ସୁଚରିତା ମହାନ୍ତି ଟିକେଟ୍ ଫେରାଇବା ପରେ ପୁରୀ ଲୋକସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ଜୟନାରାୟଣ ପଟ୍ଟନାୟକ ନୂଆ ପ୍ରାର୍ଥୀ
ଭୁବନେଶ୍ୱର: ଅଭାବନୀୟ ପରିସ୍ଥିତି ମଧ୍ୟରେ ପୁରୀ ଲୋକସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ପ୍ରଚାର ପାଇଁ ଦଳପକ୍ଷରୁ ପାଣ୍ଠି ମିଳୁନଥିବା କହି ପୂର୍ବରୁ ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି ଓହରି ଯିବା ପରେ ତାଙ୍କ ସ୍ଥାନରେ ଜୟନାରାୟଣ ପଟ୍ଟନାୟକଙ୍କୁ ନୂଆ ପ୍ରାର୍ଥୀ କରିଛି କଂଗ୍ରେସ।
ଏହା ପୂର୍ବରୁ କଂଗ୍ରେସ ଟିକେଟ୍ ଫେରାଇ ଦେଇଥିଲେ ସୁଚରିତା ମହାନ୍ତି। ଦଳ ପାଣ୍ଠି ଦେଉ ନଥିବାରୁ ପ୍ରଚାର କରିବା ଅସମ୍ଭବ ବୋଲି କହି ସେ ଟିକେଟ ଫେରାଇ ଦେଇଥିଲେ। ଏହାଛଡା ପୁରୀର କିଛି ବିଧାନସଭା ଆସନରେ ଦଳ ଦୁର୍ବଳ ପ୍ରାର୍ଥୀ ଦେଇଛି ବୋଲି ସୁଚରିତା ଅଭିଯୋଗ କରିଥିଲେ। ପାଣ୍ଠି ଅଭାବରୁ ଓହରିବା ନିଷ୍ପତ୍ତି ଇ-ମେଲ ମାଧ୍ୟମରେ ସେ ଏଆଇସିସିକୁ ଅବଗତ କରାଇଥିଲେ। ସୁଚରିତାଙ୍କ ଏହି ପଦକ୍ଷେପ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା ।
ତେବେ ଦଳ ପ୍ରଚାର ପାଇଁ ପାଣ୍ଠି ଦେଉନାହିଁ ବୋଲି ସୁଚରିତାଙ୍କ ଅଭିଯୋଗକୁ ପିସିସି ପ୍ରଭାରୀ ଅଜୟ କୁମାର ଖଣ୍ଡନ କରିଥିଲେ। ପୁରୀ ଲୋକସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇବାକୁ ନିଷ୍ପତ୍ତି ନେଇଥିଲା ।ଏ ବିଷୟ ଆଗୁଆ ଜାଣିପାରିଥିଲେ ସୁଚରିତା । ତେଣୁ ପ୍ରଚାର ପାଇଁ ପାଣ୍ଠି ଅଭାବ ଦର୍ଶାଇ ସେ ଟିକେଟ ଫେରାଇଛନ୍ତି ବୋଲି ପିସିସି ପ୍ରଭାରୀ ଅଜୟ କୁମାର କହିଥିଲେ ।