ସେ ଜାୟା ପୁଣି ସେ ଭଗ୍ନି, କେତେବେଳେ ଉଗ୍ର ମୂର୍ତ୍ତି ତ ଆଉ କେତେବେଳେ ଶାନ୍ତ ସରଳ ହଳଦୀମୁଖୀ । କେତେବେଳେ ସେ ନାରାୟଣଙ୍କ ଅଙ୍ଗ ତ ଆଉ କେତେବେଳେ ସକଳ ଦେବତାଙ୍କ ଜନନୀ, ସେ ଅବତାରୀ ସୁଭଦ୍ରା । କିନ୍ତୁ ଏ ଭିତରେ ଗୋଟିଏ କଥା ସ୍ପଷ୍ଟ ଯେ, ସେ ସମଗ୍ର ଜୀବ ମଣ୍ଡଳରେ ନାରୀ ଜାତିର ପ୍ରତୀକ, ନୀଳ କନ୍ଦରରେ ପୂଜା ପାଉଥିବା ତାଙ୍କର ମୂର୍ତ୍ତି ଏକ ସଙ୍କେତ ମାତ୍ର । ଯେଉଁଠି ସେ ସ୍ୱୟଂ ମହାଲକ୍ଷ୍ମୀ । ସଭ୍ୟତାର ଆରମ୍ଭରୁ ପୂଜା ପାଉଥିବା ଏହି ହାତଗୋଡ଼ ବିହୀନ ମୂର୍ତ୍ତି କୃଷ୍ଣ ଭାବ ପ୍ରଭାବରେ ଭଗ୍ନୀ ରୂପରେ ସଂସ୍ଥାପିତା । ମହର୍ଷି ବେଦବ୍ୟାସଙ୍କ ଦ୍ୱାରା ଲିଖିତ ତଥା ଜୈମିନୀ ଋଷିଙ୍କ ଦ୍ୱାରା ପ୍ରଚାରିତ ସ୍କନ୍ଦ ପୂରାଣର ଉକ୍ରଳ ଖଣ୍ଡରେ ଯେଉଁ ଶ୍ରୀ ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ କଥା ଉଲ୍ଲେଖ ରହିଛି ତାହାରି ଆଧାରରେ ସୁଭଦ୍ରା ଏକ ବିଶେଷ ଉପସ୍ଥାପନ ।
————
ବିଦ୍ୟାପତି ଯେଉଁଦିନ ତାଙ୍କୁ ଦର୍ଶନ କଲେ, ତା’ ପରଦିନ ସନ୍ଧ୍ୟାରେ ସେଇ ନୀଳମାଧବ ସ୍ୱଣ୍ଣ ବାଲୁକାବୃତ୍ତ ହୋଇ ପାତାଳପୁରକୁ ଗମନ କଲେ । ସୁତରାଂ ମର୍ତ୍ତ୍ୟଲୋକରେ ତାଙ୍କୁ ଦର୍ଶନ କରିବା ଅସମ୍ଭବ! ଦୁର୍ଲଭ ହୋଇପଡ଼ିଲା ।
ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏକଥା ଶୁଣି ଚେତାଶୂନ୍ୟ ହୋଇଗଲେ । ଏହାର କିଛିକ୍ଷଣ ପୂର୍ବରୁ ନିଜର ବାମ ଆଖି ଓ ବାହୁ ଡେଉଁଥିବା କଥା ଅଶୁଭ ବୋଲି ଅନୁଭବ କରି ସେ ନାରଦଙ୍କୁ ଭବିଷ୍ୟତ କଥା ପଚାରୁଥିଲେ । ନାରଦମୁନି ଏହା ଏକ ଅଶୁଭ ସୂଚନା ହୋଇଥିଲେ ମଧ୍ୟ ଏକ ମହତ୍ କାମରେ ସେ ବାହାରିଛନ୍ତି ବୋଲି କହି ତାଙ୍କର ଶୁଭଯାତ୍ରା କାମନା କରିଥିଲେ । ପୁଣି ସେ କେମିତି କହୁଛନ୍ତି ଯେ, ଯାହାଙ୍କ ଦର୍ଶନରେ ସେ ବାହାରିଛନ୍ତି ସେ ଏ ମର୍ତ୍ତ୍ୟମଣ୍ଡଳରେ ନାହାନ୍ତିଃ ଏହା କିଭଳି ଶୁଭ କାର୍ଯ୍ୟ? ଯାହାଙ୍କ ଦର୍ଶନ ଓ ସାନ୍ନିଧ୍ୟ ପାଇଁ ସେ ବାହାରିଛନ୍ତି ଯଦି ତାଙ୍କର ଉଭାନ ହୋଇଛି ତେବେ ସେ କାହିଁକି ଯିବେ?
ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଏତାଦୃଶ ଦେଖି ବୈଦ୍ୟ ପୁରୋହିତ ଧାଇଁ ଆସିଲେ । କର୍ପୂର, ଚନ୍ଦନ, ଅଗୁର, କସ୍ତୁରୀ ପ୍ରଭୃତି ଜଳ ତାଙ୍କ ମୁହଁଙ୍କୁ ଛିଞ୍ଚିବା ଆରମ୍ଭ କଲେ । ତଥାପି ରାଜନ୍ଙ୍କ ଚେତା ଫେରିଲା ନାହିଁ । ନାରଦମୁନି ବ୍ୟତିବ୍ୟସ୍ତ ହୋଇପଡ଼ିଲେ । ଯାହାଙ୍କ ଦ୍ୱାରା ଏ ପୃଥିବୀ ପୃଷ୍ଠରେ ଏକ ମହାନ କାର୍ଯ୍ୟ ହେବାକୁ ଯାଉଛି, ଯାହାଙ୍କ ମାଧ୍ୟମରେ ଶ୍ରୀ ନାରାୟଣ ମର୍ତ୍ତ୍ୟକୁ ଫେରିବେ ବୋଲି ଶୂନ୍ୟବାଣୀ ହୋଇଛି, ତାଙ୍କର ଏକ କି ଦଶା !
ନାରଦ ମୁନି, ବୈଦ୍ୟ ପୁରସର ଏବଂ ପରିବାରବର୍ଗ ମହାରାଜାଙ୍କ ଶରୀରକୁ ନଅର ମଧ୍ୟକୁ ନେଇ ଶୁଶ୍ରୁଷା କରିବା ଆରମ୍ଭ କଲେ । କିଛିଦିନ ପରେ ଚେତା ଫେରି କାନ୍ଦିବାରେ ଲାଗିଲେ ରାଜନ୍ । ନିଜର ଦୁର୍ବଳତାକୁ ବୟାନ କଲେ । ନାରଦମୁନି ତାଙ୍କୁ ଭାଙ୍ଗି ନପଡ଼ି ଶୂନ୍ୟବାଣୀକୁ ପାଳନ କରିବା ଲାଗି ଉତ୍ସାହିତ କଲେ… । ଦେବର୍ଷି ନାରଦଙ୍କ ଶୁଭେଚ୍ଛାକୁ ପାଥେୟ କରି ମହାରାଜା ଅଷ୍ଟାଦଶ ଦ୍ୱୀପରେ ଅବସ୍ଥାନ କରିଥିବା ଲକ୍ଷ୍ମୀକାନ୍ତଙ୍କର ଚାରିଗୋଟି ରୂପକୁ ଦର୍ଶନ କରିବା ଲାଗି ପୁରୁଷୋତ୍ତମ କ୍ଷେତ୍ରାଭିମୁଖେ ଯାତ୍ରା ପାଇଁ ପ୍ରସ୍ତୁତ ହେଲେ ।
ସେଦିନ ଶୁକ୍ରବାର, ଜ୍ୟେଷ୍ଠମାସ ଶୁକ୍ଳପଞ୍ଚମୀ । ପୁଷ୍ୟ ନକ୍ଷତ୍ରର ଶୁଭଲଗ୍ନ । ମହାରାଜାଙ୍କ ପ୍ରସ୍ଥାନ ସମୟ ସ୍ଥିର ହେଲା । ଏହା ପୂର୍ବରୁ ମାଳବ ଦେଶର ନାଗରିକଙ୍କୁ ନିଜ ନିଜ କର୍ମରେ ବିନିଯୋଗ ହେବା ପାଇଁ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଆଦେଶ ଦେଲେ ଆଉ ଯେଉଁମାନେ ନିଜ ଅଧୀନରେ ରହିଛନ୍ତି ସେମାନଙ୍କୁ ଉକ୍ରଳ ଦେଶକୁ ତାଙ୍କ ସହିତ ଯିବା ଲାଗି ଆଦେଶ ହେଲା ।
ମହର୍ଷି ନାରଦଙ୍କ ସହ ରଥରେ ବିଜେ କଲେ ରାଜନ୍ । ଅନ୍ତଃପୁରର ପରିବାର ସହିତ ଅମାତ୍ୟଳ ପଦାତିକ, ରଥ, ଗଜ, ଅଶ୍ୱ ସବୁକିଛି ରାଜନ୍ଙ୍କ ସହିତ ଯିବା ଲାଗି ପ୍ରସ୍ତୁତ ହେଲେ । ଅଗ୍ନିହୋତ୍ରୀ ବ୍ରାହ୍ମଣଗଣଙ୍କୁ ମଧ୍ୟ ତାଙ୍କ ସହ ଯିବା ଲାଗି କୁହାଗଲା । ରାଜା ସ୍ଥିର କଲେ ସେ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରିବେ, ଯେଉଁଠାରେ ଅଷ୍ଟସମ୍ଭୁ ଓ ଅଷ୍ଟଶକ୍ତି ଅବସ୍ଥାନ କରି ଭକ୍ତଙ୍କୁ ଆତ୍ମଦାନ କରୁଛନ୍ତି । ପୁଣି ଯେଉଁଠାରେ ଏମାନଙ୍କ ସହ ରହିଛନ୍ତି କ୍ଷେତ୍ରାଧିପତି ଲକ୍ଷ୍ମୀକାନ୍ତ ।
ଶୁଭ୍ର ରଙ୍ଗର ବସ୍ତ୍ର ଓ ନାନା ଅଳଙ୍କାରରେ ଭୂଷିତ ହୋଇ ସହାସ୍ୟବଦନରେ ରାଜା ଇନ୍ଦ୍ରଦ୍ୟୁମ୍ନ ମହର୍ଷିଙ୍କ ସହ ରଥରେ ବିଜେ କଲେ । ଆଗକୁ ଅନେକ ବାଟ ଯିବାକୁ ଅଛି, ଯାହା ଅଭେଦ୍ୟ ଓ ଦୁଃସାଧ୍ୟ । ଧଳା ବସ୍ତ୍ର ପରିଧାନ କରିଥିବା ବ୍ରାହ୍ମଣମାନେ ମହାରାଜାଙ୍କ ଆଗରେ ଲିଆ ଓ ଫୁଲ ବର୍ଷା କରିଲେ । ଆଉ ପ୍ରସ୍ଥାନ ପାଇଁ ଆଶୀର୍ବାଦ ଦେଲେ ।
ମହାରାଜାଙ୍କ ମନରେ ଅନେକ ଉକ୍ରଣ୍ଠା । ବାଘ, ସିଂହଙ୍କ ଗର୍ଜନ କି ଘୋର ଅନ୍ଧକାରରେ ଦୁର୍ଗମ ଜଙ୍ଗଲ ଅତିକ୍ରାନ୍ତ ହେବା କିଛି ତାଙ୍କୁ ବ୍ୟସ୍ତ ବିବ୍ରତ କରୁ ନଥିଲା । ବାଟରେ ନର୍ତ୍ତକୀମାନେ ଯେଉଁ ରମଣୀୟ ନୃତ୍ୟ କରୁଥିଲେ ସେଥିପ୍ରତି ଆଗ୍ରହ ନଥିଲା । କେବଳ ଯାହା ମନକୁ ବିବ୍ରତ କରୁଥିଲା ତାହା ହେଲା ସେଇ ଚତୁର୍ଦ୍ଧାମୂର୍ତ୍ତି ନାରାୟଣଙ୍କ ଦର୍ଶନ ।
ଅନେକ ଦୁର୍ଗମ ଅଞ୍ଚଳ ଦେଇ ଆସିବା ପରେ ଦେବର୍ଷି କହିଲେ, ଆମେ ଉଡ୍ରଦେଶର ଅଗ୍ରଭାଗରେ ପହଞ୍ଚିଲେଣି । ଏଇ ଚଣ୍ଡୀକାଦେବୀଙ୍କୁ ଦେଖନ୍ତୁ, ସେ ଆମ ପଥରେ ବିରାଜମାନ । ହେ, ରାଜ୍, ଏବେ ରଥରୁ ଓହ୍ଲାଇ ତାଙ୍କୁ ସଷ୍ଟାଙ୍ଗ କରନ୍ତୁ । ସେ ବିଘ୍ନ ବିନାଶିନୀ, ସେ ସ୍ୱୟଂ ତ୍ରିମୂର୍ତ୍ତିଙ୍କ କଳ୍ପନାରୁ ସୃଷ୍ଟ । ସେ ଆଦ୍ୟାଶକ୍ତି । ସେ ଶାଶ୍ୱରୂପିଣୀ, ସେ ପରମେଶ୍ୱରୀ, ସେ ଶକ୍ତି ସ୍ୱରୂପିଣୀ- ଯାହାଙ୍କ ଶକ୍ତି ବଳରେ ସ୍ୱୟଂ ଶ୍ରୀ ବିଷ୍ଣୁ ଜଗତର ସୃଜନ, ପାଳନ ଓ ସଂହାର କରୁଛନ୍ତି ।
ମହାରାଜା ଇନ୍ଦ୍ରଦ୍ୟୁମ୍ନ ଦେବର୍ଷି ନାରଦଙ୍କ କହିବା ଅନୁସାରେ ତାଙ୍କୁ ବନ୍ଦନା କରି ପୁଣି ରଥରେ ବିରାଜମାନ ହେଲେ ଏବଂ ଚିତ୍ରୋତ୍ପଳା ନଦୀରେ ତିଳ ତର୍ପଣ କରି ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତ ହେଲେ । ଶ୍ରୀ ବିଷ୍ଣୁଙ୍କୁ ପ୍ରତ୍ୟକ୍ଷ ଦର୍ଶନ ପାଇଁ ସୁଦୂର ମାଳବରୁ ରାଜା ଇନ୍ଦ୍ରଦ୍ୟୁମ୍ନ ଆସି ପୁରୁଷୋତ୍ତମ କ୍ଷେତ୍ରରେ ପହଞ୍ଚିଥିବା ଜାଣି ଉଡ୍ର ରାଜା ବେଶ୍ ପ୍ରସନ୍ନ ହେଲେ । ଏହି ପୂଣ୍ୟାତ୍ମାଙ୍କୁ ଦର୍ଶନ କରିବା ଲାଗି ସ୍ୱୟଂ ଆସି ଇନ୍ଦ୍ରଦ୍ୟୁମ୍ନଙ୍କ ଶିବିରରେ ହାଜର ହେଲେ । ଉଡ୍ର ରାଜାଙ୍କୁ ଭେଟି ପ୍ରସନ୍ନ ହୋଇ ଇନ୍ଦ୍ରଦ୍ୟୁମ୍ନ ମନର କଥା କହିବା ଆରମ୍ଭ କଲେ । ନୀଳ କନ୍ଦରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସେ ବ୍ୟଗ୍ର ଥିବା ଜଣାଇ ତାହାର ରାସ୍ତା ପଚାରିଲେ । କିନ୍ତୁ ଉଡ୍ର ରାଜା ଯାହା ବଣ୍ଣନା କଲେ ତାହା ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ପୁଣି ବ୍ୟଥିତ କରିଲା ।
ରାଜା କହିଲେ, ହେ! ରାଜନ୍ ଆପଣଙ୍କ ଆଗ୍ରହ ଓ ନିଷ୍ଠା ମୋତେ ସ୍ତମ୍ଭୀଭୂତ କରିଛି । କିନ୍ତୁ ଆପଣ ଯେଉଁ ଲକ୍ଷ୍ୟରେ ଆସିଛନ୍ତି ତାହା ପାଖକୁ ଅଗ୍ରସର ହେବା କଷ୍ଟକର । ସେହି ନୀଳକନ୍ଦର ଏବେ ବାଲୁକାବୃତ୍ତ । କିଛିଦିନ ପୂର୍ବେ ପ୍ରବଳ ଝଡ଼ବାତ୍ୟାରେ ସମୁଦ୍ରରୁ ବାଲୁକା ଆସି ପୁରା ପାହାଡ଼କୁ ମଣ୍ଡିତ କରିଛି । ତାହାରି ପ୍ରଭାବରେ ରାଜ୍ୟରେ ଏବେ ଦୁର୍ଭିକ୍ଷ ଓ ମହାମାରୀ ବ୍ୟାପିଛି ।
ଯାତ୍ରା ଆରମ୍ଭରୁ ମହର୍ଷି ଏହି ଖବରକୁ ଇନ୍ଦ୍ରଦ୍ୟୁମ୍ନଙ୍କୁ ଜଣାଇଥିଲେ । ସେତେବେଳେ ଏହା ଶୁଣି ମାହାରାଜା ଚେତାଶୂନ୍ୟ ହୋଇଥିଲେ । ଅନେକ ଦିନ ପରେ ଚେତା ଫେରି ସେ ପୁଣି ଏ ଯାତ୍ରା ଆରମ୍ଭ କଲେ କେବଳ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି । ଆଜି ଏତେ ଦୁର୍ଗମ ପଥ ଅତିକ୍ରମ କରିବା ପରେ ପୁଣି ସେଇ କାହାଣୀ । ସେ କ୍ଷେତ୍ରରେ ବାଲି ମାଡ଼ି ଯାଇଛି!!
ଉଡ୍ର ରାଜାଙ୍କ ଏହି କଥା ତାଙ୍କୁ ବ୍ୟଥିତ କଲା । ପୁଣିଥରେ ସେ ଭୂମିତଳୁ ମାଟି ଖସିବା ଭଳି ଅନୁଭବ କଲେ । ଯେଉଁ ନାରାୟଣଙ୍କୁ ସେ ସ୍ୱଚକ୍ଷୁରେ ଦର୍ଶନ ପାଇଁ ଆସିଛନ୍ତି ତାହା ପୂରଣ ହୋଇ ପାରିବ ନାହିଁ ବୋଲି ଆଶଙ୍କା କଲେ । ଦେବର୍ଷିଙ୍କୁ ସମସ୍ତ କଥା କହିବା ଉତ୍ତାରୁ ସେ ରାଜନ୍ଙ୍କୁ ପୁଣିଥରେ କହିବାକୁ ଆରମ୍ଭକଲେ,
ନ କାର୍ଯେ୍ୟା ବିସ୍ମୟସ୍ତେତ୍ର ଭାଗ୍ୟବାନ ବୈଷ୍ଣୋବତମଃ
ନ ବୈଷ୍ଣୋବାନାଂ ବା‚ା ହି ବିଫଳା ଜାୟତେ କ୍ୱଚିତ । ।
ଯେଉଁମାନେ ବିଷ୍ଣୁଭକ୍ତ ସେମାନଙ୍କ ମନବା‚ା କ୍ୱଚିତ ବିଫଳ ହୁଏ ବୋଲି କହି ମାହାରାଜାଙ୍କୁ ହତୋତ୍ସହିତ ନହେବାକୁ ପ୍ରବର୍ତ୍ତାଇଲେ ଦେବର୍ଷି । ଆଉ ପାର୍ଥିବ ଶରୀର ଧାରଣ କରିଥିବା ସେହି ଅନାମମୟ ନାରାୟଣଙ୍କୁ ନିଶ୍ଚିତ ଦର୍ଶନ କରିବେ ବୋଲି କହିଲେ । “ପିତାମହ ବ୍ରହ୍ମା ମୋତେ ସେହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆପଣଙ୍କ ସହାୟକ ହେବା ଲାଗି ପଠାଇଛନ୍ତି । ଏଣୁ ପଛକୁ ନଫେରି ଆମେ ସେହି ସ୍ଥାନକୁ ଯିବା ଉଚିତ ହେବ’ ।
ଦେବର୍ଷିଙ୍କ କଥା ରକ୍ଷା କରି ପୁଣି ଅଗ୍ରସର ହେଲେ ମହାରାଜା । କିନ୍ତୁ ମନ ଭିତରେ ଶଙ୍କା ଦୂର ହେଉ ନଥାଏ । କିଛିବାଟ ଆଗକୁ ଗଲାପରେ ସାମ୍ନାକୁ ଆସିଲା ଏକାମ୍ର କ୍ଷେତ୍ର । ନାରଦ କହିଲେ ଏହି କ୍ଷେତ୍ରର ମାହାତ୍ମ୍ୟ ଜାଣିଛନ୍ତି ମାହାପ୍ରଭୁ? ଏହା ହେଉଛି ଏମିତି ଏକ କ୍ଷେତ୍ର ଯେଉଁଠାରେ ଭଗବାନ ଶିବ ଭୀତତ୍ରସ୍ତ ହୋଇ ଶରଣ ନେଇଛନ୍ତି ।
ଯିଏ ସ୍ୱୟଂ ମହାଦେବ, କୈଳାସପତି ମହେଶ୍ୱର ଯିଏ ଏକମାତ୍ର ଶର ଦ୍ୱାରା ତ୍ରିପୁରାଶୂରକୁ ଦଗ୍ଧ କରିଦେଇ ପାରିଥିଲେ ସେ ପୁଣି ଭୟଭୀତ, ଶରଣାପନ୍ନ ।
ମହେଶ୍ୱର ପୁଣି କାହାର ଶରଣ ନେଇଛନ୍ତି ଦେବର୍ଷି?
ବିଷ୍ଣୁଙ୍କର । ଯାହାଙ୍କ ଦର୍ଶନ ପାଇଁ ଆପଣଙ୍କ ଡାକରା ହୋଇଛି । ଯେଉଁ ପୁରୁଷୋତ୍ତମ କ୍ଷେତ୍ରର ପୁନର୍ଗଠନ ଆପଣଙ୍କ ଆସିବାକୁ ଅପେକ୍ଷା କରୁଛି, ସେଇ କ୍ଷେତ୍ରରେ ଯିଏ ସଶରୀରେ ରହିଛନ୍ତି ତାଙ୍କରି ଶରଣରେ ଭଗବାନ ଶିବ ରହିଛନ୍ତି । ଶ୍ରୀ ବିଷ୍ଣୁ ତାଙ୍କୁ ଏଠାରେ ରଖିଛନ୍ତି । ଏହି ଭବ୍ୟ ମନ୍ଦିର ହେଉଛି ତାଙ୍କ ଆସ୍ଥାନ, କୋଟି ଲିଙ୍ଗେଶ୍ୱର ଶିବଙ୍କ ମନ୍ଦିର ।
ଏହା ଶୁଣି ମନ ଭିତରେ ଅନେକ ଉକ୍ରଣ୍ଠା ଜନ୍ମ ନେଲା । ମହାରାଜା ମନ୍ଦିର ଦ୍ୱାର ଦେଶରେ ଭକ୍ତିପୂର୍ବକ ପ୍ରଣାମ କରି ପରମେଶ୍ୱରଙ୍କ ଦର୍ଶନ କାମନା କଲେ । ମହେଶ୍ୱର ପ୍ରକଟ ହୋଇ କହିଲେ, “ହେ ଇନ୍ଦ୍ରଦ୍ୟୁମ୍ନ ମହାରାଜା! ତୁମ ସଦୃଶ ବିଷ୍ଣୁଭକ୍ତ ଏ ପୃଥିବୀରେ ବିରଳ । ଅତଏବ ତୁମର ମନବା‚ା ନିଶ୍ଚୟ ପୂରଣ ହେବ । ତୁମେ ଶଙ୍କାଗ୍ରସ୍ତ କାହିିଁକି?’
“ପୁରୁଷୋତ୍ତମ କ୍ଷେତ୍ରଟି ବିଷ୍ଣୁଙ୍କ କଳେବର ସ୍ୱରୂପ । ତା ମଧ୍ୟରେ ଯେଉଁ ଅନ୍ତର୍ବେଦୀ ରହିଛି ତାହା ବିଷ୍ଣୁଙ୍କ ହୃଦୟ ସ୍ୱରୂପ । ମୁଁ ସେହି ଅନ୍ତର୍ବେଦୀକୁ ରକ୍ଷା କରିବା ଲାଗି ସ୍ୱୟଂ ବିଷ୍ଣୁଙ୍କ ଦ୍ୱାରା ଅଷ୍ଟ ପ୍ରକାରେ ସ୍ଥାପିତ ହୋଇଛି । ସେ ଅନ୍ତର୍ଦ୍ଧାନ ହୋଇଛନ୍ତି ସତ କିନ୍ତୁ ଆପଣ ଦେବର୍ଷି ନାରଦ! ଏହି ନରପତିଙ୍କ ଦ୍ୱାରା ସେଇ ଶଙ୍ଖକ୍ଷେତ୍ରରେ ଏକ ଅଶ୍ୱମେଧ ଯଜ୍ଞ କରାନ୍ତୁ । ସେଇ ଯଜ୍ଞ ଶ୍ରୀ ଦୁର୍ଗାଙ୍କ ସହ ମୁଁ ଅବସ୍ଥାନ କରିଥିବା କ୍ଷେତ୍ରର ଅଗ୍ର ଭାଗରେ ହେବା ଆବଶ୍ୟକ । ସେଇ ଯଜ୍ଞର ଫଳସ୍ୱରୂପ ଏକ ଅଦ୍ଭୁତ ବୃକ୍ଷ ପ୍ରାପ୍ତ ହେବେ । ସେଇ ବୃକ୍ଷରୁ ପ୍ରସ୍ତୁତ ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ୱରୂପ । ପୁଣି ତାହା ସ୍ୱୟଂ ବିଶ୍ୱକର୍ମା ନିର୍ମାଣ କରିବେ’ ।
ଠିକ୍ ଏଇ କଥା ବ୍ରହ୍ମା ନାରଦଙ୍କୁ କହି ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ପୁରୁଷୋତ୍ତମ କ୍ଷେତ୍ର ଅଭିମୁଖେ ଯାତ୍ରା କରିବାକୁ କହିଥିଲେ । ଆଜି ଉମାପତି ଶିବ ସେଇ କଥା କହି ଆଗକୁ ବାଟ କଢ଼ାଉଛନ୍ତି । ଏହା ହିଁ ଚମକ୍ରାର ।
ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ମନ ଭିତରେ ବିଶ୍ୱାସ ଶକ୍ତ ହେଲା । ସେହି କ୍ଷେତ୍ରରେ ଶ୍ରୀହରିଙ୍କ ସାନ୍ନିଧ୍ୟ ପାଇଲାପରି ମହାରାଜା ପ୍ରାର୍ଥନା କଲେ । ବିଷ୍ଣୁଙ୍କ ବନ୍ଦନା କଲେ । ତାହାଙ୍କ ଦର୍ଶନ ପାଇଁ ଇଚ୍ଛା ପ୍ରକଟ କଲେ । ଭକ୍ତିରେ ଲୋଟିଲେ ।
ଶୂନ୍ୟବାଣୀ ହେଲା । ଯାହା ଦେବର୍ଷି ଦିନେ ମହାରାଜାଙ୍କ କହିଥିଲେ ଠିକ୍ ସେହିପରି । “ଯେଉଁ ସ୍ଥାନରେ ସେ ଅବସ୍ଥାନ କରିଛନ୍ତି ସେଠାରେ ପ୍ରଥମେ ଆଦି ନୃସିଂହଙ୍କୁ ସ୍ଥାପନ କରି ଅଶ୍ୱମେଧ ଯଜ୍ଞ କରିବାକୁ ହେବ’ ।
ମହାରାଜା ଏବେ ଦୃଢ଼ ନିଶ୍ଚିତ ହେଲେ । ସହସ୍ର ୍ଅଶ୍ୱମେଧ ଯଜ୍ଞ ପାଇଁ ପ୍ରସ୍ତୁତ ହେଲେ ।
ଦେବଦେବତାଙ୍କୁ ନିମନ୍ତ୍ରଣ ହେଲା । ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳବାସୀ ଏହି ଯଜ୍ଞରେ ସାକ୍ଷ୍ୟ ହୋଇ ପରମାତ୍ମାଙ୍କ ସାକ୍ଷାତ ଲାଗି ବ୍ୟଗ୍ର ହେଲେ । ଅନେକ ଆହୂତି ପରେ ଯଜ୍ଞ ସମାପ୍ତିର ସାତଦିନ ପୂର୍ବ ଏକ ରାତି୍ରରେ ଇନ୍ଦ୍ରଦ୍ୟୁମ୍ନ ମହାରାଜା ସ୍ୱପ୍ନ ଯୋଗରେ ଦେଖିଲେ, କ୍ଷୀର ସମୁଦ୍ର ଭିତରେ ଏକ ଦ୍ୱୀପ ରହିଛି । ଯାହା ସ୍ଫଟିକ ଭଳି ଔଜ୍ଜଲ୍ୟ ପ୍ରଦାନ କରୁଛି । ସେହି ସ୍ଥାନ ଏକ ବୃକ୍ଷସମ ଦିଶୁଛି । ପୁଣି ଏହି ବୃକ୍ଷ ଚାରିଟି ଶାଖାଯୁକ୍ତ । ତାହାର ପ୍ରତିଟି ଅଙ୍ଗରେ ଶଙ୍ଖ, ଚକ୍ର, ଗଦା, ହଳ, ମୂଷଣ ଓ ପଦ୍ମ ଶୋଭା ପାଉଛି । ସବୁ ପ୍ରକାର ଫୁଲରେ ତାହା ଆଚ୍ଛାଦିତ ହୋଇଛି । ଅନେକ ସୁଗନ୍ଧ ତାହା ପ୍ରଦାନ କରୁଛି । ତାହାରି ମଧ୍ୟଭାଗରେ ଏକ ସିଂହାସନ ରହିଛି, ଯାହା ଉପରେ ଶଙ୍ଖ, ଚକ୍ର ଧାରୀ ରାଜା ବିରାଜମାନ କରିଛନ୍ତି । ସେହି ରାଜାଙ୍କ ଦକ୍ଷିଣ ପାଶ୍ୱର୍ରେ ଶ୍ରୀ ଅନନ୍ତ ବିରାଜମାନ । ଯାହାଙ୍କ ଫଣା ମୁକୁଟ ଭଳି ମନୋହରୀ । ଦକ୍ଷିଣ ଭାଗରେ ଶୁଭଲକ୍ଷଣା ଲକ୍ଷ୍ମୀ ମହାପ୍ରଭୁ । ଗୋଟିଏ ହସ୍ତରେ ତାଙ୍କର ପଦ୍ମଫୁଲ ଆଉ ଅନ୍ୟ ହସ୍ତଟି ବରାଭୟ ମୁଦ୍ରା ଧାରଣ କରିଛି । ଏକ ପଦ୍ମ ଉପରେ ମହାଲକ୍ଷ୍ମୀ ବିରାଜିତା । ଇନ୍ଦ୍ରଦ୍ୟୁମ୍ନ ଏହି ଜଗଦୀଶ୍ୱରଙ୍କ ରୂପ ଦେଖି ବିମୋହିତ ହେଲେ, ତାଙ୍କୁ ପ୍ରାର୍ଥନା କଲେ ।
କିନ୍ତୁ ଏହା ଯେ, ସ୍ୱପ୍ନ ଥିଲା । ସକାଳୁ ମହର୍ଷିଙ୍କୁ ଏ ବାବଦରେ କୁହନ୍ତେ ତ ମହର୍ଷି ଖୁସିରେ ଅଧୀର ହୋଇଗଲେ । କହିଲେ ଆପଣଙ୍କ ଯଜ୍ଞ ସୁଫଳ ହେବାକୁ ଯାଉଛି । ଯଜ୍ଞ ପୂର୍ବରୁ ଆପଣ ବିଷ୍ଣୁଙ୍କୁ ସାକ୍ଷାତ କରିଛନ୍ତି । ହେଲେ ଏ ବିଷୟକୁ ଗୋପନ ରଖନ୍ତୁ । ପ୍ରଥମେ ଯଜ୍ଞ ଶେଷ ହେବାକୁ ଦିଅନ୍ତୁ ।
ଅରୁଣୋଦୟ କାଳେହି ଭଗବନ୍ତଂ ଦଦର୍ଶ ଯତ ।
ଦଶାହାତ୍ ଫଳଦଃ ସ୍ୱପ୍ନ ସ୍ତମୀନ କାଳେ ନୃପୋତ୍ତମ । ।
(୨)
ଆରମ୍ଭ ହେଲା ଯଜ୍ଞର ଶେଷ ପର୍ଯାୟ । ଅବଭୃତ ସ୍ନାନ ନିମନ୍ତେ ବିଭିନ୍ନ ସ୍ଥାନରେ ସେବକମାନେ ଉପସ୍ଥିତ ଥାଆନ୍ତି । ଯେଉଁମାନେ ବିଲ୍ୱେଶ୍ୱର ମହାଦେବଙ୍କ ନିକଟରେ ଅବସ୍ଥାନ କରି ସମୁଦ୍ରକୁ ସ୍ନାନ ନିମନ୍ତେ ଅପେକ୍ଷା କରିଥିଲେ ସେମାନଙ୍କ ଭିତରୁ କିଛି ସେବକ ଯଜ୍ଞସ୍ଥଳରେ ଉପସ୍ଥିତ ହୋଇ ମହାରାଜାଙ୍କୁ ଏକ ଖବର ଦେବା ପାଇଁ ନିବେଦନ କଲେ ।
ସେବକେ କହିଲେ, ମହାଭାଗ ସମୁଦ୍ରର ତଟଭୂମିରେ ଏକ ମହାବୃକ୍ଷ ଦେଖା ଦେଉଛି । ଯାହାର ମୂଳଟି ସମୁଦ୍ରରେ ଭାସୁଛି । ଆଉ ଅଗ୍ର ଭାଗଟି ସମୁଦ୍ର ଭିତରେ ରହିଲା ପରି ମନେ ହେଉଛି । ଏହି ମହାବୃକ୍ଷରେ ସବୁ ଅଙ୍ଗ ଲୋହିତ ବଣ୍ଣର । ଶଙ୍ଖ ଚକ୍ର ଚିହ୍ନ ସେଥିରେ ରହିଛି । ଏମିତି ବୃକ୍ଷ ଆମେ ପୂର୍ବରୁ କେବେ ଦେଖି ନାହୁଁ । ଏହା ଅଦ୍ଭୁତ । ଏହାର ଦେହରୁ ଏକ ସୁଗନ୍ଧ ଜାତ ହେଉଛି । ଯାହା ସମଗ୍ର କୂଳକୁ ଆଚ୍ଛାଦିତ କରିଛି । ଆପଣ ଏହାକୁ ପରିଦର୍ଶନ କରି ଆଦେଶ ଦେବାକୁ ଅନୁରୋଧ ।
ରାଜା ଏ ବିଷୟକୁ ଦେବର୍ଷିଙ୍କ ନିକଟରେ ବଣ୍ଣନା କରି ଆବଶ୍ୟକ ପରାମର୍ଶ ମାଗିଲେ । ଦେବର୍ଷି ଯଜ୍ଞ ଫଳପ୍ରଦ ହୋଇଛି ବୋଲି ସ୍ମିତ ହାସ୍ୟ ଦେଲେ । ଆଉ କହିଲେ ସେ ହେଉଛନ୍ତି ଦ୍ରୁମ ରୂପୀ ଭଗବାନ ବିଷ୍ଣୁ । ଯାହାଙ୍କୁ ଆପଣ ସ୍ୱପ୍ନରେ ଦେଖିଥିଲେ, ଏବେ ତାଙ୍କୁ ସ୍ୱଚକ୍ଷୁରେ ଦେଖିବା ଲାଗି ସମୟ ଉପନୀତ ହୋଇଛି । ବିଧିବଦ୍ଧ ଭାବେ ଯଜ୍ଞ ସମାପ୍ତ କରନ୍ତୁ!
ତତ୍କ୍ଷଣାତ୍ ମହର୍ଷିଙ୍କ ପରାମର୍ଶରେ କାର୍ଯ୍ୟ ସମାପନ କରି ସେବକେ ଦେଇଥିବା ସୂଚନା ଅନୁସାରେ ସେହି ବୃକ୍ଷରୂପୀ ବିଷ୍ଣୁଙ୍କୁ ଦର୍ଶନ କରିବା ଲାଗି ବାହାରି ପଡ଼ିଲେ ଇନ୍ଦ୍ରଦ୍ୟୁମ୍ନ । ଏ ବୃକ୍ଷ ଚାରି ଶାଖା ବିଶିଷ୍ଟ । ସହସ୍ର ଦିବ୍ୟ ଉପଚାର କରି ଚାନ୍ଦୁଆ ଆଚ୍ଛାଦିତ କରି ତାହାଙ୍କୁ ଯଜ୍ଞସ୍ଥାନକୁ ଆଣିଲେ । ହେଲେ ଏହି ଦାରୁରୁ ବିଷ୍ଣୁ ପ୍ରତିମା କିପରି ନିର୍ମାଣ ହେବ? କିଏ ଏହା କରିବେ?
ଏହି ସମୟରେ ପୁଣି ଆକାଶବାଣୀ ହେଲା, “ଭଗବାନ ଅପୌରୁଷେୟ ଓ ସମସ୍ତ ବିଚାରର ଅଗୋଚର ଅଟନ୍ତି । ସେ ସ୍ୱୟଂ ମହାଦେବୀରେ ଅବତରିତ ହେବେ । ଏ ଯେଉଁ ଶସ୍ତ୍ରପାଣି ବୃଦ୍ଧ ବୃଦ୍ଧା ଅଛନ୍ତି ତାହାଙ୍କୁ ପ୍ରାସାଦ ଭିତରେ ଭର୍ତ୍ତି କରାଇ ୧୫ ଦିନ ଯାଏ ଦ୍ୱାର ବନ୍ଦ କରନ୍ତୁ । କେହି ହେଲେ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହାଙ୍କୁ ଖୋଲିବେ ନାହିଁ । ଏହି ଦୁଆରକୁ ବନ୍ଦ କରିଦିଆଯାଉ । ନାନା ପ୍ରକାର ବାଦ୍ୟ ଏଠାରେ ବାଦନ କରାଯାଉ । କାରଣ ଏହାଙ୍କ ଗଠନ ଶବ୍ଦ ଶୁଣିଲେ ବଧିର ଏବଂ ଏହାର ଗଠନକୁ କେହି ଦେଖିବାର ଉଦ୍ୟମ କଲେ ଅନ୍ଧ ହେବାର ଆଶଙ୍କା ରହିଛି । ଏହା ସହ ନର୍କବାସ ବି ହୋଇପରେ ।
ପନ୍ଦର ଦିନ ଯାଏ ଦ୍ୱାର ବନ୍ଦ ରହିଲା । ସ୍ୱର୍ଗପୂରୀରୁ ସୁମଧୁର ବାଦ୍ୟ ଓ ସଙ୍ଗୀତ ବାଜିଲା । ମର୍ତ୍ତ୍ୟରେ ଉପସ୍ଥିତ ସଭିଏ ବିଷ୍ଣୁଙ୍କ ମନ୍ତ୍ରରେ ପୂଜାର୍ଚ୍ଚନା ଆରମ୍ଭ କଲେ । ଏହାପରେ ଯେତେବେଳେ ଦ୍ୱାର ଖୋଲିଲା ଏକ ଦିବ୍ୟ ଅନୁଭବ ରାଜାଙ୍କୁ ହେଲା । ଯେଉଁ ରୂପ ସେ ସ୍ୱପ୍ନରେ ଦେଖିଥିଲେ କିନ୍ତୁ ଅଭିବ୍ୟକ୍ତି କରିପାରୁ ନଥିଲେ ଏହା ଠିକ୍ ସେହିଭଳି । ପ୍ରଭୁଙ୍କର ଅଙ୍ଗବିଶେଷ ସବୁ ଚତୁର୍ଦ୍ଧା ମୂର୍ତ୍ତି ଆକାରରେ ପ୍ରସ୍ଫୁଟିତ । ଜନାର୍ଦ୍ଦନଙ୍କ ହାତରେ ଶଙ୍ଖ, ଚକ୍ର ଗଦା ଏବଂ ପଦ୍ମ । ଅନନ୍ତ ଦେବଙ୍କ ହାତରେ ଗଦା ମୂଷଳ, ଚକ୍ର ଓ ବଜ୍ର ଚିହ୍ନ ଶୋଭା ପାଇଲା । ଯେମିତି ଲୀଳାବତାରୀ ବିଷ୍ଣୁଙ୍କ ଏକ ଅଙ୍ଗ । ଏହାଙ୍କର ମସ୍ତକରେ ସପ୍ତଫଣା ଛତ୍ରା ଆକୃତିର ମୁକୁଟ ଦେଖିବାକୁ ମିଳିଲା । ସୁଭଦ୍ରା ଦେବୀ ମଝିରେ ବିଶେଷ ସୁନ୍ଦର ଦେଖାଗଲେ । ଅତିସୁନ୍ଦର ପଦ୍ମ ସହ ଅଭୟମୁଦ୍ରା ସେ ଧାରଣ କରିଛନ୍ତି । ସେ ଲକ୍ଷ୍ମୀଙ୍କ ଅବତାର । କୃଷ୍ଣ ଅବତାର କାଳରେ ରୋହିଣୀଙ୍କ ଗର୍ଭରୁ ଏହାଙ୍କ ଜାତ ହୋଇଥିଲା । ସୁଭଦ୍ରା ବଳଭଦ୍ରଙ୍କର ଭଉଣି, ପୁରାଣରେ ବଣ୍ଣନା କରାଯାଇଛି । ଭଗବାନ ବିଷ୍ଣୁଙ୍କ ଅଙ୍ଗର ଆଉ ଏକ ଅଂଶ ହେଉଛନ୍ତି ସୁଦର୍ଶନ । ବିଷ୍ଣୁଙ୍କ ହାତରେ ସର୍ବଦା ଶୋଭା ପାଉଥିବା ସୁଦର୍ଶନ ଚକ୍ର ଆଜି ସେହି ରତ୍ନ ସିଂହାସନରେ ବିଦ୍ୟମାନ । ସେ ପ୍ରଭୁଙ୍କର ଚତୁର୍ଥ ରୂପ । ଯେଉଁ ମହାବୃକ୍ଷଟି ଦାରୁ ରୂପରେ ସମୁଦ୍ର କୁଳକୁ ଭାସି ଭାସି ଆସିଥିଲା ତାହାର ଅଗ୍ର ଭାଗରୁ ଏହା ନିର୍ମିତ । ସ୍ତମ୍ଭ ପ୍ରାୟ ଆକୃତି ।
ଏହି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାଟ ବସ୍ତ୍ରରେ ଆବୃତ୍ତ କରି ତାହାଙ୍କୁ ଇନ୍ଦ୍ରଦ୍ୟୁମ୍ନ ସଜାଇବା ଆରମ୍ଭ କଲେ । ବିଷ୍ଣୁଙ୍କୁ ନୀଳ ମେଘ ସଦୃଶ୍ୟ ଶ୍ୟାମଳ ବଣ୍ଣ, ବଳଦେବଙ୍କୁ ଶଙ୍ଖ ବା ଶୁଭ୍ର, ସୁଦର୍ଶନଙ୍କୁ ରକ୍ତ ଓ ସୁଭଦ୍ରାଙ୍କୁ କୁଙ୍କୁମ ରଙ୍ଗରେ ରଙ୍ଗାଇ ବିବିଧ ଅଳଙ୍କାର ଦ୍ୱାରା ଶୋଭିତ କରାଗଲା ।
(୩)
କୁଙ୍କୁମ ଅରୁଣ ରଙ୍ଗରେ ଶୋଭା ପାଉଥିବା ଦେବୀ ସୁଭଦ୍ରା ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ମଧ୍ୟରେ ଅବସ୍ଥିତ । ଏଠାରେ ଜଗନ୍ନାଥ କୃଷ୍ଣ । ଏବଂ ବଳଭଦ୍ର ହେଉଛନ୍ତି ବଳଦେବ । ଯାହାଙ୍କ ଫଣାରେ ସାରା ବ୍ରହ୍ମାଣ୍ଡ ଅବସ୍ଥିତ, ସେ ଅନନ୍ତ ନାଗ । ନାରାୟଣ ରୂପରେ ଯେଉଁ ଅନନ୍ତ ନାଗ ଉପରେ ପ୍ରଭୁ ଶୟନ ବା ବିଶ୍ରାମ କରନ୍ତି ସେ ହେଉଛନ୍ତି ଶ୍ରୀ ବଳଦେବ । ଆଉ ଯାହାଙ୍କ ସହ ସେ ସମସ୍ତ ବିଷୟ ଆଲୋଚନା କରନ୍ତି ସେ ହେଲେ ମହାଲକ୍ଷ୍ମୀ । ବିନା ମହାଲକ୍ଷ୍ମୀରେ ନାରାୟଣ ଅସମ୍ପୂଣ୍ଣ । ସେଇ ମହାଲକ୍ଷ୍ମୀ ଭଦ୍ର ରୂପରେ ସମସ୍ତ ଦେବତାଙ୍କ ମାତା ରୂପରେ ଏଠାରେ ପ୍ରତିଷ୍ଠିତ । ଦେବୀସୂକ୍ତ ମନ୍ତ୍ରରେ ସେ ପୂଜିତା । ପାପ ସାଗରରୁ ସମସ୍ତଙ୍କୁ ଉଦ୍ଧାର କରିବା ଲାଗି ତାଙ୍କର ଏହି ଅବସ୍ଥାନ ବୋଲି ସ୍ପଷ୍ଟ କରାଗଲା । “ଏହି ଲକ୍ଷ୍ମୀ ହେଉଛନ୍ତି ସ୍ତ୍ରୀ ନାମରେ କମଳାଳୟା । ଯେଉଁପରି ଭାବେ ପ୍ରତିଟି ଜୀବ, ଜାତି, ମନ୍ୟୁଷ୍ୟ ଓ ପ୍ରାଣୀଙ୍କ ଭିତରେ ପୁରୁଷ ନାମରେ ଭଗବାନ ବିଷ୍ଣୁ ବିଦ୍ୟମାନ ସେହିପରି ସ୍ତ୍ରୀ ନାମରେ ମହାଲକ୍ଷ୍ମୀ ବିଦ୍ୟମାନ’ । ଏଠାରେ ଶକ୍ତି ସୁଭଦ୍ରା ସ୍ୱରୂପା ଏବଂ ସେ ଅଖିଳ ଜଗତର ଆଶ୍ରୟ । ସମଗ୍ର ଦେବତାଙ୍କ ଉତ୍ପତ୍ତି ବିଷୟରେ ଅରଣି ସ୍ୱରୂପା । ଅର୍ଥାତ୍ ସେ କେତେବେଳେ ଭଗ୍ନି ତ କେତେବେଳେ ଜାୟା, ଆଉ କେତେବେଳେ ସେ ମାତାଙ୍କ ରୂପରରେ ଅବତାରିତ ହୋଇଛନ୍ତି । କିନ୍ତୁ ସେ ହେଉଛନ୍ତି ସମଗ୍ର ସ୍ତ୍ରୀ ଜାତିର ପ୍ରତୀକ ।
ତୟୋର୍ମଧ୍ୟସ୍ଥିତାଂ ଲକ୍ଷ୍ମୀଂ ସୁଭଦ୍ରାଂ ଭଦ୍ର ରୂପୀଣଂ
ସର୍ବଦେବାରଣୀଂ ପାପସାଗରୋତ୍ତରକାରିଣୀମ୍ । ।
