ପୁଅ ଓ ଝିଅ ମଧ୍ୟରେ ଭେଦ ଭାବ ଯୁଗ ଯୁଗରୁ ଚାଲିଆସିଛି। ଦ୍ବାପର ଯୁଗ ହେଉ ଅବା ତ୍ରେତୟା ଯୁଗ ଏବଂ କଳିଯୁଗ..ସବୁବେଳେ ନାରୀକୁ ଅବହେଳିତ ଦୃଷ୍ଟିରେ ଦେଖାଯାଇଛି। ଗୋଟିଏ ନାରୀ ହିଁ ସର୍ବଦା ବଳିଦାନ ଦେଇଛି ଏବଂ ତାହାକୁ ଲୋକେ ଭୁଲି ଯାଆନ୍ତି। ଦେବୀ ଦେବତାମାନେ ମଧ୍ୟ ଏଥିରୁ ବାଦ୍ ପଡି ନାହିଁନ୍ତି। ଯଦି ଆମେ ପୁରୁଣା ସିନେମା ଓ ଧାରାବାହିକ ଉପରେ ନଜର ପକାଇବା ତେବେ ସେଥିରେ ଅତି ସ୍ପଷ୍ଟ ଚିତ୍ରିତ କରାଯାଇଛି। ପୁଅର ଜନ୍ମ ଦିନକୁ ଅତି ଧୁମଧାମରେ ପାଳନ କରାଯାଉଥିବା ବେଳେ ଝିଅକୁ ଅଣଦେଖା କରାଯାଏ। ପୁଅ ପାଇଁ ନୂଆ ପୋଷାକ ଅଣାଯାଉଥିବା ବେଳେ ଝିଅକୁ ପୁରୁଣା ପୋଷାକରେ କାମ ଚଳାଇବାକୁ ପଡେ। ଝିଅର ଜନ୍ମ ଦିନକୁ କେହି ମନେ ରଖନ୍ତି ନାହିଁ। ଠିକ୍ ଯେମିତି ଜନ୍ମାଷ୍ଟମୀରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ଅତି ଧୁମଧାମରେ ପାଳନ କରାଯାଉଥିବା ବେଳେ ସେହି ଜଣେ ଦେବୀଙ୍କ ଜନ୍ମ ଦିନ ବୋଲି ସମସ୍ତେ ଭୁଲି ଯାଆନ୍ତି। ଯିଏକି ପ୍ରଭୁ ଶ୍ରୀ କୃଷ୍ଣଙ୍କ ପାଇଁ ଅପାର ବଳିଦାନ ଦେଇଥିଲେ।
ଆପଣ ନିଶ୍ଚୟ ଭାବୁଥିବେ ଜନ୍ମାଷ୍ଟମୀ ସରିବାର ପୁରା ଗୋଟିଏ ସପ୍ତାହ ବିତି ଗଲାଣି, ଆଜି ପୁଣି ଏହା ଉପରେ କାହିଁକି ଆଲୋଚନା କରାଯାଉଛି। କାରଣ କିଛି ତଥ୍ୟ ମୋ ହୃଦୟ ଓ ମୋ ଆତ୍ମାକୁ ଆନ୍ଦୋଳିତ କରିଛି। ତାହା ହେଉଛି ମା ଯୋଗମାୟାଙ୍କ ଜନ୍ମ ତିଥି….। ଯେଉଁ ଦିନ ପ୍ରଭୁ ଶ୍ରୀ କୃଷ୍ଣ ଧରାପୃଷ୍ଠରେ ଜନ୍ମ ଗ୍ରହଣ କରିଥିଲେ, ସେହି ଦିନ ଅନ୍ୟ ଜଣେ ଦେବୀଙ୍କ ମଧ୍ୟ ଆର୍ବିଭାବ ହୋଇଥିଲା। ଏମିତି ମଧ୍ୟ କହି ପାରିବା ଶ୍ରୀକୃଷ୍ଣଙ୍କ ପାଇଁ ସେ ବହୁତ ବଡ ବଳିଦାନ ଦେଇଥିଲେ। କିନ୍ତୁ ତାହାକୁ କେହି ମନେ ରଖିଲେନାହିଁ। କୌଣସି ପୁରାଣ ବା କିମ୍ବଦନ୍ତୀରେ ଏହାର ସଠିକ୍ ଆଲୋକପାତ କରାଗଲାନାହିଁ ଏବଂ ବିସ୍ତୁତ ଆଲୋଚନା ମଧ୍ୟ କରାଯାଇନାହିଁ।
ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ମଧ୍ୟରାତ୍ରରେ ପ୍ରଭୁ ଶ୍ରୀକୃଷ୍ଣ ମାତା ଦେବକୀଙ୍କ ଗର୍ଭରୁ ଧରାପୃଷ୍ଠରେ ଜନ୍ମ ଗ୍ରହଣ କରିଥିଲେ। ସେତେବେଳେ ପ୍ରଭୁଙ୍କ ମାତାପିତା ମାମୁ କଂସରାଜଙ୍କ କାରାଗାରରେ ବନ୍ଦୀ ଥିଲେ। ଦେବକୀଙ୍କ ଗର୍ଭରୁ ଜନ୍ମିତ ଅଷ୍ଟମ ସନ୍ତାନ ହିଁ କଂସରାଜ ବିନାଶର କାରଣ ହେବ ବୋଲି ପୂର୍ବରୁ ଶୂନ୍ୟବାଣୀ ହୋଇଥିଲା। ତେଣୁ ଦେବକୀଙ୍କ ଅଷ୍ଟମ ସନ୍ତାନ ହେବା ପର୍ଯ୍ୟନ୍ତ ପ୍ରତିଟି ସନ୍ତାନଙ୍କୁ କଂସରାଜ ହତ୍ୟା କରିଥିଲେ। କିନ୍ତୁ ପ୍ରଭୁଙ୍କ ମାୟା ବିଚିତ୍ର ଥିଲା। ଅଷ୍ଟମ ସନ୍ତାନ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ସବୁ ଦ୍ବାର ଆପେ ଆପେ ଖୋଲି ଯାଇଥିଲା ଏବଂ ଦ୍ବାରପାଳ ଚେତାଶୂନ୍ୟ ହୋଇପଡିଥିଲେ। ସେହି ସମୟରେ ଏକ ବିରାଟ ଅଦଳବଦଳ ହୋଇଥିଲା।
ଯେତେବେଳେ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଜନ୍ମ ହୋଇଥିଲା, ଠିକ୍ ସେତିକି ବେଳେ ମାତା ଯଶୋଦାଙ୍କ କୋଳ ମଣ୍ଡନ କରିଥିଲେ ଦେବୀ ଯୋଗମାୟା। କିନ୍ତୁ ପ୍ରଭୁଙ୍କ ନିର୍ଦେଶରେ ହେଉ ଅବା ଉଦ୍ଦେଶ୍ୟରେ ପିତା ବାସୁଦେବ ଯଶୋଦାଙ୍କ କୋଳରେ ପ୍ରଭୁ ଶ୍ରୀ କୃଷ୍ଣଙ୍କୁ ରଖି ଦେବୀ ଯୋଗମାୟାଙ୍କୁ ନେଇ ମଥୁରା ନେଇ ଯାଇଥିଲେ।
ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ, ଯେତେବେଳେ କଂସରାଜ ଦେବକୀଙ୍କ ଅଷ୍ଟମ ସନ୍ତାନ ତଥା ଯୋଗାମାୟାଙ୍କ ହତ୍ୟା ଉଦ୍ଦେଶ୍ୟରେ ସେଠାରେ ପହଞ୍ଚିଥିଲେ, ଏକ ଚତ୍ମକାର ଘଟଣା ଘଟିଥିଲା। ଶିଶୁକନ୍ୟାକୁ ହତ୍ୟା କରିବା ପାଇଁ ଯେତେବେଳେ କଂସ ତାଙ୍କ ଗୋଟ ଧରିଥିଲେ, ସେହି ସମୟରେ ଶିଶୁକନ୍ୟାଟି ହଠାତ୍ ଉପରକୁ ଉଡିଯାଇଥିଲା ବା ଆକାଶ ମାର୍ଗକୁ ଚାଲି ଯାଇଥିଲା। ଆଉ ସେହି ସମୟରେ ଏକ ଶୂନ୍ୟବାଣୀ ହୋଇଥିଲା ଯେ, ମୁଁ ଚାହିଁଲେ ତୋତେ ଏହି କ୍ଷଣି ମାରି ଦେଇପାରିଥାନ୍ତି। କିନ୍ତୁ ମୁଁ ମାରିବି ନାହିଁ, କାରଣ ତୁ ଗୋଡ ଧରିଛୁ। ଗୋଡ ଧରିଥିବାରୁ ମୁଁ ତୋତେ କ୍ଷମା କରୁଛି। ଏପରି ଶୂନ୍ୟବାଣୀ ହେଲା ପରେ ଶିଶୁକନ୍ୟାଟି ହଠାତ୍ କୁଆଡେ ଉଭାନ ହୋଇଯାଇଥିଲା। ଯଦିଓ ଏହି ଟିପ୍ପଣୀ ସ୍ପଷ୍ଟ ଭାବରେ କୌଣସି କିଂମ୍ବଦନ୍ତୀରେ ସ୍ପଷ୍ଟ ଭାବରେ ବର୍ଣ୍ଣିତ ନାହିଁ, ତଥାପି କେତେକାଂଶରେ ଏହା ପଢିବାକୁ ମିଳେ। ଅନ୍ୟ କେତେକ ପୁସ୍ତକରେ କଂସ ଦେବକୀର ଅଷ୍ଟମ ସନ୍ତାନଙ୍କୁ ହତ୍ୟା କରିଥିବା ମଧ୍ୟ କୁହାଯାଇଛି।
ତେବେ ଆଲୋଚନାର ବିଷୟ ହେଉଛି, ଯେଉଁ ଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା, ସେହି ଦିନ ଦେବୀ ଯୋଗାମାୟାଙ୍କ ମଧ୍ୟ ଜନ୍ମ ଦିବସ ଥିଲା। କିନ୍ତୁ ଶ୍ରୀ କୃଷ୍ଣଙ୍କ ଜନ୍ମ ତିଥିକୁ ସମସ୍ତେ ମନେ ରଖିବା ସହ ସବୁ ମନ୍ଦିର ବା ଧାର୍ମିକ ଅନୁଷ୍ଠାନରେ ଅତି ଧୁମଧାମରେ ପାଳନ କରାଯାଉଛି । କିନ୍ତୁ ସେହି ଦିନ ଯେ ଦେବୀ ଯୋଗମାୟାଙ୍କ ଜନ୍ମ ତିଥି ବୋଲି କାହାର ମନେ ନାହିଁ ଏବଂ କେହି ପାଳନ କରୁନାହିଁନ୍ତି। ପ୍ରଭୁ ଶ୍ରୀକୃଷ୍ଣଙ୍କ ପାଇଁ ଏତେ ବଡ ବଳିଦାନ ଦେଇଥିବା ଦେବୀଙ୍କୁ କିପରି ଭାବେ କେହି ମନେ ରଖିଲେ ନାହିଁ ତାହା ଏବେ ପ୍ରଶ୍ନର ବିଷୟ..।
କିନ୍ତୁ କହିବାକୁ ଗଲେ ଦ୍ବାପରଯୁଗ ଅପେକ୍ଷା ବର୍ତ୍ତମାନ ପୀଢିରେ ନାରୀମାନଙ୍କୁ ଯଥେଷ୍ଟ ସମ୍ମାନ ମିଳୁଛି। ତାହାକୁ ନାରୀ ନିଜ ସାମର୍ଥ୍ୟ ବଳରେ ଲଢି ହାସଲ କରିଛି। କିଛି ଲୋକଙ୍କ ଘରେ ଝିଅ ଜନ୍ମ ଉତ୍ସବକୁ ବଡ ଅକାରରେ ବା ଧୁମଧାମରେ ପାଳନ କରାଯାଉଛି ସତ କିନ୍ତୁ ସମାଜରେ ଆଜି କିଛି ଲୋକ ଅଛନ୍ତି ଯେଉଁମାନେ ଝିଅ ଅପେକ୍ଷା ପୁଅମାନଙ୍କୁ ଅଧିକ ଗୁରୁତ୍ବ ଦିଅନ୍ତି।