ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗଣେଶ ଚତୁର୍ଥୀ ଅତି ଧୁମଧାମରେ ପାଳନ କରାଯାଏ। ପୌରାଣିକ ବିଶ୍ବାସ ଅନୁଯାୟୀ ଗୌରୀ ପୁତ୍ର ଭଗବାନ ଶ୍ରୀ ଗଣେଶ ଚତୁର୍ଥୀ ତିଥିର ମଧ୍ୟାହ୍ନରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଏହି ଜନ୍ମ ତିଥିକୁ ଗଣେଶ ଚତୁର୍ଥୀ ଭାବରେ ପାଳନ କରାଯାଏ। ଏଥର ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୧୯ ତାରିଖରେ ପାଳନ କରାଯିବ ଏବଂ ଅନନ୍ତ ଚତୁର୍ଦଶୀ ତିଥିରେ ବିସର୍ଜନ କରାଯିବ।
ବିଶ୍ବାସ ଅନୁଯାୟୀ ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ର ଦେଖିବା ଉଚିତ୍ ନୁହେଁ। ଯଦି କେହି ବ୍ୟକ୍ତି ଏହାକୁ ଅମାନ୍ୟ କରି ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ରମା ଦର୍ଶନ କରେ ତେବେ ସେହି ବ୍ୟକ୍ତିର ଜୀବନରେ ଘୋର ଅନ୍ଧକାର ମାଡି ଆସେ। ହୁଏତ ଏହି କଥା ଶୁଣିଲା ପରେ ଆପଣମାନଙ୍କ ମନରେ ପ୍ରଶ୍ନ ଆସିପାରେ ଏହା ସତ୍ୟ ନା ମିଥ୍ୟା। ଏହା ଅନ୍ଧବିଶ୍ବାସ ନୁହେଁ ତ ? ଯଦି ଏପରି ଘଟେ ଏହା ପଛର କାରଣ କ’ଣ ?
ଏହା ପଛରେ ଥିବା ପୌରାଣିକ କାରଣ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ….
ବିଶ୍ୱାସ ଅନୁଯାୟୀ, ଥରେ ଭଗବାନ ଗଣେଶ ନିଜ ବାହାନ ମୂଷକରାଜା ଉପରେ ବସି ପରିକ୍ରମାରେ ଯାଇଥିଲେ। ବାଟରେ ହଠାତ୍ ଏକ ସାପକୁ ଦେଖି ମୂଷକରାଜ ଭୟବୀତ ହୋଇ ଡେଇଁପଡିଲେ ଏବଂ ଯାହା ଫଳରେ ଭଗବାନ ଶ୍ରୀ ଗଣେଶ ଭାରସାମ୍ୟ ହରାଇ ତଳେ ପଡ଼ିଗଲେ। ଏହି ଘଟଣା ଦେଖି ଚନ୍ଦ୍ରଦେବ ଖୁବ୍ ଜୋରରେ ହସିବାକୁ ଲାଗିଲେ। ଏଥିରେ ଭଗବାନ ଗଣେଶ ରାଗିଗଲେ ଏବଂ ଚନ୍ଦ୍ରଙ୍କୁ ଅଭିଶାପ ଦେଲେ। ଭଗବାନ ଶ୍ରୀ ଗଣେଶ ନିଜ ଅଭିଶାପରେ କହିଲେ ଯେ, ଚତୁର୍ଥ ତିଥିରେ ଚନ୍ଦ୍ର କଳଙ୍କିତ ରହିବେ ଏବଂ ସେହି ଦିନ ଯଦି କେହି ଚନ୍ଦ୍ର ଦର୍ଶନ କରେ ତେବେ ସେହି ବ୍ୟକ୍ତିକୁ ମଧ୍ୟ ଅଭିଶାପ ଲାଗିବ। ସେହି ବ୍ୟକ୍ତିର ଜୀବନରେ ଘୋର ଅନ୍ଧକାର ମାଡି ଆସିବ।
କିନ୍ତୁ ଯଦି ଆପଣ ଭୁଲବଶତଃରେ ଚନ୍ଦ୍ର ଦର୍ଶନ କରନ୍ତି, ତେବେ କ’ଣ କରିବେ?
ତଥାପି ଯଦି ଆପଣ ଭୁଲବଶତଃ ଚନ୍ଦ୍ର ଦର୍ଶନ କରନ୍ତି, ତେବେ ଏହି ଅଭିଶାପରୁ ମୁକ୍ତି ପାଇବା ପାଇଁ ଭଗବାନ ଶ୍ରୀ ଗଣେଶଙ୍କ ମନ୍ତ୍ର ଜପ କରି ପାରନ୍ତି। ଏହା ଦ୍ବାରା ଆପଣ ସେହି ଅଭିଶାପରୁ ମୁକ୍ତି ପାଇଯିବେ।
ଏହା ବ୍ୟତୀତ ଯଦି ଆପଣଙ୍କ ଜୀବନରେ ବା ପରିବାରରେ ସର୍ବଦା କିଛି ନା କିଛି ସମସ୍ୟା ଲାଗି ରହୁଥାଏ, ତେବେ ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କ ସ୍ଥାପନା କରି ପୂଜା କରିପାରିବେ । ଏହା ସହ ଓମ୍ ଙ୍ଗ ଙ୍ଗୌ ଗଣପତୟ ବିଘ୍ନ ବିନାଶନେ ସ୍ବାହା ମନ୍ତ୍ର ୨୧ ଥର ଜପ କରିପାରିବେ। ଏହା ଦ୍ବାରା ଭଗବାନ ଶ୍ରୀ ଗଣେଶ ପ୍ରସନ୍ନ ହେବା ସହ ମନୋସ୍କାମନା ପୂରଣ କରନ୍ତି।