ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ କନ୍ୟା ସଂକ୍ରାନ୍ତି ହେଉଛି ବିଶ୍ବନିର୍ମାତା ବିଶ୍ବକର୍ମାଙ୍କ ଜନ୍ମ ତିଥି। ପ୍ରତିବର୍ଷ ସପ୍ଟେମ୍ବର ୧୭ ତାରିଖରେ ବିଭିନ୍ନ କଳକାରଖାନା, ଅନୁଷ୍ଠାନ ଏବଂ ବିଶେଷ କରି ଯନ୍ତ୍ରପାତି ଥିବା ସ୍ଥାନରେ ବିଶ୍ବକର୍ମା ପୂଜା କରାଯାଏ। ଓଡିଶାର ପାରଦୀପ ହେଉଛି ଏହି ପୂଜା ପାଇଁ ବେଶ୍ ପ୍ରସିଦ୍ଧ।
ବିଶ୍ବର ପ୍ରଥମ ଶିଳ୍ପକାର ବା ଆଜିକାଲିକା ଭାଷାରେ ପ୍ରଥମ ଇଂଜିନିୟର ହେଉଛନ୍ତି ବିଶ୍ବକର୍ମା। ଯିଏକି ପୃଥିବୀ ନିର୍ମାଣ କରିବା ସହିତ ଦେବୀ ଓ ଦେବତାମାନଙ୍କ ପାଇଁ ଅସ୍ତ୍ରଶସ୍ତ୍ର, ପ୍ରାସାଦ ଇତ୍ୟାଦି ନିର୍ମାଣ କରିଥିଲେ। କେବଳ ସେତିକି ନୁହେଁ, ରାମାୟଣରେ ତାଙ୍କର ଦୁଇ କୁଶଳୀ ପୁତ୍ରଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ବିଶ୍ୱାସ କରାଯାଏ ଯେ ନଳ ଓ ନୀଳ ଭଗବାନ ବିଶ୍ୱକର୍ମାଙ୍କ ମାଙ୍କଡ ପୁତ୍ର ଥିଲେ। ଆଜି ବିଶ୍ବକର୍ମା ପୂଜା ଉପଲକ୍ଷେ ଉଭୟଙ୍କ କୁଶଳୀ ବାପା ଓ ପୁଅଙ୍କ ବିଷୟରେ କିଛି ଜଣାଅଜଣା କଥା ବିଷୟରେ ଆଲୋଚନା କରିବା…
ବହୁତ କମ୍ ଏହା ଜାଣିଥିବେ ଯେ, ବିଶ୍ବକର୍ମା ଯେଉଁ ସ୍ବର୍ଣ୍ଣପୁର ନିର୍ମାଣ କରିଥିଲେ, ତାଙ୍କର ଦୁଇ ପୁତ୍ର ନଳ ଓ ନୀଳ ସେହି ତାହାକୁ ଧ୍ବଂସ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ଲଙ୍କାପୁରକୁ ଯିବା ପାଇଁ ଯେଉଁ ରାମସେତୁ ନିର୍ମାଣ ହୋଇଥିଲା ତାହାର ନିର୍ମାତା ଥିଲେ ଖୋଦ୍ ବିଶ୍ବକର୍ମାଙ୍କ ଦୁଇ ପୁତ୍ର ନଳ ଓ ନୀଳ।
ପୌରାଣିକ ତଥ୍ୟ ଅନୁଯାୟୀ, ବିଶ୍ବକର୍ମା ସ୍ବର୍ଣ୍ଣପୁର ନିର୍ମାଣ କରିଥିଲେ ସତ, କିନ୍ତୁ ତାହା ପରାକ୍ରମୀ ରାବଣ ପାଇଁ ନୁହେଁ ବରଂ ମହାଦେବ ଏବଂ ମାତା ପାର୍ବତୀଙ୍କ ରହିବା ପାଇଁ ନିର୍ମାଣ କରାଯାଇଥିଲା। ଭଗବାନ ଶିବଙ୍କ ଅନୁରୋଧ କ୍ରମେ ଶିଳ୍ପୀ ବିଶ୍ବକର୍ମା ଲଙ୍କାରେ ସ୍ବର୍ଣ୍ଣପୁର ନିର୍ମାଣ କରିଥିଲେ। ଅତ୍ୟନ୍ତ ଜ୍ଞାନୀ ଓ ପରାକର୍ମୀ ପଣ୍ଡିତ ରାବଣଙ୍କ ଦ୍ବାରା ସ୍ବର୍ଣ୍ଣପୁରରେ ଯଜ୍ଞ କରିବାକୁ ଭଗବାନ ଶିବ ସ୍ଥିର କଲେ। ଶେଷରେ ତାହା ହିଁ ହେଲା, ରାବଣଙ୍କ ଦ୍ବାରା ଗୃହ ପ୍ରବେଶ ଯଜ୍ଞ ହେଲା। ଯଜ୍ଞ ଶେଷରେ ଯେତେବେଳେ ଦକ୍ଷିଣା ସ୍ବରୂପ କ’ଣ ନେବେ ବୋଲି ଭୋଳାନାଥ ପ୍ରଶ୍ନ କରିଥିଲେ, ସେହି ସମୟରେ ରାବଣ ସମ୍ପୂର୍ଣ୍ଣ ଲଙ୍କାପୁରକୁ ହିଁ ଦକ୍ଷିଣା ସ୍ବରୂପ ମାଗିଥିଲେ। ଏଥିରେ ଭୋଳାନାଥ ତଥାସ୍ତୁ ବୋଲି କହିଥିଲେ। ଏହିପରି ଭାବରେ ସ୍ବର୍ଣ୍ଣ ଲଙ୍କାପୁର ମହାଜ୍ଞାନୀ ରାବଣର ହୋଇଯାଇଥିଲା।
ଶ୍ରୀ ରାମଚରିତ ମାନସର ସୁନ୍ଦରକାଣ୍ଡ ଶେଷରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ନିଜ ମାଙ୍କଡ଼ ସୈନ୍ୟ ସହିତ ଲଙ୍କାରେ ପହଞ୍ଚିବାକୁ ଚାହୁଁଥିଲେ। ପ୍ରଭୁ ଶ୍ରୀ ରାମ ଅନେକ ଥର ସମୁଦ୍ର ଦେବତାଙ୍କ ନିକଟରେ ପ୍ରାର୍ଥନା କରିଥିଲେ, କିନ୍ତୁ ସମୁଦ୍ର ମାଙ୍କଡ଼ ସୈନ୍ୟବାହିନୀକୁ ଯିବାକୁ ଦେଇ ନଥିଲା। ତା’ପରେ ଶ୍ରୀ ରାମ ସମୁଦ୍ରକୁ ଶୁଖାଇବା ପାଇଁ ଧନୁ ତୀର ପ୍ରେରଣ କରିଥିଲେ, ଏଥିରେ ଭୟବୀତ ହୋଇ ସମୁଦ୍ରଦେବ ବିରାଜମାନ ହୋଇ ଶ୍ରୀ ରାମଙ୍କୁ କହିଥିଲେ ଯେ ଆପଣଙ୍କ ସୈନ୍ୟବାହିନୀରେ ନଳ ଓ ନୀଳ ନାମକ ଦୁଇ ଜଣ ମାଙ୍କଡ ଅଛନ୍ତି। ସେମାନେ ସ୍ପର୍ଶରେ ପଥର ପାଣିରେ ବୁଡ଼ିବ ନାହିଁ, ଯାହା ସାହାଯ୍ୟରେ ଆପଣ ସମୁଦ୍ର ଉପରେ ଏକ ସେତୁ ନିର୍ମାଣ କରିପାରିବେ। ତାହା ହିଁ ହେଲା। ନଳ ଓ ନୀଳ ସମୁଦ୍ର ଉପରେ ସେତୁ ନିର୍ମାଣ କଲେ ଏବଂ ସେତୁ ସାହାଯ୍ୟରେ ସମଗ୍ର ମାଙ୍କଡ଼ ସୈନ୍ୟ ଲଙ୍କାରେ ପହଞ୍ଚିଥିଲେ।
ନଳ-ନୀଳଙ୍କୁ ମିଳିଥିଲା ଅଭିଶାପ
ନଳ-ନୀଳଙ୍କ ବିଷୟରେ ଏକ ଲୋକପ୍ରିୟ କାହାଣୀ ଅନୁଯାୟୀ, ସେମାନେ ଛୋଟ ଥିବା ବେଳେ ସାଧୁମାନଙ୍କୁ ବହୁତ ଅସୁବିଧାରେ ପକାଉଥିଲେ। ନଳ-ନୀଳ ସାଧୁମାନଙ୍କର ପୂଜା ସାମଗ୍ରୀକୁ ପାଣିରେ ପକାଇ ଦେଉଥିଲେ। ଏଥିରେ ବିରକ୍ତ ପ୍ରକାଶ କରି ସାଧୁମାନେ ନଳ-ନୀଳଙ୍କୁ ଅଭିଶାପ ଦେଇଥିଲେ ଯେ ବର୍ତ୍ତମାନ ସେମାନେ ଯାହା ପାଣିରେ ଫିଙ୍ଗିବେ ତାହା ବୁଡ଼ିବ ନାହିଁ। ସାଧୁମାନଙ୍କର ଏହି ଅଭିଶାପ ସେମାନଙ୍କ ପାଇଁ ଏକ ଆର୍ଶୀବାଦରେ ପରିଣତ ହେଲା ଏବଂ ଶେଷରେ ସମୁଦ୍ର ଉପରେ ସେତୁ ନିର୍ମାଣରେ ସଫଳ ହେଲେ। କେବଳ ରାମାୟଣ ହିଁ ନଳ-ନୀଳ ବିଷୟରେ ଉଲ୍ଲେଖ ରହିଛି।