ହେଡ୍ ଲାଇନ୍ ଟା ଆପଣଙ୍କୁ ଅଡୁଆ ଲାଗୁଥିବ ନିଶ୍ଚୟ। ରଙ୍ଗର ପର୍ବ ହୋଲି, ଏହା ଏକ ପବିତ୍ର ପର୍ବ। ହେଲେ ରଙ୍ଗରେ ନୁହେଁ ଚିତା ଭସ୍ମରେ…ଯାହା ଅପବିତ୍ର, ଅଛୁଆଁ.. ସେଥିରେ ପୁଣି ହୋଲି ଖେଳ, ତାହା କିପରି ସମ୍ଭବ..? ଏଭଳି କିଛି ପ୍ରଶ୍ନ ଆପଣଙ୍କ ମନକୁ ନିଶ୍ଚୟ ଆନ୍ଦୋଳିତ କରୁଥିବ। କିନ୍ତୁ ଏହା ଆମେ କହୁନାହୁଁ। ଏହା କହୁଛି ଆମ ସଂସ୍କୃତି ଓ ପରମ୍ପରା।
ଆମ ଭାରତ ବର୍ଷରେ ଏଭଳି କିଛି ସ୍ଥାନ ରହିଛି ଯେଉଁଠି ନିଆରା ଢଙ୍ଗରେ ଅନେକ ପର୍ବ ପାଳନ କରାଯାଏ। ସେଥି ମଧ୍ୟରୁ ହେଉଛି ହୋଲିର ପର୍ବ। ଯେଉଁଠି ରଙ୍ଗରେ ନୁହେଁ, ସ୍ମଶାନର ଚିତା ଭସ୍ମରେ ହୋଲି ଖେଳାଯାଏ। ଏଠାରେ ରାଧାରାଣୀ ଓ ପ୍ରଭୁ ଶ୍ରୀକୃଷ୍ଣଙ୍କ ସମ୍ମାନାର୍ଥେ ପ୍ରେମର ରଙ୍ଗ ହୋଲି ଖେଳାଯାଏ ନାହିଁ, ବରଂ ହର ହର ମହାଦେବଙ୍କ ସ୍ମରଣାର୍ଥେ ହୋଲି ଖେଳାଯାଏ। ରଙ୍ଗ ପିଚିକାଳି ବଦଳରେ ଡମ୍ବୁରୁ ବଜାଯାଏ। ବୁରା ନା ମାନୋ ହୋଲି ବଦଳରେ ହର ହର ମହାଦେବ ଧ୍ବନିରେ ଫାଟିପଡେ ସ୍ମଶାନ ଘାଟ।
ଆମେ କହୁଛୁ ବାରାଣାସୀର ମାଣିକର୍ଣ୍ଣିକା ସ୍ମଶାନ ଘାଟ ବିଷୟରେ..। ସାରା ଦେଶରେ ହୋଲି ରଙ୍ଗରେ ଖେଳାଯାଏ, କିନ୍ତୁ ଭୋଳାନାଥଙ୍କ ସହର କାଶୀରେ ହୋଲି ଚିତା ଭସ୍ମରେ ଖେଳାଯାଏ । ଏପରି ହୋଲି ସମଗ୍ର ବିଶ୍ୱରେ କେବଳ କାଶୀରେ ହିଁ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ଭଗବାନ ଶଙ୍କର ତାଙ୍କର ପ୍ରିୟଜନ, ଭୂତ, ପ୍ରେତ ଏବଂ ଖରାପ ଶକ୍ତି ସହିତ ଚିତା ଭସ୍ମରେ ହୋଲି ଖେଳନ୍ତି । ଚିତା ଭସ୍ମାର ହୋଲି ଆରମ୍ଭ କରିବା ପୂର୍ବରୁ ବାବା ଭୋଳାନାଥଙ୍କୁ ପୂର୍ଣ୍ଣ ରୀତିନୀତି ଅନୁସାରେ ପୂଜା କରାଯାଏ। ତା’ପରେ ବାବାଙ୍କ ଆରତୀ କରିବା ପରେ ଚିତା ଭସ୍ମରେ ହୋଲି ଖେଳ ଆରମ୍ଭ ହୁଏ। ସମଗ୍ର ଘାଟ ‘ହର ହର ମହାଦେବ’ ଧ୍ବନି ସହିତ ଡ୍ରମ ଏବଂ ଡମ୍ବୁରୁ ଧ୍ବନିରେ ପ୍ରତିଧ୍ୱନିତ ହୁଏ।
ଗୁରୁବାର କାଶୀସ୍ଥିତ ମାଣିକର୍ଣ୍ଣିକା ଘାଟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ହୋଲି ଖେଳିବା ପାଇଁ ମାଣିକର୍ଣ୍ଣିକା ଶବଦାହ ଘାଟରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ ଏବଂ ହୋଲିର ଏହି ଅନନ୍ୟ ପରମ୍ପରାର ବିଭିନ୍ନ କୋଣରୁ ଆସିଥିବା ପର୍ଯ୍ୟଟକମାନେ ଉପଭୋଗ କରିଥିଲେ। କାଶୀ ବାସିନ୍ଦାଙ୍କ ସହିତ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଏହି ପର୍ବକୁ ଉପଭୋଗ କରିଥିଲେ |
ପୌରାଣିକ ବିଶ୍ବାସ ଅନୁଯାୟୀ ଭଗବାନ ଶିବ ଏହି ହୋଲିର ଆରମ୍ଭ କରିଥିଲେ। ବିଶ୍ୱାସ କରାଯାଏ ଯେ ରଙ୍ଗଭାରୀ ଏକାଦଶୀ ଦିନ ଭଗବାନ ଶଙ୍କର ମାତା ପାର୍ବତୀଙ୍କୁ କାଶୀକୁ ଆଣିଥିଲେ। ତା’ପରେ ସେ ନିଜ ସାଙ୍ଗମାନଙ୍କ ସହିତ ରଙ୍ଗ ଏବଂ ଗୁଲାଲ୍ ରେ ହୋଲି ଖେଳିଥିଲେ, କିନ୍ତୁ ସ୍ମଶାନ ଘାଟରେ ରହୁଥିବା ଭୂତ, ପ୍ରେତ, ପିଚାଶ ଓ କିନ୍ନର ଏହି ହୋଲିରେ ସାମିଲ ହୋଇପାରିନଥିଲେ।
ତେଣୁ ରଙ୍ଗଭାରୀ ଏକାଦାଶୀର ଗୋଟିଏ ଦିନ ପରେ ଭୋଲେନାଥ ସ୍ମଶାନ ଘାଟରେ ରହୁଥିବା ଭୂତମାନଙ୍କ ସହିତ ହୋଲି ଖେଳିଥିଲେ। ସେବେଠାରୁ କାଶୀରେ ଏହି ପରମ୍ପରା ଚଳିଆସୁଛି। ଚିତା ଭସ୍ମରେ ହୋଲି ଖେଳିବାର ଏହି ପରମ୍ପରା କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ପ୍ରସିଦ୍ଧ।