ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଜୁନ୍ ୧ରେ ୬ ସଂସଦୀୟ କ୍ଷେତ୍ରରେ ପଡିବ ଭୋଟ୍

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ରାଜ୍ୟର ୬ ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଭୋଟ୍ ଗ୍ରହଣ ହେବ । ଏହା ଅଧୀନରେ ଥିବା ସମସ୍ତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ୍ ୧ ତାରିଖରେ ମତଦାନ ହେବ ।

ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ମେ’ ୧୪ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ । ମେ’୧୫ ତାରିଖରେ ପ୍ରାର୍ଥିପତ୍ରଗୁଡିକର ଯାଞ୍ଚ କରାଯିବ। ଚଳିତମାସ ୧୭ ତାରିଖ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

ମେ’ ୧୩ ତାରିଖରେ ଓଡ଼ିଶାରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ରହିଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇ ଥିବାବେଳେ ତୃତୀୟ ପର୍ଯ୍ୟାୟ ଲାଗି ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି।