ଲକଡାଉନ ସମୟରେ ଚିନ୍ତାମୁକ୍ତ ରୁହନ୍ତୁ,

କରୋନା  ମହାମାରୀ ସମସ୍ତଙ୍କ ଜୀବନ ଓ ଜୀବିକାକୁ ପ୍ରଭାବିତ କରିଛି । ଲକଡାଉନ ଯୋଗୁଁ ଆମକୁ ମାସ ମାସ ଧରି ଘରର ଚାରିକାନ୍ଥ  ଭିତରେ ରହିବାକୁ ପଡ଼ୁଛି । ଘରେ ରହି ରହି ଖବରକାଗଜ, ଟେଲିଭିଜନ ଓ ଇଣ୍ଟରନେଟ ମାଧ୍ୟମରେ କରୋନା ସଂପର୍କିତ ଖବର ପଢିବା ବା ଦେଖିବା ଛଡ଼ା ଆଉ ବିଶେଷ କିଛି କାମ ନାହିଁ । କାହାକୁ ଫୋନ ଲଗାଇଲେ ମଧ୍ୟ ସେଥିରେ କରୋନା କଥା କହୁଛି ।  ମାସ ମାସ ଧରି ଲକଡାଉନରେ ରହିବା ଦ୍ୱାରା ଲୋକମାନଙ୍କ ମାନସିକ ସ୍ଥିତି ପ୍ରଭାବିତ ହେଉଛି । ମାନସିକ ଚାପରେ ରହି ଲୋକମାନେ ନିଶାଦ୍ରବ୍ୟ ମଧ୍ୟ ସେବନ କରିବା ଅସ୍ୱାଭାବିକ ନୁହେଁ । ଏଣୁ ସମୟ ଥାଉ ଥାଉ ଏହାର ସମାଧାନ ନକଲେ ତାହା ଧୀରେ ଧୀରେ ଅବସାଦ ବା ଡିପ୍ରେସନ ଆଡ଼କୁ ଯାଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି

ଏଣୁ ଏହି ସ୍ଥିତିରୁ ମୁକୁଳିବା  ପାଇଁ ଲୋକମାନଙ୍କୁ ନିଜ ଜୀବନ ଶୈଳୀରେ ଟିକିଏ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ହେବ ।  ଏକ ସ୍ୱତନ୍ତ୍ର ଯୋଜନା କରି ଏହା କରାଯାଇପାରେ ।  ତେବେ ବୟସ ଅନୁସାରେ ଏହି ଯୋଜନା ଭିନ୍ନ ହୋଇପାରେ ।

ଛୋଟ ପିଲା : ଛୋଟ ପିଲାମାନେ ମଧ୍ୟ ଘରେ ରହି ରହି ବିରକ୍ତ ହୋଇ ଯାଆନ୍ତି । ଏଣୁ ଅଭିଭାବକମାନେ ଧୈର୍ଯ୍ୟର ସହ ସେମାନଙ୍କ ସହ ବ୍ୟବହାର କରିବା ଉଚିତ ।  ଘରେ ସେମାନଙ୍କ ସହ କିଛି ଇଣ୍ଡୋର ଗେମ ଖେଳାଯାଇପାରେ, ଯୋଗ କରାଯାଇପାରେ, ବଗିଚା କାମ, ପେଣ୍ଟିଂ କରାଯାଇପାରେ । ଏପରି ହେଲେ ସେମାନେ ଖୁସି ରହିବେ ଓ ମାନସିକ ଚାପ କମ ରହିବ ।
କିଶୋର : ଲକଡାଉନ ଯୋଗୁଁ  ସ୍କୁଲ କଲେଜ ବନ୍ଦ ରହିଛି ଓ ବିଭିନ୍ନ ପରୀକ୍ଷା ମଧ୍ୟ ବାତିଲ ହୋଇଛି । ଏହା ଫଳରେ କିଶୋରମାନଙ୍କ ମଧ୍ୟରେ ନିଜ କ୍ୟାରିୟରକୁ ନେଇ ଚିନ୍ତା ଦେଖାଦେଉଛି । ଏଣୁ ସେମାନଙ୍କ ସହ ଏ ବିଷୟରେ କଥାବାର୍ତ୍ତା କରି ସେମାନଙ୍କୁ ଉଚିତ ପରାମର୍ଶ ଦିଅନ୍ତୁ । ଏହା ଛଡ଼ା ବିଭିନ୍ନ ଅନଲାଇନ କୋର୍ସରେ ନାମ ଲେଖାଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯାଇପାରେ ।
ବୟସ୍କ ବ୍ୟକ୍ତି : କରୋନା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ବୟସ୍କ ବ୍ୟକ୍ତି । କାରଣ ଏହା ସେମାନଙ୍କୁ ଅଧିକ ସଂକ୍ରମିତ କରୁଛି । ଏହି କାରଣରୁ କରୋନା ସେମାନଙ୍କ ମାନସିକ ଚାପକୁ ମଧ୍ୟ ବଢାଇଦେଇଛି । ଏଣୁ ଘରେ ଥିବା ବୟସ୍କ ବ୍ୟକ୍ତିଙ୍କ ସ୍ୱତନ୍ତ୍ର ଧ୍ୟାନ ରଖାଯିବା ଉଚିତ । ସେମାନେ ଯେପରି ଏକୁଟିଆ ଅନୁଭବ ନକରନ୍ତି ସେଥିପ୍ରତି ଗୁରୁତ୍ୱ ଦିଆଯିବା ଉଚିତ ।

ମୋଟାମୋଟି ଭାବେ ସବୁ ବୟସର ବ୍ୟକ୍ତି ଚିନ୍ତା ମୁକ୍ତ ରହିବା ସହ ନିୟମିତ ବ୍ୟାୟାମ କରିବା, ସୁଷମ ଖାଦ୍ୟ ଖାଇବା,  ଠିକ ସମୟରେ ଶୋଇବା ଦ୍ୱାରା ନିଜର ମାନସିକ ଚାପକୁ ନିୟନ୍ତ୍ରଣରେ ରଖିପାରିବେ ।