ଯାଜପୁର: ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗାଁରେ ଅଘଟଣ। ବିଦ୍ୟୁତ ଆଘାତରେ ବାପ-ପୁଅ ମୃତ, ମା’ ଗୁରୁତର। ବାପା ଗଣେଶ ମଣ୍ଡଳ ଓ ପୁଅ ଆସୁ ମଣ୍ଡଳଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ବେଳେ ମା’ ତୁଳସୀ ମଣ୍ଡଳଙ୍କୁ ଗୁରୁତର ଅବସ୍ଥାରେ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଛି। ନିଜ ଘରେ ବିଦ୍ୟୁତ୍ ମରାମତି କରୁଥିବା ବେଳେ ଘଟିଛି ଏହି ଅଘଟଣ। ଘଟଣାସ୍ଥଳରେ ଦାନଗଦି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ, ବାପପୁଅ ଘରେ କୌଣସି ବିଦ୍ୟୁତ ମରାମତି କାମ କରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ପ୍ରଥମେ ଆଶୁ ମଣ୍ଡଳଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ତାଙ୍କୁ ବାପା ଗଣେଶ ମଣ୍ଡଳ ଓ ମା’ ତୁଳସୀ ମଣ୍ଡଳ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ତିନି ଜଣ ବିଦ୍ୟୁତ ସଂସ୍ପର୍ଶରେ ଆସି ଅଚେତ ହୋଇପଡିଥିଲେ । ଏହାପରେ ସମସ୍ତଙ୍କୁ ଉଦ୍ଧାର କରି ଦାନଗଦି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ବାପା-ପୁଅକୁ ମୃତ୍ୟୁ ଘୋଷଣା କରାଯାଇଥିବା ବେଳେ ମା’ ଗୁରୁତର ହୋଇଛନ୍ତି । ଦାନଗଦି ମେଡିକାଲରେ ମା ତୁଳସୀ ମଣ୍ଡଳଙ୍କ ଚିକିତ୍ସା ଜାରି ରହିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।