଛି ସ୍ଥାନରେ ବିଳମ୍ବିତ ରାତି ଯାଏ ଭୋଟ ଗ୍ରହଣ ହୋଇଥିବାରୁ ଚଡାନ୍ତ ମତଦାନ ହାର ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଲୋକସଭା ଆସନ ପାଇଁ ନବରଙ୍ଗପୁରରେ ସର୍ବାଧିକ ୮୦.୨୨% ମତଦାନ ହୋଇଥିବା ବେଳେ ବ୍ରହ୍ମପୁରରେ ସବୁଠୁ କମ ୬୪. ୩୪ ପ୍ରତିଶତ ଭୋଟ ପଡ଼ିଛି ।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ଚାରି ଲୋକସଭା ଆସନ ଓ ୨୮ ବିଧାନସଭା ଆସନରେ ମୋଟ ୨୮୦ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି। ଓଡିଶାରେ ଆଉ ତିନିଟି ପର୍ଯ୍ୟାୟ ମତଦାନ ହେବ । ଗତକାଲି ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଓ ଅଧୀନସ୍ଥ ବିଧାନସଭା କ୍ଷେତ୍ରରେ ମତଦାନ ହୋଇଥିଲା ।