ରାଜ୍ୟରେ ଆହୁରି ୪ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ଆହୁରି ୪ ଦିନ କାଳବୈଶାଖୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଗାତାର କାଳବୈଶାଖୀ ବର୍ଷା‌ ଯୋଗୁ ଅସହ୍ୟ ତାତିରୁ ଆଶ୍ବସ୍ତି ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା କମିଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସା‌ରେ ଦକ୍ଷିଣ ଝାଡଖଣ୍ଡରୁ ଉତ୍ତର ଓଡ଼ିଶା ଦେଇ ରାଜସ୍ଥାନ ଯାଏ ଏକ ଟ୍ରପଲାଇନ୍ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ପବନ ଜାରି ରହିଛି । ଆସନ୍ତା ୫ ଦିନ ଯାଏ ଏଭଳି ପାଗ ରହିବ। ଆସନ୍ତା ୩-୪ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଛି। ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେବା ନେଇ ସାରା ରାଜ୍ୟକୁ ଆଲର୍ଟ ଜାରି ହୋଇଛି। କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିବ ବୋଲି ସତର୍କ ସୂଚନାରେ ଉଲ୍ଲେଖ କରାଯାଇଛି। ମତ୍ସ୍ୟଜୀବୀଙ୍କୁ ମାଛ ଧରିବା ପାଇଁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।