ଆସାମର ରାଜଧାନୀ ଗୌହାଟୀ ଉପକଣ୍ଠରେ ନୀଳାଚଳ ପର୍ବତ ଉପରେ ରହିଛି ଏକ ପ୍ରସିଦ୍ଧ ଶକ୍ତିପୀଠ । ତାହା ହେଉଛି କାମାକ୍ଷା ପୀଠ, ଦେଶର ପ୍ରମୁଖ ୫୧ ଶକ୍ତିପୀଠ ମଧ୍ୟରେ ଏକ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପୀଠ । ଏହି ପୀଠର ବିଶେଷତ୍ବ ହେଉଛି ଯେ ଏଠାରେ ଦେବୀଙ୍କର ଯୋନୀକୁ ଶକ୍ତିଭାବରେ ପୂଜା କରାଯାଏ । କିମ୍ବଦନ୍ତୀ ଅନୁସାରେ ଦକ୍ଷ ଯଜ୍ଞରେ ସତୀ ଝାସ ଦେବା ପରେ ଭଗବାନ ଶିବ ସତୀଙ୍କ ଶବକୁ ଧରି ଜଗତରେ ବୁଲିବାକୁ ଲାଗିଲେ । ଏହାପରେ ଭଗବାନ ବିଷ୍ଣ ଚକ୍ର ଦ୍ବାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ତାହା ଭାରତ ଓ ଭାରତ ବାହାରେ ଯେଉଁ ସ୍ଥାନରେ ପଡ଼ିଲା ସେଗୁଡ଼ିକୁ ଶକ୍ତିପୀଠ ବୋଲି କୁହାଗଲା । କାମାକ୍ଷା ପୀଠରେ ଦେବୀଙ୍କ ଯୋନୀଦେଶ ପଡ଼ିଥିବାରୁ ତାହାକୁ ପରମ ଶକ୍ତିପୀଠ ଭାବେ ଗଣନା କରାଯାଏ । ଏଥିପାଇଁ ତାନ୍ତ୍ର ସାଧକଙ୍କ ପାଇଁ ଏହି ପୀଠ ସିଦ୍ଧିର ପୀଠ ଓ ମୁକ୍ତିର ପୀଠ ।

ଗୁଆହାଟୀରେ ପହଞ୍ଚିବା ପରେ କାମାକ୍ଷା ଶକ୍ତିପୀଠରେ ପହଞ୍ଚିବା ପାଇଁ ବିଶେଷ ଅସୁବିଧା ହେବ ନାହିଁ । କାମାକ୍ଷା ମନ୍ଦିରଟି ୮ମ ଶତାବ୍ଦୀଠାରୁ ଆରମ୍ଭ କରି ୧୮ଶ ଶତାବ୍ଦୀ ମଧ୍ୟରେ ଏକାଧିକ ଥର ନିର୍ମିତ ହୋଇଛି । ପୁରୀ ଜଗନ୍ନାଥ ମନ୍ଦିର ପରି ବିଭିନ୍ନ ଥର ମୁସଲମାନ ଆକ୍ରମଣର ଶିକାର ହୋଇଛି ।
ବର୍ଷକୁ ଥରେ ଜୁନ ମାସ ବର୍ଷା ଦିନରେ ଦେବୀ ରଜସ୍ଵଳା ହୁଅନ୍ତି ଓ ଏହାକୁ ଏକ ଉତ୍ସବ ଆମ୍ବୁବାଚୀ ମେଳା’ ନାମରେ ପାଳନ କରାଯାଏ । ଏହି ମେଳାରେ ଦେଶର ବିଭିନ୍ନ ଭାଗରୁ ତାନ୍ତ୍ରିକ ଓ ସାଧକମାନେ ଆସି ସାଧନା କରନ୍ତି । ଚଳିତ ବର୍ଷ ଆମ୍ବୁବାଚୀ ମେଳା ଜୁନ ୨୨ରୁ ଆରମ୍ଭ ହୋଇ ଚାରିଦିନ ପାଇଁ ଚାଲିବ । ମାତ୍ର ଚଳିତ ବର୍ଷ କରୋନା ଭାଇରସ ମହାମାରୀ ଯୋଗୁଁ ଆମ୍ବୁବାଚୀ ମେଳା ନିରାଡମ୍ବରଭାବେ ପାଳନ ହେଉଛି ।