independence day 2023 : ଅଗଷ୍ଟ ୧୫ର ମିଠେଇ…

ଯାହାର ମୂଲ୍ୟ ଅମୂଲ୍ୟ ଏବଂ ସ୍ବାଦ ଅବିକଳ୍ପ

ପିଲା ଦିନର କଥା ତ ପ୍ରାୟ ସମସ୍ତଙ୍କର ମନେ ଥିବ। ସକାଳୁ ଶୀଘ୍ର ଉଠି ସଫା ପୋଷାକ ପିନ୍ଧି ବାହାରି ପଡୁ ସ୍କୁଲକୁ ପତାକା ଉତ୍ତୋଳନ କରିବା ପାଇଁ। ପତାକା ଉତ୍ତୋଳନରେ ଯେତିକି ମନ ନଥାଏ, ତା’ ଠାରୁ ଅଧିକ ମନ ଥାଏ ମିଠେଇ ଖାଇବାରେ..। ପତାକା ଉତ୍ତୋଳନ ପରେ ବକୃତା ପ୍ରତିଯୋଗିତା ଆରମ୍ଭ ହୁଏ। ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶରେ ଏବଂ ଛାତ୍ରଛାତ୍ରୀମାନେ ସ୍ବାଧୀନତା ଦିବସ ଉଦ୍ଦେଶ୍ୟରେ ଭାଷଣ ଦିଅନ୍ତି। କେବଳ ସେତିକି ନୁହେଁ, ଅନେକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଏ। କିନ୍ତୁ ସବୁଠାରୁ ଉପରେ ଥାଏ, କାର୍ଯ୍ୟକ୍ରମ ଶେଷରେ ଯେଉଁ ମିଠେଇ ବଣ୍ଟାଯାଏ..। ଲମ୍ବା ଧାଡିରେ ଠିଆ ହୋଇ ମିଠେଇର ପ୍ରତୀକ୍ଷା କରିବା ଏବଂ ଜଣଙ୍କ ପରେ ଜଣଙ୍କୁ ମିଠେଇ ମିଳିବା ପରେ ଶେଷରେ ଅପେକ୍ଷାର ଅନ୍ତ ଘଟେ ଆଉ ନିଜ ପାଳି ଆସେ। ଇତି ମଧ୍ୟରେ ମିଠେଇରେ କେତୋଟି ବୁନ୍ଦି ଥାଏ, ତାହା ମଧ୍ୟ ଗଣି ହୋଇଯାଏ। ଏକଥା ଆମେ କହୁନୁ, ସ୍କୁଲରେ ପଢୁଥିବା କେତେକ ଦୁଷ୍ଟ ଛାତ୍ରଛାତ୍ରୀ ସେମାନେ କୁହନ୍ତି। ତେବେ ସେ ଯାହା ବି ହେଉ ନା କାହିଁକି ସେହି ମିଠେଇ ଖଣ୍ଡକ ମନକୁ ଯେଉଁ ଶାନ୍ତି ଦିଏ, ତାହାର ବର୍ଣ୍ଣନା ସହଜ ନୁହେଁ।

ଦେଶର କୋଣ ଅନୁକୋଣରେ ଥିବା ପ୍ରାୟ ସମସ୍ତ ଶିକ୍ଷିତ ଲୋକ ସେହି ଦୁର୍ଲଭ ମୁହୂର୍ତ୍ତ ଦେଇ ଗତି କରିଛନ୍ତି। ସେହି ଅନୁଭବକୁ କେହି ଭୁଲି ପାରନ୍ତି ନାହିଁ। ସେହି ମଠେଇର ସ୍ବାଦ ଆଜି ବି ସମସ୍ତଙ୍କ ମନମାନସରେ ସତେଜ ରହିଛି। ଯେଉଁ ସ୍ବାଦର କୌଣସି ବିକଳ୍ପ ନାହିଁ। ଆଜି ବି ଜାତୀୟ ସଙ୍ଗୀତ ଗାନ ପରେ ସେହି ବୁନ୍ଦି ମିଠେଇ କଥା ମନେ ପଡେ। ଆଉ ଏମିତି କିଛି କଥା ମନକୁ ଆସେ..ଏବେ ତ ଜାତୀୟ ସଙ୍ଗୀତ ଗାନ ସାରିଲା, ବୁନ୍ଦି ଲଡୁଟା ମିଳୁ। କେହି ଜଣେ ସେହି ବୁନ୍ଦି ମିଠେଇ ହାତକୁ ବଢାଇ ଦିଅନ୍ତା କି.. ଏଭଳି କିଛି ଭାବନା କିଛି ସମୟ ପାଇଁ ମନକୁ ଆନ୍ଦୋଳିତ କରେ। ତେବେ ଛାଡନ୍ତୁ .. ଏବେ ସମୟ ବଦଳିଛି, ମିଠେଇ ବଦଳରେ ପିଲାଙ୍କୁ ପ୍ୟାକେଟ୍ ମିଳୁଛି। ହେଲେ ମିଠେଇରେ ଯେଉଁ  ଆନନ୍ଦ ଥିଲା, ତାହା ଏବେକା ପ୍ୟାକେଟରେ କାହିଁ….। ଦୀର୍ଘ ନିଶ୍ବାସ ଛାଡି ଆଗକୁ ଯିବା..

ତେବେ ଆପଣ ଭାବୁଥିବେ ନିଶ୍ଚୟ ଆମେ ଏସବୁ କାହିଁକି କହୁଛୁ ? କାରଣ ନୂତନ ସୂର୍ଯ୍ୟ ଉଦୟ ତ୍ରିରଙ୍ଗାମୟ ଭାରତକୁ ସ୍ବାଗତ କରିବ।

ଆସନ୍ତା କାଲି ହେଉଛି ଅଗଷ୍ଟ ୧୫ ଅର୍ଥାତ୍ ସ୍ବାଧୀନତା ଦିବସ..। ସମସ୍ତ ସ୍କୁଲ, କଲେଜ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ତେବେ ଏହି ପ୍ରସ୍ତୁତି ସମୟର ଏକ କୁନି ଛାତ୍ରୀ ମନରେ ଉଙ୍କି ମାରିଥିବା କେତୋଟି ପ୍ରଶ୍ନ ଏବଂ ଏହାର ଉତ୍ତର ରଖିବାକୁ ଯାଇ ତା’ର ଛୋଟ ଭାଇଟିର କୌତୁହଳପୂର୍ଣ୍ଣ ବର୍ତ୍ତାଳାପ ବିଷୟରେ ଆମେ କହିବାକୁ ଯାଉଛୁ…

ସ୍କୁଲର ସାଜସଜା ଦେଖି ଦ୍ବିତୀୟ ଶ୍ରେଣୀର କୁନି ଛାତ୍ରୀ ଦିବ୍ୟା ତା’ ଭାଇ ରୋମିଲକୁ ପଚାରୁଛି – ଭାଇ କାଲି କ’ଣ ଆମେ ସ୍କୁଲକୁ ଆସିବା ?

ରୋମିଲ – ହଁ ଆସିବା । କାଲି ଆମକୁ ମିଠେଇ ମିଳିବ।

ଦିବ୍ୟା- କାହିଁକି ?

ରୋମିଲ- କାଲି ଅଗଷ୍ଟ ୧୫, ସେଥିପାଇଁ..।

ଦିବ୍ୟା – କାଲି କ’ଣ କିଛି ପର୍ବ ଅଛି କି ?

ରୋମିଲ – ସ୍ବାଧୀନତା ଦିବସ… ।

ଦିବ୍ୟା – ଏହି ପର୍ବ ହିନ୍ଦୁ ମାନଙ୍କର… ନା ଅନ୍ୟ କୌଣିସ ଧର୍ମର ?

ରୋମିଲ- ଏହି ପର୍ବ ସବୁ ଧର୍ମର ଲୋକଙ୍କର.. ସମସ୍ତେ ଏକା ସାଙ୍ଗରେ ପାଳନ କରନ୍ତି।

କିନ୍ତୁ ରୋମିଲ ବେଶି କିଛି ଦିବ୍ୟାକୁ ବୁଝାଇ ପାରି ନଥିଲା। ଏହି ଦିନ ସ୍କୁଲରେ କାହିଁକି ମିଠା ବଣ୍ଟା ଯାଏ, ସେ ନେଇ ମଧ୍ୟ ବେଶି ତଥ୍ୟ ନଥିଲା ରୋମିଲ ପାଖରେ… ଉଭୟ ଘରକୁ ଯାଇ ନିଜ ମାଆକୁ ଏବିଷୟରେ ପଚାରିଲେ।

ରୋମିଲ – ମାଆ ଦେଶର ପର୍ବ ଭାବରେ ଅଗଷ୍ଟ ୧୫କୁ କାହିଁକି ପଳାନ କରାଯାଏ। ସ୍କୁଲରେ ମିଠେଇ କାହିଁକି ବଣ୍ଟା ଯାଏ?

ମାଆ – ଭଲ ପ୍ରଶ୍ନ ପଚାରିଛୁ । ଆମ ଦେଶ ବହୁ ବର୍ଷ ପୂର୍ବରୁ ଏକ ଧନୀ ରାଷ୍ଟ୍ର ଭାବରେ ବିଶ୍ବରେ ପରିଗଣିତ ହେଉଥିଲା। ଆନେକ ରାଷ୍ଟ୍ର ଆମ ଦେଶରେ ବେପାର ବଣିଜ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ଏବଂ ତାହା ହିଁ ହେଲା। କିନ୍ତୁ ଯେଉଁ ରାଷ୍ଟ୍ର ବି ଆସୁଥିଲା, ବେପାର ବାଣିଜ୍ୟ ନାଁରେ ଆମ ଦେଶରୁ ଲୁଟପାଟ୍ କରୁଥିଲା। ଶେଷରେ ଇଂଲଣ୍ଡର ଏକ କମ୍ପାନୀ ବେପାର ବାଣିଜ୍ୟ କରିବାକୁ ଆସି ଭାରତ ଉପରେ ଶାସନ କରିବା ଆରମ୍ଭ କଲା। ଦେଶବାସୀଙ୍କୁ ଅକଥନୀୟ ଅତ୍ୟାଚାର କଲା। ଏହାକୁ ବିରୋଧ କରୁଥିବା ଲୋକ ଅକାଳରେ ଟଳିପଡିଲେ। ଅନେକ ମହାନ୍ ପୁରୁଷ ନିଜର ପ୍ରାଣ ବଳୀ ଦେଲେ। କିଏ କେତେ ଚାବୁକ ପାହାର ଖଇଛନ୍ତି ଏବଂ କେତେ ଯେ ଫାଶି ଖୁଣ୍ଟରେ ଝୁଲିଛନ୍ତି, ତାହାର ହିସାବ ନାହିଁ। ଶେଷରେ ୧୯୪୭ ମସିହା ଅଗଷ୍ଟ ୧୫ରେ ଇଷ୍ଟ ଇଣ୍ଡିଆ କମ୍ପାନୀ କବଳରୁ ଆମ ଦେଶ ସ୍ବାଧୀନ ହେଲା। ତେଣୁ ଏହି ଖୁସିରେ ମିଠେଇ ବଣ୍ଟାଯାଏ। କିନ୍ତୁ ହଁ, ଏହି ମିଠେଇ ଏମିତି ସେମିତି ମିଠେଇ ନୁହେଁ। ଏଥିରେ ଅନେକ ମହାନ ପୁରୁଷଙ୍କ ଉତ୍ସର୍ଗ ଓ ଅକ୍ଳାନ୍ତ ପାରିଶ୍ରମ ଲୁଚି ରହିଛି। ତେଣୁ ସେହି ମିଠେଇର କୌଣସି ବିକଳ୍ପ ନାହିଁ।

ଆମର ପରିଚୟ, ଅସ୍ତିତ୍ବ ଓ ସୁରକ୍ଷା ଆମ ଦେଶ ସାଙ୍ଗରେ ଯୋଡି ହୋଇ ରହିଛି। ଆମେ ଭାରତବର୍ଷର ନାଗରିକ ଏବଂ ଏହି କାରଣରୁ ଆମେ ଅଗଷ୍ଟ ୧୫କୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ପାଳନ କରୁ।

ମାଆ ଠାରୁ ସ୍ବାଧୀନତା ଦିବସର ମହତ୍ତ୍ବ ଶୁଣିଲା ପରେ ଦିବ୍ୟା ଓ ରୋମିଲଙ୍କ ପାଟିରୁ ଆପେ ଆପେ ବାହାରି ଆସିଥିଲା ଭାରତ ମାତା କି ଜୟ…..