ପୂର୍ବରୁ ସତୀଦାହ ପ୍ରଥା ଥିଲା, ବିଧବା ବିବାହ ପ୍ରଥା ନଥିଲା। କିନ୍ତୁ ସମୟ ଅନୁସାରେ ପରିବର୍ତ୍ତନ ହେଲା। ଏସବୁ ପ୍ରଥା ବଦଳିଲା। ସତୀଦାହ ପ୍ରଥା ଉପରେ ରୋକ ଲାଗିଲା ବା ଏମିତି ମଧ୍ୟ କହିହେବ ଯେ ଏହି ପ୍ରଥା ସମାଜରୁ ଉଭାଇ ଗଲା। ଠିକ୍ ସେହିଭଳି ବିଧବା ବିବାହ ପ୍ରଥାର ମଧ୍ୟ ପ୍ରଚଳିତ ହେଲା। ଯଦି ଏସବୁ କୁ ନେଇ ସମାଜର ଓ ଲୋକଙ୍କର ମାନସିକତା ବଦଳିପାରୁଛି ତେବେ ସମଲିଙ୍ଗୀ ବିବାହକୁ ନେଇ କାହିଁକି ପରିବର୍ତ୍ତନ ହେବନି। ଏକ ସମୟ ଆସିବ ଯେଉଁ ଦିନ ସମଲିଙ୍ଗୀ ବିବାହ ଗ୍ରହଣୀୟ ହେବ। ସମଲିଙ୍ଗୀ ବିବାହ ଦିନେ ବାସ୍ତବରେ ପରିଣତ ହେବ।
ଭାରତର ଦ୍ରୁତତମ ମହିଳା ରନର୍ ଦୂତି ଚାନ୍ଦ ଏପରି କହିଛନ୍ତି। ସମଲିଙ୍ଗୀ ବିବାହକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରୁ ରାୟ ପ୍ରକାଶ ପାଇବା ପରେ ଧାବିକା ଦୂତି ଚାନ୍ଦ ଏହି ମନ୍ତବ୍ୟ ଦେଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ଖଣ୍ଡପୀଠର ସର୍ବସମ୍ମତି କ୍ରମେ ସମଲିଙ୍ଗୀ ବିବାହକୁ ସ୍ବତନ୍ତ୍ର ବିବାହ ଆଇନ ଅନୁଯାୟୀ ଆଇନଗତ କରିବାକୁ ମନା କରି କହିଛନ୍ତି ଯେ, ଏହି ବିବାହକୁ ସ୍ୱୀକୃତି ଦେବା ପାଇଁ ଆଇନ ପରିବର୍ତ୍ତନ କରିବା ସଂସଦ ଅଧୀନରେ ଅଛି। ତେଣୁ ସଂସଦ ସହମତି କ୍ରମେ ଏହା ଉପରେ ଆଇନ ପ୍ରଣୟନ କରାଯାଇପାରିବ।
ତେବେ ସର୍ବୋଚ୍ଚ ନ୍ୟାୟାଳୟର ଏହି ରାୟ ପ୍ରକାଶ ପାଇବା ପରେ ଧାବିକା ଦୂତି ଚାନ୍ଦଙ୍କ ମନ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛି। ଏକ ସ୍ବତନ୍ତ୍ର ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ, ପାଞ୍ଚ ବର୍ଷ ଧରି ମୁଁ ମୋ ସାଥୀଙ୍କ ସହ ସମ୍ପର୍କରେ ରହିଥିଲି ଏବଂ ଏହାକୁ ସର୍ବସମ୍ମୁଖରେ ପ୍ରକାଶ କରିବାରେ କୌଣସି ଦ୍ୱିଧା ନଥିଲା। ଆମେ ପରସ୍ପରକୁ ଭଲ ପାଉ ଏବଂ ଏକାଠି ରହିବାକୁ ଚାହୁଁଛୁ। ସେଥିଲାଗି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲୁ। ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ମୋର ସାଥୀ ମୋନାଲିସାଙ୍କୁ ବିବାହ କରିବାକୁ ଯୋଜନା କରୁଛି, କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟର ଏହି ନିଷ୍ପତ୍ତି ସମସ୍ତ ଯୋଜନାକୁ ନଷ୍ଟ କରିଦେଇଛି। ମୁଁ ତାଙ୍କ ସହିତ ପାଞ୍ଚ ବର୍ଷ ଧରି ରହିଆସିଛି, ଆମେ ଏକାଠି ଖୁସି ଏବଂ ବୟସ୍କ ଭାବରେ ଆମର ନିଷ୍ପତ୍ତି ନେବାକୁ ଆମର ସମସ୍ତ ଅଧିକାର ଅଛି। ”
ସମଲିଙ୍ଗୀ ଲୋକଙ୍କୁ ଏକାଠି ରହିବାକୁ କୋର୍ଟ ଅଟକାଇ ନାହାଁନ୍ତି: ଦୂତି
ଦୁତି କହିଛନ୍ତି, “ସମଲିଙ୍ଗୀ ଲୋକଙ୍କୁ ଏକାଠି ରହିବାକୁ ସୁପ୍ରିମକୋର୍ଟ ଅଟକାଇ ନାହାଁନ୍ତି। ଦେଶରେ ସମାନ ଲିଙ୍ଗର ବ୍ୟକ୍ତିଙ୍କ ମଧ୍ୟରେ ବିବାହ ପାଇଁ ଏପରି ଆଇନ ନ ଥିବାରୁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିନାହାଁନ୍ତି।” ସେ କହିଛନ୍ତି- ଆମେ ଆଶା କରୁଛୁ ଯେ କେନ୍ଦ୍ର ସରକାର ଏବଂ ସଂସଦ ନିଶ୍ଚିତ ଭାବରେ ଏହି ବିଷୟରେ ବିଚାର କରିବେ ଏବଂ ଭବିଷ୍ୟତରେ ସମଲିଙ୍ଗୀ ବିବାହ ପାଇଁ ଉପଯୁକ୍ତ ଆଇନ ପ୍ରଣୟନ କରିବେ।
ସମଲିଙ୍ଗୀ ବିବାହ ପାଇଁ ଅନୁମତି ପାଇବାକୁ ଆଶା ଧରିଛନ୍ତି : ଦୂତି
ଦୂତି କହିଛନ୍ତି ଯେ ଏହା ମାନବିକତାର ଏକ ସମସ୍ୟା । ସମସ୍ତେ ଜୀବନରେ ଉପଯୁକ୍ତ ଅଧିକାର ପାଇବା ଉଚିତ୍। ସମଲିଙ୍ଗୀ ବିବାହ ଆଇନଗତ ମାନ୍ୟତା ପାଇବା ଆଶାରେ ଦୂତି କହିଛନ୍ତି ଯେ ଭାରତରେ ବିଧବା ବିବାହ ବ୍ୟବସ୍ଥା ନଥିଲା। ସମୟ ପରିବର୍ତ୍ତନ ସାଙ୍ଗରେ ଲୋକଙ୍କ ମାନସିକତାର ପରିବର୍ତ୍ତନ ହେଲା ଏବଂ ସମାଜରେ ବିଧବା ବିବାହ ପ୍ରଥା ପ୍ରଚଳିତ ହେଲା। ସେହିପରି ଦିନେ ଦେଶରେ ସମଲିଙ୍ଗୀ ବିବାହ ଅନୁମତି ଦିଆଯିବ।
ଶାସକ ବିଜେଡି ଦଳ ସହ ଜଡିତ ଟ୍ରାନ୍ସଜେଣ୍ଡର କାର୍ଯ୍ୟକର୍ତ୍ତା ମୀରା ପରିଡା କହିଛନ୍ତି ଯେ, ସମଲିଙ୍ଗୀ ବିବାହ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସକରାତ୍ମକ ଭାବରେ ଦେଖାଯିବା ଉଚିତ। ଟ୍ରାନ୍ସଜେଣ୍ଡର ଏକାଠି ରହିବା ଉପରେ କୋର୍ଟ କୌଣସି ଆପତ୍ତି କରିନାହିଁ। ତେଣୁ ସମଲିଙ୍ଗୀ କ୍ଷେତ୍ରରେ ମଧ୍ୟ ଆପତ୍ତି ନ କରିବା ଉଚିତ୍। ଭାରତ ପରି ବୃହତ୍ତମ ଗଣତନ୍ତ୍ରରେ LGBTQ ବିବାହ କରିବାର ଅଧିକାର ପାଇବା ଉଚିତ୍।